ଆଜି ୭୨୦ କେନ୍ଦ୍ରରେ ଟିକାକରଣ, ସୁବର୍ଣ୍ଣପୁରରେ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପାନ ଅପେକ୍ଷାରେ ଥିବା ପ୍ରାୟ ୨୩ ଲକ୍ଷ ହିତାଧିକାରୀଙ୍କୁ ୮୪ ଦିନ ଅପେକ୍ଷା କରିବାକୁ ନିର୍ଦେଶନାମା ଜାରି ପରେ ଟିକାକରଣ ନୂଆମୋଡ଼ ନେଇଛି। ଯାହାକୁ ନେଇ ଗତକାଲି ୨୬୫ଟି ଟିକାକରଣ କେନ୍ଦ୍ର କରାଯାଇଥିବା ବେଳେ ଆଜି ରାଜ୍ୟର ୭୨୦ କେନ୍ଦ୍ରରେ ଟିକାକରଣ କରାଯିବ ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆଜି କେବଳ ସୁବର୍ଣ୍ଣପୁରକୁ ବାଦ୍‍ ଦେଇ ଅନ୍ୟ ସମସ୍ତ ଜିଲାରେ ଟିକାକରଣ ହେବ।

ଏବେ ରାଜ୍ୟ ସରକାରଙ୍କ ପାଖରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ନିଜସ୍ୱ ‘କୋଭିସିଲ୍‌ଡ’ ଟିକା ୩ ଲକ୍ଷ ୭୨ ହଜାର ୫୩୦ ପାନ ରହିଥିବା ବେଳେ ୫୫ ହଜାର ୯୪୦ ପାନ ‘କୋଭାକ୍ସିନ୍‍’ ଟିକା ରହିଛି। ଏହାବାଦ୍‍ ଭାରତ ସରକାରଙ୍କ ପ୍ରଦତ୍ତ ‘କୋଭାକ୍ସିନ’ ଟିକା ୩ ଲକ୍ଷ ୩୮ ହଜାର ୯୧୦ ଏବଂ ୧ ଲକ୍ଷ ୮୧ ହଜାର ୬୨୦ ‘କୋଭିସିଲ୍‌ଡ’ ଟିକା ରହିଛି। ରାଜ୍ୟରେ ଗତକାଲି ସୁଦ୍ଧା ୬୭ ଲକ୍ଷ ୨୩ ହଜାର ୬୯୧ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ସର୍ବାଧିକ ସଂଖ୍ୟା ୪୫ ବର୍ଷରୁ ଊର୍ଦ୍ଧ୍ବ ୪୪ ଲକ୍ଷ ୩୪ ହଜାର ୪୮୫ ହିତାଧିକାରୀ ପ୍ରଥମ ପାନ ନେଇଥିବା ବେଳେ ୧୦ ଲକ୍ଷ ୨୧ ହଜାର ୫୭୫ ଦ୍ୱିତୀୟ ପାନ ଟିକା ନେଇଛନ୍ତି।

ଏହାବାଦ୍‍ ୩ ଲକ୍ଷ ୨୭ ହଜାର ୧୨୮ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ୨ ଲକ୍ଷ ୭୫ ହଜାର ୯୭୧ ଦ୍ୱିତୀୟ ପାନ ଏବଂ ୨ ଲକ୍ଷ ୪୦ ହଜାର ୪୦୮ କରୋନା ଯୋଦ୍ଧା ପ୍ରଥମ ପାନ ଏବଂ ୧ ଲକ୍ଷ ୬୬ ହଜାର ୪୪୪ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ଏହାବାଦ୍‍ ୧୮ରୁ ୪୪ବର୍ଷ ମଧ୍ୟରେ ୫ମହାନଗର ନିଗମରେ ଚାଲିଥିବା ଟିକାକରଣରେ ଏପର୍ଯ୍ୟନ୍ତ ୧ ଲକ୍ଷ ୫୩ ହଜାର ୬୩୨ ଜଣ ଟିକା ନେଇଛନ୍ତି। ଗତକାଲି ରାଜ୍ୟରେ ୨୬୫ଟି ଟିକାକରଣ କେନ୍ଦ୍ରରେ ୫୦ହଜାର ୯୯୪ଜଣ ଟିକା ନେଇଛନ୍ତି।

Comments are closed.