ଟିକା ଦ୍ବନ୍ଦ୍ବ

କେନ୍ଦ୍ର ସରକାର ଟିକା କ୍ରୟ କରି ରାଜ୍ୟଗୁଡ଼ିକୁ ଯୋଗାଇ ଦିଅନ୍ତୁ ଓ ବର୍ତ୍ତମାନ ପରି ରାଜ୍ୟ ସରକାର ବଣ୍ଟନ ଦାୟିତ୍ବ ତୁଲାନ୍ତୁ

ଆଗାମୀ ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ସମସ୍ତଙ୍କର କୋଭିଡ଼ ଟିକାକରଣ ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ରବିବାର ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଏହା ସ୍ବାଗତଯୋଗ୍ୟ। ଯେ କୌଣସି ଜନମଙ୍ଗଳ ସରକାରଙ୍କର ଏହା ହିଁ କର୍ତ୍ତବ୍ୟ; ତେବେ ଆରମ୍ଭରୁ ହିଁ ଦେଶର ସମସ୍ତ ନାଗରିକଙ୍କୁ ମାଗଣା ଟିକାଦାନ ସମ୍ପର୍କରେ କହିଆସୁଥିବା କେନ୍ଦ୍ର ସରକାର ଏହି ଦାୟିତ୍ବରୁ ଓହରିଯାଇଛନ୍ତି କି? ରାଜ୍ୟଗୁଡ଼ିକ ଯେପରି ନିଜେ କ୍ରୟ କରିବା ଆରମ୍ଭ କରିଛନ୍ତି, ସେଥିରୁ ମନେହେଉଛି ଯେ କେନ୍ଦ୍ର ସରକାର ଏହି ଦାୟିତ୍ବଟିକୁ ସମ୍ପୂର୍ଣ୍ଣ ରୂପେ ରାଜ୍ୟଗୁଡ଼ିକ ଉପରେ ଲଦିଦେବାର ସହଜ ରାସ୍ତା ଆପଣାଇଛନ୍ତି। ସେପରି ହୋଇଥିଲେ ଏହା ଦୁର୍ଭାଗ୍ୟଜନକ। ଇତିମଧ୍ୟରେ ରାଜସ୍ଥାନ ସମେତ ଅନ୍ୟ କେତେକ ରାଜ୍ୟର ସରକାର ମଧ୍ୟ ନିଜ ଖର୍ଚ୍ଚରେ ଟିକାକରଣ କରିବେ ବୋଲି ସ୍ଥିର କରିଛନ୍ତି। ଏକ ଅନୁଧ୍ୟାନକାରୀ ସଂସ୍ଥା ଆକଳନ କରି କହିଛି ଯେ ଏଥିପାଇଁ ରାଜ୍ୟଗୁଡ଼ିକୁ ପ୍ରାୟ ୪୬,୩୨୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଓଡ଼ିଶା ସରକାର ମଧ୍ୟ ୧୮ରୁ ୪୪ ବର୍ଷ ବୟସର ୧ କୋଟି ୯୩ ଲକ୍ଷ ଲୋକଙ୍କ ପାଇଁ ଟିକା କିଣିବେ। କେବଳ ଟିକା ବାବଦରେ ୧୫୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ହିସାବ ଦିଆଯାଇଛି। ତେବେ ଏହି ବ୍ୟୟଭାର ଓଡ଼ିଶା ପରି ରାଜ୍ୟ ପାଇଁ ଆଦୌ କମ୍‌ ନୁହେଁ। କେନ୍ଦ୍ର ସରକାର ନିଜ ପ୍ରତିଶ୍ରୁତି ମୁତାବକ ଯଦି ରାଜ୍ୟକୁ ମାଗଣା ଟିକା ପ୍ରଦାନ କରିଥା’ନ୍ତେ, ଏହି ଅର୍ଥକୁ ରାଜ୍ୟର ଅନ୍ୟ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଇ ପାରିଥାଆନ୍ତା।
ଅପରପକ୍ଷେ, ରାଜ୍ୟ ସରକାର ଟିକା କିଣିଲାବେଳେ ତା’ର ଦର ଉପରେ ଦୃଷ୍ଟି ଦେବା ଆବଶ୍ୟକ। ବର୍ତ୍ତମାନ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ) ଦ୍ବାରା ପ୍ରସ୍ତୁତ କୋଭିଶିଲ୍ଡର ଦାମ୍‌ ଡୋଜ୍‌ ପିଛା ଘରୋଇ ଡାକ୍ତରଖାନା ପାଇଁ ୬୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଭାରତ ବାୟୋଟେକ୍‌ ନିର୍ମିତ କୋଭାକ୍ସିନର ଦାମ୍ ଘରୋଇ ବ୍ୟବହାର ପାଇଁ ୧୨୦୦ ଟଙ୍କା ଓ ରାଜ୍ୟଗୁଡ଼ିକ ପାଇଁ ୬୦୦ ଟଙ୍କା ରଖାଯାଇଛି। ସଂପୂର୍ଣ୍ଣ ରୂପେ ଭାରତରେ ତିଆରି ବୋଲି ଗର୍ବ କରାଯାଉଥିବା କୋଭାକ୍ସିନ୍‌ର ଦାମ୍‌ ଏତେ ଅଧିକ କାହିଁକି ବୋଲି ଏବେ ପ୍ରଶ୍ନ ଉଠିଛି। ସେହିପରି ତୁଳନାତ୍ମକ ଭାବେ କୋଭିଶିଲ୍ଡର ରାଜ୍ୟ ପାଇଁ ଧାର୍ଯ୍ୟ ଦର ୪୦୦ ଟଙ୍କା ମଧ୍ୟ ଆମେରିକା, ବ୍ରିଟେନ, ଇଉରୋପ, ସାଉଦି ଆରବ ଆଦି ଦେଶଠାରୁ ବହୁତ ଅଧିକ। ଏ ସମ୍ପର୍କରେ ଦୁଇଦିନ ତଳେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଦୃଷ୍ଟି ଆକର୍ଷଣ କରିବାପରେ ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତାଙ୍କ ଟୁଇଟ୍‌ର ଉତ୍ତର ଦେଇ କହିଛି ଯେ କେନ୍ଦ୍ର ସରକାର ଉଭୟ ଟିକାକୁ ଡୋଜ୍‌ ପିଛା ୧୫୦ ଟଙ୍କାରେ କିଣିବାକୁ ଚୁକ୍ତି କରିଛନ୍ତି। ଏହାର ଅର୍ଥ ହେଲା, ସିଆଇଆଇ ସେହି ସମାନ ଟିକା ପାଇଁ ତିନି ପ୍ରକାରର ଦାମ୍‌ ନେବାକୁ ସ୍ଥିର କରିଛି। ଏହି ସଂସ୍ଥା ହିଁ ସ୍ବୀକାର କରିଥିଲା ଯେ କୋଭିଶିଲ୍ଡ ଟିକା ଡୋଜ୍‌ ପିଛା ୧୫୦ ଟଙ୍କାରେ ବିକ୍ରି କଲେ ମଧ୍ୟ ଲାଭ ହେବ। ଏପରି ବିସଙ୍ଗତି କାହିଁକି? କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ସମାନ ଟିକା କିଣିବା ପାଇଁ କାହିଁକି ଡୋଜ୍‌ପିଛା ୨୫୦ ଟଙ୍କା ଅଧିକ ଦେବେ? ଓଡ଼ିଶା ସରକାର ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ସଂପୃକ୍ତ ଟିକା ନିର୍ମାତା ସଂସ୍ଥା ସହ ଆଲୋଚନା କରିବା ଉଚିତ।
କେନ୍ଦ୍ର ସରକାର ପୂର୍ବରୁ ଦେଶର ସଭିଙ୍କ ପାଇଁ ମାଗଣା ଟିକା ପ୍ରଦାନ କରିବେ ବୋଲି କହିଥିବାରୁ ରାଜ୍ୟଗୁଡ଼ିକ କେବଳ ବଣ୍ଟନ ଦାୟିତ୍ବ ବୁଝିବେ ବୋଲି ଆଶା କରାଯାଉଥିଲା; କିନ୍ତୁ ଏବେ କେନ୍ଦ୍ର ଏହି କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ରାଜ୍ୟଗୁଡ଼ିକ ଉପରେ ଛାଡ଼ିଦେବା ପରି ଲାଗୁଛି। ମନେ ପକାଇ ଦିଆଯାଇପାରେ ଯେ ଗତ ୧ ଫେବୃଆରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ଯେଉଁ କେନ୍ଦ୍ରୀୟ ଆୟବ୍ୟୟ ହିସାବ (ବଜେଟ) ଉପସ୍ଥାପନ କରିଥିଲେ, ସେଥିରେ କେବଳ ଟିକାପାଇଁ ୩୫,୦୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେବା ସହ ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଅର୍ଥ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା କହିଥିଲେ। ବର୍ତ୍ତମାନ ଏ ସମ୍ପର୍କରେ ପ୍ରଶ୍ନ ଉଠିବା ସ୍ବାଭାବିକ। କେନ୍ଦ୍ର ସରକାର ଯଦି ଟିକାପାଇଁ ଏହି ବିପୁଳ ପରିମାଣର ଅର୍ଥ ମଞ୍ଜୁର କରିଥିଲେ, ତାହା କ’ଣ କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଉଦ୍ଦିଷ୍ଟ ଥିଲା ନା ସାର୍ବଜନୀନ ଟିକାକରଣ ପାଇଁ ଥିଲା? କେନ୍ଦ୍ର ସରକାର ଜନସାଧାରଣଙ୍କୁ ଭୁଆଁ ବୁଲାଉନାହାନ୍ତି ତ? ଏପରି ସଂଶୟର ଆହୁରି ମଧ୍ୟ କାରଣ ରହିଛି। କିଛିଦିନ ତଳେ ହିଁ ଅର୍ଥମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତର ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଟିକା ଯୋଗାଇ ଦେବାପାଇଁ ଅଗ୍ରିମ ଟଙ୍କା ପ୍ରଦାନ କରାଯାଇଛି। ତେଣୁ କେନ୍ଦ୍ର ସରକାରଙ୍କ ଯୋଜନା କ’ଣ ତାହା ବୁଝିବା କଷ୍ଟକର। ଅବଶ୍ୟ ଉପରୋକ୍ତ ଟୁଇଟ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ମାଗଣା ଟିକା ଯୋଗାଣ ଅବ୍ୟାହତ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ତେଣୁ ଟିକା କ୍ରୟ କରିବାର ଦାୟିତ୍ବ ରାଜ୍ୟ ସରକାରଙ୍କର ନା କେନ୍ଦ୍ର ସରକାରଙ୍କର, ସେ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଅବିଳମ୍ବେ ଦୂର ହେବା ଉଚିତ। କେନ୍ଦ୍ର ଟିକା କ୍ରୟ କରି ଯୋଗାଇଦେଉ ଓ ରାଜ୍ୟଗୁଡ଼ିକ ବର୍ତ୍ତମାନ ପରି ବଣ୍ଟନ ଦାୟିତ୍ବ ତୁଲାନ୍ତୁ। ଏହା ହିଁ ଏକ ସଂଘୀୟ ବ୍ୟବସ୍ଥାର ପ୍ରକୃତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବ।

Comments are closed.