ପହିଲାରୁ ବୟସ୍କଙ୍କୁ ଟିକାଦାନ: ସରକାରୀ କେନ୍ଦ୍ରରେ ମାଗଣା, ଘରୋଇ କେନ୍ଦ୍ର ପାଇଁ ଅର୍ଥ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ଦେଶରେ କରୋନା ଟିକାକରଣ ଅଭିଯାନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହେବ। ଏହି ପର୍ୟ୍ୟାୟରେ ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଓ ଅନ୍ୟ ଗୁରୁତର ବ୍ୟାଧିଗ୍ରସ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। ଏଭଳି ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଦେଶରେ ୧୦କୋଟିରୁ ଅଧିକ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ସରକାରୀ ଟିକାକରଣ କେନ୍ଦ୍ରରେ ବିନା ମୂଲ୍ୟରେ ଏହି ଟିକା ଦିଆଯିବ। ଏଥିପାଇଁ ୧୦ ହଜାର ସରକାରୀ ଓ ୨୦ ହଜାରରୁ ଅଧିକ ଘରୋଇ ଟିକାକରଣ କେନ୍ଦ୍ରର ଆୟୋଜନ କରାଯାଇଛି; ତେବେ ଘରୋଇ କେନ୍ଦ୍ରରେ ମାଗଣା ବ୍ୟବସ୍ଥା ନାହିଁ। ଘରୋଇ ଟିକାକରଣ କେନ୍ଦ୍ରରେ ଟିକାର ମୂଲ୍ୟ କେତେ ରହିବ ତାହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ସ୍ଥିର କରିବ। କେନ୍ଦ୍ର କ୍ୟାବିନେଟ୍‌ରେ ବୁଧବାର ଗ୍ରହଣ କରାଯାଇଥିବା ଏହି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ କେଉଁ ବ୍ୟକ୍ତି କେଉଁ କେନ୍ଦ୍ରରେ ଟିକା ନେବେ ତାହାର ପଞ୍ଜୀକରଣ କରାଯିବ। ସେମାନେ ନିଜେ ସମ୍ପୃକ୍ତ କେନ୍ଦ୍ର ବା ସ୍ଥାନ ବାଛିପାରିବେ। ସେମାନେ ଏଥିପାଇଁ ସଂଶୋଧିତ ମୋବାଇଲ ଆପ୍‌ର ସହାୟତା ନେଇପାରିବେ। ଟିକାକରଣର ପ୍ରମାଣପତ୍ର କୋ-ୱିନ୍ ଓ ଡିଜିଲକର ଭଳି ସରକାରୀ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ ବୋଲି ପ୍ରକାଶ କହିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଫେବୃଆରୀ ୨୪ ମଧ୍ୟରେ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ଓ ୧୪ ଲକ୍ଷ ଲୋକ ଟିକାର ଦ୍ୱିତୀୟ ଡୋଜ ନେଇଥିବା ପ୍ରକାଶ ସୂଚନା ଦେଇଛନ୍ତି।

ଅପରପକ୍ଷରେ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଓ ଭୂତାଣୁର ନୂଆ ରୂପକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରିଛି। ଏହାର ଅନୁଧ୍ୟାନ ସହିତ ଆବଶ୍ୟକ ପଦକ୍ଷେପ ଗହଣ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ପ୍ରଭାବିତ ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି। ଏହି ଦଳରରେ ବିଭିନ୍ନ ବିଭାଗର ତିନି ଜଣ ବିଶେଷଜ୍ଞ ସ୍ଥାନ ପାଇଛନ୍ତି। ସେମାନେ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାତ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ। ସେମାନେ କରୋନା ସଂକ୍ରମଣ ଲେଉଟିବାର କାରଣ ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ରାଜ୍ୟ ପ୍ରଶାସନକୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନାରେ ସହାୟତା କରିବେ। ଏତଦ୍‌ବ୍ୟତୀତ କରୋନା ପରିଚାଳନାରେ ଅଦ୍ୟାବଧି ମିଳିଥିବା ସୁଫଳ ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଆରଟି-ପିସିିଆର ପରୀକ୍ଷା ହାର ବଢ଼ାଇବା ପାଇଁ ସେମାନେ ଉଦ୍ୟମ କରିବେ। ସର୍ବାଧିକ ସଂକ୍ରମଣ ହେଉଥିବା ୭ ରାଜ୍ୟ ଉପରେ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚିଠିଲେଖି ଆରଟି-ପିସିଆର ପରୀକ୍ଷା ଯୁଦ୍ଧକାଳୀନ ଭିତ୍ତିରେ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.