ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ । ସୁଷମ ଖାଦ୍ୟ, ସ୍ୱଚ୍ଛ ଜଳ ଏବଂ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ । ଏହାବ୍ୟତୀତ ଉଦ୍ଭିଦ ଜଗତର ଔଷଧୀୟ ମୂଲ୍ୟକୁ ଆମେ ବିଭିନ୍ନ ସମୟରେ, ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ଭଲ ଭାବରେ ଉପଲବ୍ଧ କରିପାରିଛୁ । ସେଥିପାଇଁ ରାଜ୍ୟବାସୀ ନିଜର ଘର, ଜମି କିମ୍ବା ଆଖପାଖ ଅଞ୍ଚଳରେ ଥିବା ଖାଲି ଜାଗାରେ ଅଧିକରୁ ଅଧିକ ଚାରା ରୋପଣ କରି ତାହାର ଯତ୍ନ ନେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୭୨ତମ ବନ ମହୋତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ବୃକ୍ଷରୋପଣର ଗୁରୁତ୍ୱ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମୌସୁମୀ ପ୍ରାରମ୍ଭରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଉଛି । କୋଭିଡ ମହାମାରୀ ସମୟରେ ମଧ୍ୟ ବୃକ୍ଷ ଆମ ପାଇଁ ଅନେକ ସହାୟକ ହୋଇଛି । ପାରମ୍ପରିକ ଔଷଧ ପ୍ରଣାଳୀକୁ ଅନୁଶୀଳନ କରି ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଔଷଧୀୟ ବୃକ୍ଷଗୁଡିକର ବ୍ୟବହାର ବୃଦ୍ଧି ପାଇଛି ।
କୋଭିଡର ଦ୍ୱିତୀୟ ଲହର ଶେଷ ହୋଇନାହିଁ । ଏହା ସହିତ ତୃତୀୟ ଲହରର ସୂଚନା ମଧ୍ୟ ଆସୁଛି । ତେଣୁ ରାଜ୍ୟବାସୀ ଟିକା ନେବା ସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି କୋଭିଡର ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Comments are closed.