୧୨ରୁ ୧୮ ବର୍ଷ ପିଲାଙ୍କ ହେବ ଟିକାକରଣ, ଜରୁରୀ ବ୍ୟବହାର ଅନୁମତି ମାଗିଲା ଜାଇଡସ୍ କାଡିଲା

ନୂଆଦିଲ୍ଲୀ: ବାରବର୍ଷରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କରୋନା ଟିକା। ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରେ ଜାଇଡସ କାଡିଲା କମ୍ପାନୀ ପକ୍ଷରୁ ଦେଶରେ ଟିକାର ଜରୁରାକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)କୁ ଆବେଦନ କରି ଅନୁମତି ଲୋଡିଛି। ୧୨ ବର୍ଷ ଏବଂ ଏହାଠୁ ଅଧିକ ବୟସ୍କ ଶିଶୁଙ୍କୁ ଏହି ଟିକା ଦିଆଯାଇପାରିବ। ପୂର୍ବରୁ ୨୮ ହଜାର ଶିଶୁଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଏହାର ତିନୋଟି ପାନ (ଡ଼ୋଜ୍‌) ନେବାକୁ ପଡ଼ିବ। ଗୁଜରାଟର ଏହି କମ୍ପାନୀ କରୋନାର ଦ୍ୱିତୀୟ ଲହର ବେଳେ ଏହାର ତୃତୀୟ ପର୍ଯ୍ୟାୟ ଏହି ପରୀକ୍ଷଣ କରିଥିଲା। ବିଶେଷକରି ଡେଲଟା ପ୍ଲସ ଭୂତାଣୁ ପ୍ରକରଣ (ଭ୍ୟାରିଆଣ୍ଟ)କୁ ଏହି ଟିକା ପ୍ରତିହତ କରିପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ଡିସିଜିଆଇ ଅନୁମତି ମିଳିଲେ ଦେଶରେ ଏହା ୫ମ କରୋନା ଟିକା ହେବ। ଲକ୍ଷଣ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକାର ସଫଳତା ହାର ୬୬.୬ ପ୍ରତିଶତ ଥିବାବେଳେ ମଧ୍ୟମ ଧରଣର ଆକ୍ରାନ୍ତଙ୍କ ପାଇଁ ଏହା ୧୦୦ ପ୍ରତିଶତ କାମ କରିବ ବୋଲି କମ୍ପାନୀ ଦାବି କରିଛି। ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି। ଅନ୍ୟପକ୍ଷରେ ଜାଇଡସ୍‌ କାର୍ଡିଲା ଛୁଞ୍ଚିବିହୀନ ଟିକା ପାଇଁ ତା’ର ପ୍ରସ୍ତୁତି ଚଳାଇଥିବା ଜଣାପଡିଛି।

Comments are closed.