ଟିକା ନେଲେ ୧.୬୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ

ବଢ଼ୁଛି ଦ୍ବିତୀୟ ପାନ ଟିକାହାର

ଭୁବନେଶ୍ବର : ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଶୁକ୍ରବାର ୧୯୯୨ଟି କେନ୍ଦ୍ରରେ ୧ଲକ୍ଷ ୬୭ହଜାର ୧୮୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୪କୋଟି ୧୩ଲକ୍ଷ ୮୧ହଜାର ୮୨୭ରେ ପହଞ୍ଚିଛି। ରାଜ୍ୟରେ ଏବେ ପର୍ଯ୍ୟାପ୍ତ ଟିକା ମହଜୁଦ୍ ରହିଥିବାବେଳେ ହିତାଧିକାରୀମାନେ ପ୍ରଥମ ପାନ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ପ୍ରଥମପାନ ଟିକା ଯେତିକି ଲୋକ ନେଉଛନ୍ତି ତା’ଠାରୁ ଢ଼େରଗୁଣ ଅଧିକ ଦ୍ବିତୀୟପାନ ଟିକା ନେଉଛନ୍ତି। ତଥାପି ରାଜ୍ୟ ସରକାରଙ୍କ ପାଖରେ ଏବେ ୬୦ଲକ୍ଷରୁ ଊର୍ଦ୍ଧ୍ବ ଟିକା ମହଜୁଦ୍ ରହିଛି।
ସୂଚନା ଅନୁଯାୟୀ ଆଜି ଜଣେ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପାନ ଟିକା ନେଇଥିବାବେଳେ ୬୮୯ଜଣ ଦ୍ବିତୀୟପାନ, ଜଣେ କରୋନା ଯୋଦ୍ଧା ପ୍ରଥମ ପାନ ନେଇଥିବାବେଳେ ୩୨୪ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ତେବେ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କ ପ୍ରଥମ ପାନ ଶତପ୍ରତିଶତ ଛୁଇଁଥିବାରୁ ଏହି ହାର କମ୍ ରହିଥିଲେ ହେଁ ଯୁବବର୍ଗ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ମଧ୍ୟ ପ୍ରଥମ ପାନ ଟିକା ହାର କମ୍ ରହିଛି। ଆଜି ୩୮ହଜାର ୪୬୦ଜଣ ଯୁବବର୍ଗ ପ୍ରଥମ ପାନ ଟିକା ନେଇଥିବାବେଳେ ୭୦ହଜାର ୮୮୦ଯୁବକ ଦ୍ବିତୀୟପାନ ଏବଂ ୨୦ହଜାର ୭୩୬ଜଣ ୪୫ବର୍ଷରୁ ଊର୍ଦ୍ଧ୍ବବର୍ଗର ଟିକା ନେଇଥିବାବେଳେ ୩୬ହଜାର ୯୬ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ସେହିପରି ଆଜିର ଟିକାଦାନ ପରେ ଗର୍ଭବତୀଙ୍କ ଟିକାକରଣ ସଂଖ୍ୟା ୩ଲକ୍ଷ ୨୫ହଜାର ୫୭୭କୁ ଛୁଇଁଛି।

Comments are closed.