ବନ୍ଦେ ଭାରତ ମିଶନରେ ମୁମ୍ବାଇକୁ ଫେରିଲେଣି ୧୯ ହଜାରରୁ ଅଧିକ ଭାରତୀୟ

କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନ ଅଧୀନରେ ବିଭିନ୍ନ ଦେଶରୁ ୧୨୫ଟି ବିମାନରେ ୧୯ ହଜାର ୬୦୪ ଜଣ ଭାରତୀୟଙ୍କୁ ମୁମ୍ବାଇ ଅଣାଯାଇଛି। ସେହିସବୁ ଲୋକମାନଙ୍କୁ ବ୍ରିଟେନ୍‍, ସିଙ୍ଗାପୁର, ଜାପାନ, ଫିଲିପାଇନ୍‍ସ, ଆମେରିକା, ବାଂଲାଦେଶ, ମାଲେସିଆ, କୁଏତ୍‍, ଇଥିଓପିଆ, ଆଫଗାନିସ୍ଥାନ, ଓମାନ୍‍, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ନେଦରଲ୍ୟାଣ୍ଡ୍‍ସ, ଶ୍ରୀଲଙ୍କା, ମ୍ୟାଁମାର, ତାଞ୍ଜାନିଆ, ସ୍ପେନ୍‍, ଆୟାରଲ୍ୟାଣ୍ଡ, କତ୍ତର, କାଜାଖ୍‍ସ୍ଥାନ, ମରିସସ୍‍ ଓ ବ୍ରାଜିଲ୍‍ ଭଳି ଦେଶରୁ ଅଣାଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଏହା ବ୍ୟତୀତ ଜୁଲାଇ ପହିଲା ସୁଦ୍ଧା ମୁମ୍ବାଇରେ ଆଉ ୪୫ଟି ବିମାନ ଆସି ଅବତରଣ କରିବ। ସେହି ଲୋକମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଓ ଦେଶର ଅନ୍ୟାନ୍ୟ ରାଜ୍ୟର ଅଧିବାସୀମାନେ ରହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁସାରେ, ୧୩ ହଜାର ୮୯୯ ଜଣ ଲୋକ ମହାରାଷ୍ଟ୍ରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ହଜାର ୨୧୮ ଜଣ ମୁମ୍ବାଇର ରହିଛନ୍ତି। କରୋନା ସଂକ୍ରମଣ ଦୃଷ୍ଟିରୁ ସମ୍ପୃକ୍ତ ଲୋକମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା।

ଇତିମଧ୍ୟରେ ଗତମାସ ୨୫ ତାରିଖରୁ ଦେଶରେ ବ୍ୟବସାୟିକ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହେବା ପରେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୨ଲକ୍ଷ ୧ ହଜାର ୨୫୮ ଜଣ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ପ୍ରଥମରୁ ସେହି ବିମାନ ବନ୍ଦରରୁ ଦୈନିକ ୫୦ଟି ବିମାନର ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା। ପରେ ବିମାନ ଚଳାଚଳ ସଂଖ୍ୟା ୧୦୦କୁ ବୃଦ୍ଧି କରାଯାଇଛି।

Comments are closed.