ନବୋଦୟ ବିଦ୍ୟାଳୟରେ ବନ ମହୋତ୍ସବ

ପାତ୍ରପୁର : ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ଅବସରରେ ସୋମବାର ସୁରଙ୍ଗୀ ସ୍ଥିତ ଜବହାର ନବୋଦୟ ବିଦ୍ୟାଳୟ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାତ୍ରପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଲୋପାମୁଦ୍ରା ବେହେରା ଯୋଗଦେଇ ବୃକ୍ଷ ଚାରା ରୋପଣ କରିଥିଲେ। ଏହି ଅବସରରେ ବନ ବିଭାଗର ଉପଖଣ୍ଡ ସହକାରୀ ବନ ଅଧିକାରୀ ଅଶୋକ କୁମାର ବେହେରା, ରେଞ୍ଜର ରଜତ କୁମାର ମିଶ୍ର, ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମଜୀବନ ଶର୍ମା, ଉପାଧ୍ୟକ୍ଷ କବିତା କର ପ୍ରମୁଖଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ। ସୁରଙ୍ଗୀ ପରେ ପାତ୍ରପୁର କୋର୍ଟ ପରିସରରେ ବିଚାରପତି ଶ୍ରୀମତୀ ବେହେରା ବୃକ୍ଷ ଚାରାରୋପଣ କରିଥିଲେ।

ସାମନ୍ତିଆ ପଲ୍ଲୀ ଭରପତି ମହାବିଦ୍ୟାଳୟ ଠାରେ ମଧ୍ୟ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ଅଧକ୍ଷ ଡଃ ମାନସ ରଞ୍ଜନ ଆଚାର୍ଯ୍ୟ ଏହାର ଶୁଭାରମ୍ଭ କରି ଥିବା ବେଳେ ଯୁବ ରେଡକ୍ରସ ପରାମର୍ଶ ଦାତା ସୁଧାକର ବିଷୋୟୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପାତ୍ରପୁର ତାଲୁକ ଆଇନ ସେବା ପ୍ରାଧିକାରଣ ଓ ସାମନ୍ତିଆପଲ୍ଲୀ ବନ ବିଭାଗର କର୍ମକର୍ତ୍ତା ମିଳିତ ଭାବେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments are closed.