ଭକ୍ତି ଓ ଆଧ୍ୟାତ୍ମିକର ଅନନ୍ୟ ପୀଠ ବୈଷ୍ଣୋଦେବୀ; ପର୍ଯ୍ୟଟନ ବିଭାଗର ଦୃଷ୍ଟି ନାହିଁ

ରାଉରକେଲା : ଓଡ଼ିଶାର ମା ବୈଷ୍ଣୋଦେବୀ ପୀଠ । ରାଉରକେଲାର ଗୋପବନ୍ଧୁପାଲୀ ପାହାଡ଼ ଉପରେ ଥିବା ଏହି ମନ୍ଦିର ଭକ୍ତଙ୍କ ପାଇଁ ଅନନ୍ୟ ପୀଠ ଭାବେ ପରିଚିତ । କରେନା ପାଇଁ ମନ୍ଦିର ବନ୍ଦ୍ ଥିବା ବେଳେ ଏବେ କରୋନା ଗାଇଡଲାଇନକୁ ନେଇ ବହୁ ମାସ ପରେ ଖୋଲିଛି । ପୁଣି ଭକ୍ତଙ୍କୁ ନେଇ ଏହି ଆଧ୍ୟାତ୍ମିକ ପୀଠ ଚଳଚଞ୍ଚଳ ହୋଇ ପଡ଼ିଛି । ମା’ଙ୍କର ଏହି ପୀଠ ଜାମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିର ପ୍ରତିକୃତିରେ ରହିଛି । ୧୯୯୬ରେ ଏହି ପ୍ରାକୃତିକ ଗୁମ୍ପାରେ ମା’ଙ୍କର ଦର୍ଶନ ମିଳିଥିଲା। ପୂଜକ ଅଶୋକ ପଣ୍ଡିତଙ୍କ କହିବା ଅନୁଯାୟୀ ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀଙ୍କ ମିଳିତ ରୂପ ହେଉଛନ୍ତି ମା ବୈଷ୍ଣୋଦେବୀ । ଏହି ତ୍ରିଶକ୍ତିଙ୍କର ୨୦୦୩ରେ ପ୍ରତିଷ୍ଠା କରାଯାଇଥିଲା । ପଥର ଗୁମ୍ପା ସମ୍ମୁଖରେ ରହିଛି ମା’ଙ୍କ ଭବନ । ସେଠାରେ ରହିଛି ମା’ଙ୍କ ପ୍ରତିମୂର୍ତି ଓ ହେଉଛି ପୂଜାର୍ଚ୍ଚନା। ଉପରେ ଭୈରୋବାବା ରହିଛନ୍ତି । ପାଖରେ ରହିଛନ୍ତି ସଙ୍କଟମୋଚନ ହନୁମାନ । ୧୦୦୦ ଫୁଟ ଉପରେ ରହିଛି ମନ୍ଦିର । ୭୫୦ ପହାଚ ଚଢିବା ପରେ ପାହାଡ଼ ଉପରେ ଥିବା ମା’ଙ୍କ ଏହି ମନ୍ଦିର ।

ପ୍ରକୃତିର ଅପରୂପ ପରିବେଶରେ ହେଉଛି ପୂଜାର୍ଚ୍ଚନା । ମା’ଙ୍କ ସ୍ନାନ। ନିତ୍ୟ ପୂଜା ପରେ ଆରତୀ ଓ ଭୋଗ ଲାଗି ହୋଇଥାଏ। ଏହା ପରେ ଭକ୍ତ ମା’ଙ୍କର ଦର୍ଶନ କରିଥାନ୍ତି । ବହୁ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । କେବଳ ରାଉରକେଲା ନୁହେଁ ଓଡ଼ିଶା ଏବଂ ଓଡ଼ିଶା ବାହାରର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ନବରାତ୍ରିି ସମୟରେ ମନ୍ଦିରର ଅପରୂପ ଶୋଭା ସହିତ ମା’ଙ୍କର ଦର୍ଶନ ପାଇଁ ଭକ୍ତଙ୍କର ଅସମ୍ଭବ ଗହଳି ପରିଲକ୍ଷିତ ହୋଇଥାଏ। ଏହି ଦର୍ଶନରେ ଭାବବିଭୋର ହୋଇ ପଡ଼ନ୍ତି ଶ୍ରଦ୍ଧାଳୁ। ବରିଷ୍ଠ ନାଗରିକଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କରାଯାଇଥାଉଥିଲା। ଏବେ ସେହି ବ୍ୟବସ୍ଥା ଆଉ ନାହିଁ। ଏହି ମନ୍ଦିର ଉପରୁ ସମଗ୍ର ରାଉରକେଲା ସହରର ଚିତ୍ର ଦେଖାଯାଏ। ଭକ୍ତି ଓ ପ୍ରକୃତିର ଅପୂର୍ବ ସମନ୍ୱୟ ଥିବା ମା’ଙ୍କର ଏହି ଅନନ୍ୟ ପୀଠ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । କିନ୍ତୁ ଏହାର ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ବହୁ ଶ୍ରଦ୍ଧାଳୁ ଏଠାରେ ପହଂଚି ପାରୁନାହାଁନ୍ତି । ବିଶେଷକରି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏଥିପାଇଁ ବିଶେଷ ଦୃଷ୍ଟି ଦେଉଥିବା ପ୍ରତୀୟମାନ ହୁଏ ନାହିଁ । ଏଥିପାଇଁ ସ୍ୱତନ୍ତ୍ର ଏହାର ମୁଖ୍ୟ ପ୍ରବେଶସ୍ଥଳୀ ଥିବା ବିଏସନଏଲ ଛକ ହେଉ କିମ୍ବା ରିଙ୍ଗ୍ ରୋଡ ନିକଟରେ ନାମ ଫଳ କ ଲଗାଇବା ହେଉ କିମ୍ବା ମନ୍ଦିର ପାଦଦେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୌଣସି ଯୋଜନା କରାଯାଉନାହିଁ । ସୁବ୍ୟବସ୍ଥିତ ଯୋଜନା ହାତକୁ ନିଆଗଲେ ତଥା ଏହାର ପ୍ରଚାର ପ୍ରସାର ପାଇଁ ଉପଯୁକ୍ତ ଦୃଷ୍ଟି ଦିଅଗଲେ ଆଧ୍ୟାତ୍ମିକ ପର୍ଯ୍ୟଟନ ପାଇଁ ଏହା ମୁଖ୍ୟ ଆକର୍ଷଣ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ଏହି ପୀଠକୁ ଯାଇଥିବା ରାସ୍ତାର ବିକାଶର ଆବଶ୍ୟକତା ରହିଛି । ଏହାର ପାରିପାର୍ଶିକ ବିକାଶ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ମନ୍ଦିର ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି । ଜିଲାରେ ବିଭିନ୍ନ ସ୍ଥାନରେ ଥିବା ଟ୍ରଷ୍ଟ ସହିତ ମିଳିତ ହୋଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ବିକାଶକମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ଏକ୍ଷେତ୍ରରେ କୌଣସି ଦୃଷ୍ଟି ଦିଆଯାଉନାହିଁ । ସ୍ଥାନୀୟ ପର୍ଯ୍ୟଟନ ବିଭାଗ ଯେପରି ଆଗ୍ରହ ପ୍ରକାଶ କରିବା କଥା, ସେପରି ତତ୍ପରତା ପ୍ରକାଶ କରୁନାହିଁ । ସେହିପରି ପ୍ରଶାସନ ପକ୍ଷରୁ ଏହି ପୀଠ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି ।

Comments are closed.