ବାଜପେୟୀଙ୍କ ହୃଦୟରେ ଓଡ଼ିଶା ପ୍ରତି ସ୍ବତନ୍ତ୍ର ସ୍ଥାନ ଥିଲା : ନବୀନ

0

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଭରତ ରତ୍ନ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଦକ୍ଷ ରାଜନେତା ଓ ଯଶସ୍ବୀ କବି। ଓଡ଼ିଶା ପ୍ରତି ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଥିଲା। ବାଜପେୟୀଙ୍କ ପରଲୋକ ଏକ ଜାତୀୟ କ୍ଷତି । ବିଶେଷ କରି ଏହା ମଧ୍ୟ ମୋ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ସର୍ବଦଳୀୟ ତଥା ସର୍ବଧର୍ମ ପ୍ରାର୍ଥନା ସଭାରେ ଶ୍ରୀ ପଟ୍ଟନାୟକ ଏହି ବକ୍ତବ୍ୟ ଦେଇଛନ୍ତି। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ, ବାଜପେୟୀଙ୍କ ପରଲୋକରେ ଏକ ଯୁଗର ଅବସାନ ଘଟିଲା ବୋଲି କହିଛନ୍ତି।

ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଏହି ସ୍ମୃତି ସଭାରେ ଯୋଗ ଦେଇ ବାଜପେୟୀଙ୍କୁ  ଭାରତୀୟ ରାଜନୈତିକ ଧ୍ରୁବତାରା ବୋଲି ବର୍ଣ୍ଣନା କରିଥିଲେ। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ପୂଜାରୀ ଭାବେ ସେ ଗଣତନ୍ତର ସୁରକ୍ଷା ପ୍ରତି ଯତ୍ନବାନ ଥିଲେ ବୋଲି କହିଥିଲେ। କ୍ଷମତା ଅପେକ୍ଷା ସମ୍ବିଧାନ ଓ ଦେଶର ସୁରକ୍ଷା ତାଙ୍କ ପ୍ରତି ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ବାଜପେୟୀ  କ୍ଷମତାରେ ରହି ମଧ୍ୟ କ୍ଷମତାଠାରୁ ଦୂରରେ ଥିଲେ ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ବର୍ଗତ ବାଜପେୟୀଙ୍କୁ ରାଜନୀତିର ଅଜାତଶତ୍ରୁ ଭାବେ ବର୍ଣ୍ଣନା କରି ତାଙ୍କ ଭାଷଣ ସମସ୍ତଙ୍କୁ ବେଶ ଆକର୍ଷିତ କରେ ବୋଲି କହିଥିଲେ। ବାଜପେୟୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଂପର୍କ ଓ ପଶ୍ଚିମ ଓଡ଼ିଶାର ମରୁଡି ସମୟରେ ବାଜପେୟୀଙ୍କ ସାହାଯ୍ୟ ବିଷୟରେ ସ୍ମୃତିଚାରଣ କରିଥିଲେ।

ଏହି ସର୍ବଦଳୀୟ ତଥା ସର୍ବଧର୍ମ ପ୍ରାର୍ଥନା ସଭାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ।

Leave A Reply