ଅଢ଼େଇ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର : ଜାନୁଆରୀ ୧୬ରୁ ଚାଲିଥିବା ଟିକାକରଣ ଅଭିଯାନରେ ଶୁକ୍ରବାର ରାଜ୍ୟ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ ଇତିମଧ୍ୟରେ ଅଢ଼େଇକୋଟି ଟିକାକରଣ ଟପିଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦୈନିକ ଟିକାକରଣ ହାର ଏବେ ୩ଲକ୍ଷ ଭିତରେ ରଖାଯାଇଥିବାବେଳେ ଆସନ୍ତାକାଲିଠାରୁ ଏହି ହାରକୁ ୪.୧୩ ଲକ୍ଷକୁ ବଢ଼ାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ) ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର ନିଗମ ଆୟୁକ୍ତ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ଏନେଇ ଶୁକ୍ରବାର ଏକ ତାଲିକା ସବୁ ଜିଲାପାଳ ଓ ଆୟୁକ୍ତଙ୍କୁ ପ୍ରଦାନ କରିଛନ୍ତି। ଜିଲାକୁ ଦିଆଯାଇଥିବା ଲକ୍ଷ୍ୟଧାର୍ଯ୍ୟ ଅନୁଯାୟୀ ପ୍ରତିଦିନ ୪ଲକ୍ଷ ୧୩ହଜାର ଟିକାକରଣ ହେବା ଦରକାର। ଏହାଦ୍ବାରା କରୋନାର ତୃତୀୟ ଲହରକୁ ମୁକାବିଲା କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟ ଇତିମଧ୍ୟରେ ୧୨.୨ଲକ୍ଷ ଅପଚୟ ଟିକାକୁ ଉପଯୋଗ କରିପାରିଛି। ଆଜି ରାଜ୍ୟର ୮୮୮ଟି କେନ୍ଦ୍ରରେ ୧ଲକ୍ଷ ୭୦ହଜାର ୪୩୫ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟରେ ଟିକାକରଣ ସଂଖ୍ୟା ୨କୋଟି ୫୦ଲକ୍ଷ ୧୧ହଜାର ୨୩୩ରେ ପହଞ୍ଚି ସାରିଛି। ଏଥିମଧ୍ୟରୁ ୧କୋଟି ୮୮ଲକ୍ଷ ୨୧ହଜାର ୭୨ଜଣଙ୍କୁ ପ୍ରଥମ ପାନ ଦିଆଯାଇଥିବାବେଳେ ୬୧ଲକ୍ଷ ୯୦ହଜାର ୧୬୧ଜଣଙ୍କୁ ଦ୍ୱିତୀୟ ପାନ ଟିକା ଦିଆଯାଇଛି। କରୋନା ଟିକା ପାଇଁ ଛୁଞ୍ଚି (ସିରିଞ୍ଜ) ଅଭାବକୁ ଦୂର କରିବା ପାଇଁ ଜିଲାପାଳମାନଙ୍କୁ ରାଜ୍ୟ ଔଷଧ ନିଗମରୁ ଏହା ଉଧାର ନେବାକୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସିରିଞ୍ଜ ଦେବାପରେ ତାକୁ ଔଷଧ ନିଗମକୁ ପଠାଇ ଦିଆଯିବ ବୋଲି ସେ ଦର୍ଶାଇଛନ୍ତି।

Comments are closed.