ମହୋଦଧିରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ

0
ଭୁବନେଶ୍ୱର/ପୁରୀ :‘ଜବ୍‍ ତକ ସୁରଜ ଚାନ୍ଦ ରହେଗା-ତବ୍‍ତକ ଅଟଳଜୀ କା ନାମ ରହେଗା’ ଏବଂ ‘ଅଟଳ ଜୀ ଅମର ରହେ’ ଧ୍ବନିରେ ହଜାର ହଜାର ବାଜପେୟୀପ୍ରେମୀ ଗୁରୁବାର ବିଜେପି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ୧ବାହାରି ଅଟଳଜୀଙ୍କ ଅସ୍ଥି କଳସ ଧରି ପୁରୀ ମହୋଦଧି ଅଭିମୁଖେ ଯାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳଜୀଙ୍କ ବିଶାଳ ଶୋଭାଯାତ୍ରା ଏକ ସୁସଜ୍ଜିତ ଗାଡିରେ ରାଜଧାନୀ ଅତିକ୍ରମ କରୁଥିବାବେଳେ ବିପୁଳ ଜନତା ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଥିଲେ। ଗୁରୁବାର ପୂର୍ବାହ୍ନରେ ଅଟଳଜୀଙ୍କ ଉପଲକ୍ଷେ ଏହିଭଳି ଭାବେ ଭାବବିହ୍ୱଳ ଚିତ୍ର ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅଟଳଜୀଙ୍କ ଅସ୍ଥିକଳସ ବିସର୍ଜନ ଶୋଭାଯାତ୍ରା ରାଜମହଲ ଛକ, ଧଉଳି ଛକ, ଉତ୍ତରାଛକ, ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାଇକିଆ, ସାକ୍ଷୀଗୋପାଳ, ବୀର ଗୋବିନ୍ଦପୁର, ବୀର ପ୍ରତାପପୁର, ଚନ୍ଦନପୁର, ଅଠରନଳା, ସିଂହଦ୍ୱାର ବେଢ଼ା ପରିକ୍ରମା କରି ଦୋଳମଣ୍ଡପ ସାହି, ମୋଚି ସାହି, କଚେରୀ ଛକ ଦେଇ ମହୋଦଧିରେ ବିସର୍ଜନ କରାଯାଇଛି। ରାସ୍ତାରେ ବିଭିନ୍ନ ଛକ ଓ ବଜାରରେ ଶହ ଶହ ସଂଖ୍ୟାରେ ଅଟଳପ୍ରେମୀ ପୁଷ୍ପଗୁଚ୍ଛ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସର୍ବଧର୍ମ ଏବଂ ସର୍ବ ଦଳ ନିର୍ବିଶେଷରେ ଅଟଳଜୀଙ୍କ ଅସ୍ଥି କଳସକୁ ଶେଷ ଦର୍ଶନ କରିବା ପାଇଁ ବିପୁଳ ଜନସମାଗମ ହୋଇଥିଲା। ଏପରିକି ସ୍କୁଲ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରିୟ ନେତା ତଥା ମହାନ ଜନନାୟକ ସ୍ୱର୍ଗତ ଅଟଳଜୀଙ୍କ ଶୋଭାଯାତ୍ରାରେ ସାମିଲ ହୋଇ ସ୍ମୃତିଚାରଣ କରିଥିଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ପୂର୍ବାହ୍ନରେ ଦଳୀୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ରଘୁନାଥ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଧାୟକ ଦଳ ନେତା କେ.ଭି ସିଂହଦେଓ,ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢୀ, ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ପୂର୍ବତନ ସାଂସଦ ଓ ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ଏବଂ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ମାଲ୍ୟାର୍ପଣ କରିଥିଲେ। ପରେ ବାଜପେୟୀଙ୍କ ଚିତାଭସ୍ମକୁ ପୁରୀ ମହୋଦଧିରେ ବୈଦିକ ରୀତି ନୀତି ଅନୁଯାୟୀ ବିସର୍ଜନ କରାଯାଇଥିଲା।
ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ଏହି ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳ ତରଫରୁ ନିବେଦନ କରାଯାଇଛି। ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରା ଉପରକୁ ଅଣ୍ଡାମାଡ଼ ଅଭିଯୋଗ ହୋଇଛି। ଚନ୍ଦନପୁର ବଜାରରେ ଗୁରୁବାର ଏପରି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଅଣ୍ଡାମାଡ଼ କରିଥିବା ଯୁବକଙ୍କୁ କେତେକ ବିଜେପି କର୍ମୀ ନିସ୍ତୁକ ମାଡ଼ ମାରିଛନ୍ତି। ଶୋଭାଯାତ୍ରା ଚନ୍ଦନପୁର ବଜାର ଦେଇ ଯିବାବେଳେ ସ୍ଥାନୀୟ ଜଣେ ଯୁବକ ଅଣ୍ଡା ଫିଙ୍ଗିଥିଲେ। ସେ ବିଜୁ ଜନତା ଦଳ କର୍ମୀ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି। ଚିତାଭସ୍ମ ଶୋଭାଯାତ୍ରାକୁ ସମ୍ମାନ ଦେବା ପରିବର୍ତ୍ତେ ବିଜେଡି ଅସମ୍ମାନ କରିଥିବା ସେମାନେ ପ୍ରକାଶ କରିଛନ୍ତି।
Leave A Reply