ଗୁୱାଙ୍ଗଝୋରୁ ଫେରିବେ ଭାରତୀୟ ; ୨୩ରେ ଯିବ ଏୟାର୍‍ ଇଣ୍ଡିଆ ବିମାନ

ନୂଆଦିଲ୍ଲୀ : କରୋନା ସଂକ୍ରମରକୁ ନେଇ ଚୀନ୍‍ର ଗୁୱାଙ୍ଗଝୋରେ ଫସି ରହିଥିବା ଭାରତୀୟମାନେ ସ୍ବଦେଶ ଫେରିବେ। ବନ୍ଦେ ଭାରତ ମିଶନ୍‍ ଅଧୀନରେ ଆସନ୍ତା ୨୩ ଓ ୩୦ ତାରିଖରେ ସେଠାକୁ ପରବର୍ତ୍ତୀ ବିମାନ ଚଳାଚଳ
କରିବା ବିଷୟ​ରେ ଏୟାର୍‍ ଇଣ୍ଡିଆ ସୂଚନା ଦେଇଛି। ଚୀନରେ ଅଟକି ରହିଥିବା ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ଚୀନରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ବାଧ୍ୟ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ୁଛି। ବେଜିଂ ସ୍ଥିତି ଭାରତୀୟ ଦୂତାବାସରୁ ଜାରି ଏକ ବିଜ୍ଞପ୍ତିରେ ଏହି ବିମାନରେ ସ୍ୱଦେଶ ଫେରିବା ପାଇଁ ଦୂତାବାସରେ ନିଜର ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ବିମାନ ଚଳାଚଳ କରିବା ଦ୍ୱାରା ଚୀନରେ ଅଟକି ରହିଥିବା ଅନେକ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସେମାନଙ୍କର ଆତ୍ମୀୟ ସୃଜନଙ୍କ ପାଖରେ ପହଞ୍ଚି ପାରିବେ ଓ କିଛି ଭାରତୀୟ ଚୀନରେ ସେମାନଙ୍କର କର୍ମସ୍ଥଳୀକୁ ମଧ୍ୟ ଫେରିପାରିବେ। ଉଭୟ ପକ୍ଷରୁ ବିମାନ ଯାତ୍ରା କରିବାକୁ
ଥିବା ଲୋକମାନଙ୍କୁ କୋଭିଡ ସମ୍ବନ୍ଧୀୟ ନିୟମଗୁଡ଼ିକର ପାଳନ କରିବାକୁ ହେବ।

ବନ୍ଦେ ଭାରତ ମିଶନରେ ଚୀନ୍‍କୁ ପ୍ରଥମ ବିମାନ ଜୁନ୍‍ ୨୦ ତାରିଖରେ ଯାତ୍ରା କରିଥିଲା। ଚୀନ୍‍ ଗତ ମାସରେ କିଛି ଶ୍ରେଣୀର ବିଦେଶୀ ନାଗରିକଙ୍କୁ ଚୀନ୍‍ ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦେଇଛି। ଏହାଦ୍ୱାରା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ଭାରତୀୟମାନେ ପୁନର୍ବାର ଚୀନ୍‍କୁ ଯାତ୍ରା କରିପାରିବେ। ତେବେ ଚୀନ୍‍ ଏ ପର୍ଯ୍ୟନ୍ତ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଚୀନ୍‍ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇନାହିଁ। ୨୩ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀ ଚୀନ୍‍ ସ୍ଥିତ ସେମାନଙ୍କର ଶିକ୍ଷାନୁଷ୍ଠାନକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି। ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଚୀନ୍‍ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ ଗୁଡ଼ିକ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସୁଛି। ଏହା ହେଉଛି ସପ୍ତମ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଓ ଗତ ପହିଲାରୁ ଏହା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଗତ ମାସ ୩୦ ତାରିଖ ସୁଦ୍ଧା ୧୬ ଲକ୍ଷ ୪୫ ହଜାର ଭାରତୀୟ ବନ୍ଦେ
ଭାରତ ମିଶନ ଅଧୀନରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Comments are closed.