ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯

୩ ଲକ୍ଷ ଛୁଇଁଲା ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ, କା ନେଲେଣି ୬ଲକ୍ଷ ୪୦ହଜାର ୭୩୫

‘କୋ-ୱିନ୍’ ପୋର୍ଟାଲକୁ ସରଳୀକରଣ କର
ଭୁବନେଶ୍ୱର : ଦେଶବ୍ୟାପୀ ୬୦ ବର୍ଷରୁ ଅଧିକ ଓ ଅନ୍ୟାନ୍ୟ ଜଟିଳ ରୋଗଥିବା ୪୫ ବର୍ଷରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ, ବିଧାୟକ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିବିଶେଷ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ଓ ସମସ୍ତେ ଟିକାନେଇ କରୋନା ମୂଳୋତ୍ପାଟନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବା ଲକ୍ଷ୍ୟ ରହିଛି।
ଏହି ମର୍ମରେ ଓଡ଼ିଶାରେ ମଧ୍ୟ ସୋମବାରଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୧୧ ହଜାର ୨୮୯ ଜଣ ବରିଷ୍ଠ ନାଗରିକ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇ ରାଜ୍ୟବାସୀଙ୍କୁ ଉତ୍ସାହିତ କରିଛନ୍ତି। ସେହିପରି ବିଭିନ୍ନ ରୋଗଥିବା ୪୫ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଆଜି ୩୦୦ ଜଣ ଟିକା ନେଇଛନ୍ତି। ଆଗାମୀ ଦିନରେ ଟିକାକରଣ ଅଭିଯାନ କୁ ଅଧିକ ତ୍ବରାନ୍ବିତ କରିବା ସହ ଟିକାଦାନ କିଭଳି ଶୃଙ୍ଖଳିତ ହେବ ସେନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି।
ସୋମବାର ଏ ସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ ଓ ମହାନଗର କମିସନରଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ କୋ-ୱିନ୍ ପୋର୍ଟାଲରେ ତଥ୍ୟ ଅପଲୋଡ ପାଇଁ ବରିଷ୍ଠ ନାଗରିକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅ। ଆବଶ୍ୟକ ପଡିଲେ ବରିଷ୍ଠ ନାଗରିକମାନେ ଅଫ୍ ଲାଇନରେ ତଥ୍ୟ ଦେଇ ପାରିବେ। ସେମାନେ ଯେଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନ ପଡେ ତାହାକୁ ଦୃଷ୍ଟି ଦିଅ। ତେବେ ଯେଉଁ ବରିଷ୍ଠ ନାଗରିକ ମାନେ ଟିକା ନେବାକୁ ଅଫ୍ ଲାଇନରେ ତଥ୍ୟ ଦେଉଛନ୍ତି ତାକୁ ପର୍ଯ୍ୟାୟକ୍ରମେ ଅନଲାଇନରେ ଅପଲୋଡ କରିବାକୁ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।
ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ପ୍ରାୟ ୩ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ହୋଇଛି। ୧ ଲକ୍ଷ ୬୫ହଜାର ୧୨୭ ସ୍ବାସ୍ଥ୍ୟକର୍ମୀ ଏବେ ସୁଦ୍ଧା ଦ୍ବିତୀୟ ଡୋଜ ଟିକା ନେଇ ଥିବାବେଳେ ୧ ଲକ୍ଷ ୬୪ହଜାର ୧୧୭ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇ ସାରିଲେଣି। ଆଜି ସୁଦ୍ଧା ଉଭୟେ ଟିକାକରଣ ସଂଖ୍ୟା ୬ଲକ୍ଷ ୪୦ହଜାର ୭୩୫କୁ ଛୁଇଁଛି। ତେବେ ଟିକାକରଣର ଇତିମଧ୍ୟରେ ଦେଢ଼ମାସ ବିତି ଯାଇଥିଲେ ବି ୩୫ ହଜାର ସ୍ବାସ୍ଥ୍ୟ କର୍ମୀ ଟିକା ନେଇନାହାନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ସଂଖ୍ୟା ଆଜି ସୁଦ୍ଧା ୯୦ ପ୍ରତିଶତ ଭିତରେ ଥିବା ଜଣାଯାଇଛି।

Comments are closed.