ଆଜିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା

୯୩୯ ଟିକାକରଣ କେନ୍ଦ୍ର ପ୍ରସ୍ତୁତ, ୮ ପରେ ଦଶମ ଓ ୧୧ ପରେ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ଟିକା

୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ୧୫ରୁ ୧୮ବୟସର କିଶୋର, କିଶୋରୀଙ୍କୁ ଆଜି (ସୋମବାର) ଠାରୁ କରୋନା ଟିକା ଦିଆଯିବ। ଏଥିପାଇଁ ହିତାଧିକାରୀଙ୍କ ନାମ ପଞ୍ଜୀକରଣ ଶନିବାର ନୂଆବର୍ଷଠାରୁ ଆରମ୍ଭ ହୋଇଛି। କିଶୋରମାନଙ୍କୁ କେବଳ କୋଭାକ୍ସିନ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ କୁହାଯାଇଛି। ଏ ସମ୍ପର୍କରେ ଟିକା ଦେଉଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେହିପରି କିଶୋରଙ୍କ ଟିକାକରଣ ନିମନ୍ତେ ସ୍ବତନ୍ତ୍ର ଟିକାଗ୍ରହଣ କେନ୍ଦ୍ର ଖୋଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଟିକା ନେବା ପାଇଁ ରବିବାର ସୁଦ୍ଧା ‘କୋୱିନ୍‌ ପୋର୍ଟାଲ୍‌’ରେ ପ୍ରାୟ ୬ ଲକ୍ଷ କିଶୋର, କିଶୋରୀ ନାମ ପଞ୍ଜୀକରଣ କରିଥିବା ଜଣାଯାଇଛି।
୨୦୦୭ ବର୍ଷ ଶେଷ ସୁଦ୍ଧା ଜନ୍ମ ହୋଇଥିବା ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ। ଓଡ଼ିଶାରେ ଏହି ବର୍ଗରେ ୨୩ ଲକ୍ଷ ୬୫ ହଜାର ପିଲାଙ୍କୁ ଟିକାକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ, ସାରା ରାଜ୍ୟରେ ୯୩୯ଟି ଉତ୍ସର୍ଗୀକୃତ ଟିକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହାବାଦ ଅନ୍ୟ ଯେଉଁଠି ଟିକାକରଣ ଚାଲିଛି ସେଠି ମଧ୍ୟ ଏହି ବର୍ଗର ପିଲାଙ୍କୁ ଟିକା ଦିଆଯିବ। ୧ ତାରିଖରୁ ଯେଉଁମାନେ ସଞ୍ଚାର ଜରିଆରେ ପଞ୍ଜୀକରଣ କରିଥିବେ ସେମାନେ ଟିକା ନେଇ ପାରିବେ। ଅନ୍ୟମାନେ ଆସନ୍ତାକାଲିଠାରୁ ସଙ୍ଗେ ସଙ୍ଗେ ଟିକା କେନ୍ଦ୍ରରେ ପଞ୍ଜୀକରଣ (ଅନସ୍ପଟ୍‌ ରେଜିଷ୍ଟ୍ରେସନ୍‌) କରି ଟିକା ନେଇ ପାରିବେ।
ଟିକାଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଆଭାସି ମାଧ୍ୟମରେ ହୋଇଥିଲା। ବୈଠକରେ ପରିବାର କଲ୍ୟାଣ ନିର୍ଦେଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଟିକାଦାନ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ। ପ୍ରଥମ ପାନ ଟିକା ନେବାର ୨୮ରୁ ୪୦ ଦିନ ମଧ୍ୟରେ ଦ୍ବିତୀୟ ପାନ ଟିକା ଦିଆଯିବ। କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ। ଅନ୍ୟ ରୋଗରେ ଅସୁସ୍ଥ ଥିବା ପିଲା ସୁସ୍ଥ ହେବା ପରେ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେବେ।

ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦିଆଯିବ।

ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ। ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟକୁ ଜଣାଇବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସବୁ ଅଧ୍ୟକ୍ଷମାନେ ନିଜ ନିଜ ଜିଲାର ସିଡିଏମଓମାନଙ୍କ ସହ ଯୋଗାଯୋଗ କରି ଟିକାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।
ଟିକାଦାନ ପାଇଁ ଛାତ୍ରଛାତ୍ରୀମାନେ ସଂଚାର ମାଧ୍ୟମରେ କୋୱିନ୍ ପୋର୍ଟାଲ୍‌ରେ ଆଗୁଆ ପଞ୍ଜୀକରଣ କରିପାରିବେ ଅଥବା ଟିକାଦାନ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିପାରିବେ। ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକମାନେ ଟିକାଦାନ ନିମନ୍ତେ ସମସ୍ତ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ ଓ ସମସ୍ତ ଛାତ୍ରଛାତ୍ରୀ ଟିକା ନେବା ସୁନିଶ୍ଚିତ କରିବେ। ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Comments are closed.