ପଞ୍ଚଭୂତରେ ବିଲୀନ ହେଲେ ବାଜପେୟୀ

0

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯଶସ୍ୱୀ କବି, ସଶକ୍ତ ସାମ୍ବାଦିକ, ରାଜନୀତିର ‘ଭୀଷ୍ମ ପିତାମହ’, ‘ଅଜାତଶତ୍ରୁ’, ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଅନ୍ତିମ ସତ୍କାର ରାଷ୍ଟ୍ରୀୟ ସମ୍ମାନ ସହ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷ ହୋଇଛି। ଏହାସହ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ଅନ୍ତିମ ସତ୍କାର ସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‍ କାରଜାଇ, ପାକିସ୍ତାନର କାର୍ଯ୍ୟକାରୀ ଆଇନ୍‍ ମନ୍ତ୍ରୀ ସୟଦ ଅଲି ଜାଫର, ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି, ଶ୍ରୀଲଙ୍କା କାର୍ଯ୍ୟକାରୀ ଆଇନ୍‍ ମନ୍ତ୍ରୀ ଲକ୍ଷ୍ଣଣ କିରିଏଲା, ଭୁଟାନ ନରେଶ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍‍, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଶୁକ୍ରବାର ଦିନ ୧ଟାରେ ବିଜେପି ଦଳୀୟ କାର୍ଯ୍ୟାଳୟରୁ ବାଜପେୟୀଙ୍କ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ଅଣାଯାଇଥିଲା। ସେଠାରେ ଅନ୍ତିମ ସତ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଙ୍କ ପାଳିତା କନ୍ୟା ନମିତା ମୁଖାଗ୍ନି ଦେଇଥିଲେ। ଶୋଭାଯାତ୍ରାରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ‘ବାଜପେୟୀ ଅମର ରହେ’ ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚିବା ପରେ ସେଠାରେ ତିନି ସେନା ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଓ ସାର୍କ ରାଷ୍ଟ୍ର ମୁଖ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉଲ୍ଲେଖଯେଗ୍ୟ ଯେ ଗୁରୁବାର ସନ୍ଧ୍ୟା ୫ଟା ୫ମିନିଟରେ ୯୩ବର୍ଷ ବୟସରେ ବାଜପେୟୀ ସ୍ଥାନୀୟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମରଶରୀରକୁ ସନ୍ଧ୍ୟା ୭ଟାରେ ଏମ୍ସରୁ ତାଙ୍କ କୃଷ୍ଣମେନନ ମାର୍ଗସ୍ଥିତ ବାସଭବନକୁ ନିଆଯାଇଥିଲା। ଶୁକ୍ରବାର ସକାଳେ ସେଠାରେ ୧୦ଟା ବେଳେ ମରଶରୀରକୁ ବିଜେପି ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ବହୁ ରାଜନେତା, ପ୍ରଶାସକ, ସାଧାରଣ ଲୋକ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଜପାୟୀଙ୍କ ପରଲୋକରେ କେନ୍ଦ୍ର ସରକାର ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଏହି ସମୟ ମଧ୍ୟରେ କୌଣସି ଉତ୍ସବାନୁଷ୍ଠାନ ହୋଇପାରିବ ନାହିଁ। ବାଜପେୟୀଙ୍କ ମୃତ୍ୟୁରେ ଶୁକ୍ରବାର ଦିନ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ବିହାର, ଆସାମ, ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଥିଲା।
ପଣ୍ଡିତ ଜବାହରଲାଲ ନେହେରୁଙ୍କ ପରେ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ହେବାରେ ବାଜପେୟୀ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି। ସେ ଦଶ ଥର ଲୋକସଭା ଓ ଦୁଇ ଥର ରାଜ୍ୟସଭାର ସାଂସଦ ଥିଲେ । ବାଜପାୟୀ ପୂର୍ଣ୍ଣ ୫ବର୍ଷ ଶାସନ କରିବାରେ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ। ଏଥିସହିତ ସଫଳ ମେଣ୍ଟ ରାଜନୀତିର ଶ୍ରେଷ୍ଠ ବିନ୍ଧାଣୀ ଭାବେ ସେ ପରିଚିତ। ଅପୂର୍ବ ବାକ୍‍ଚାତୁରୀ, କବିତା, ଆବେଗପୂର୍ଣ୍ଣ ବ୍ୟକ୍ତିତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ପାଇଁ ସେ ବେଶ୍‍ ଲୋକପ୍ରିୟ। ସ୍ୱଳ୍ପକାଳର ଶାସନ ମଧ୍ୟରେ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା, ପରମାଣୁ ପରୀକ୍ଷା ଇତ୍ୟାଦି ପାଇଁ ଭାରତବାସୀଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହିବେ। ସେ ୭ଟି କବିତା ପୁସ୍ତକ ସହିତ ମୋଟ ୨୧ଟି ପୁସ୍ତକର ରଚୟିତା। ବାଜପେୟୀଙ୍କ ପରଲୋକରେ ଗୋଟିଏ ଯୁଗର ଅବସାନ ଘଟିଛି ଓ ଭାରତୀୟ ରାଜନୀତିରେ ଏକ ବଡ଼ ଶନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଅନେକ ରାଜନେତା ମତବ୍ୟକ୍ତ କରିଛନ୍ତି।

Leave A Reply