ରାଜ୍ୟରେ ୬ଲକ୍ଷ ୬୯ହଜାରଙ୍କୁ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାକରଣ ଅଭିଯାନ ଏବେ ଦ୍ରୁତ୍ ଗତିରେ ଚାଲିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ବରିଷ୍ଠ ନାଗରିକଙ୍କ ଟିକାକରଣ ଅଭିଯାନର ଦୁଇ ଦିନ ମଧ୍ୟରେ ୩୨ହଜାର ୨୪୧ଜଣ ଟିକା ନେଇ ସାରିଲେଣି। ଗତକାଲି ବିଧାନସଭାରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ଅରବିନ୍ଦ ଢ଼ାଲି ପ୍ରମୁଖ ଟିକା ନେଇଛନ୍ତି। ଦୁଇଦିନ ମଧ୍ୟରେ ବିଧାନସଭାରେ ପ୍ରାୟ ୪୦ଜଣଙ୍କୁ ଟିକାଦାନ କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ବିଧାନସଭାରେ ୨୦ଜଣଙ୍କୁ ଟିକାକରଣ କରାଯିବାକୁ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ ହାର ୯୦ପ୍ରତିଶତ ଛୁଇଁଛି। ଇତିମଧ୍ୟରେ ୩ଲକ୍ଷ ୩୧୦ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବାବେଳେ ୧ଲକ୍ଷ ୬୫ହଜାର ୭୨୧ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ୍ ଟିକା‌ ନେଇଛନ୍ତି। ଏହାବାଦ୍ ୪୫ବର୍ଷରୁ ୫୯ ବର୍ଷ ମଧ୍ୟରେ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଥିବା ୧୦୭୪ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଇତିମଧ୍ୟରେ ସବୁପ୍ରକାର ଟିକାକରଣକୁ ମିଶାଇ ୬ଲକ୍ଷ ୬୮ହଜାର ୪୯୮ଜଣଙ୍କୁ ଟିକାକରଣ କରାଯାଇଛି। ସୋମବାର ୧୧ହଜାର ୨୮୯ ବରିଷ୍ଠ ନାଗରିକ ଟିକା ନେଇଥିବାବେଳେ ମଙ୍ଗଳବାର ୨୦ହଜାର ୯୫୨ଜଣଙ୍କୁ ମିଶାଇ ସଂଖ୍ୟା ୩୨ହଜାର ୨୪୧କୁ ଛୁଇଁଛି।

ଗତକାଲି ୪୦୮ ସ୍ବାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ଲକ୍ଷ୍ୟହାର ୧୦୧ ପ୍ରତିଶତକୁ ଛୁଇଁଛି। ସେହିପରି ୪୦୨୫ଜଣ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ ଏବଂ ୧୬୦୪ଜଣ କୋଭିଡ଼ ଯୋଦ୍ଧା ପ୍ରଥମ ଡୋଜ ନେଇଛନ୍ତି। ୪୫ବର୍ଷରୁ ୫୯ବର୍ଷ ମଧ୍ୟରେ ୭୭୪ଜଣ ଟିକା ନେବାପରେ ସେମାନଙ୍କ ସଂଖ୍ୟା ୧୦୭୪ରେ ପହଞ୍ଚିଛି। ଅଦ୍ୟାବଧି କୌଣସିଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.