ପ୍ରଥମ ପାନ ଟିକା ନେବା ପାଇଁ ଲୋକେ ଠେଲା ପେଲା, ଅଧିକ ପରିମାଣର ଟିକା ଯୋଗାଇବା ପାଇଁ ଦାବୀ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକରେ ଚାଲିଥିବା କରୋନା ଟିକା ପ୍ରଥମ ପାନ ନେବା ପାଇଁ ଅନେକ ଜାଗାରେ ଦେଖିବାକୁ ମିଳୁଛି ପ୍ରବଳ ଜନ ଗହଳି ସହ ଠେଲା ପେଲା ଓ ଲମ୍ଭା ଧାଡି । ପୂର୍ବରୁ ଟିକା ନେବା ପାଇଁ ଗାଁ ଗହଳିରେ ଲୋକେ ନାରାଜ ହେଉଥିଲେ କିନ୍ତୁ ବର୍ତ୍ତମାନ ଟିକା ସରିବାକୁ ଆସୁଥିବା ବେଳେ ପ୍ରତ୍ୟକ ଦିନ ୩୦୦ ଶହରୁ ଊର୍ଦ୍ଧ୍ୱ ଲୋକେ ଟିକା ନେବା ପାଇଁ ଦୂର ଦୁରାନ୍ତରରୁ ଆସୁଛନ୍ତି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ । ଆଜିକୁ ୪ ଦିନ ହେଲା କଲ୍ୟାଣ ମଣ୍ଡପ ନିକଟରେ ଟିକାକରଣ କାର୍ୟ୍ୟକ୍ରମ ବନ୍ଦ ରହିଛି। କେବଳ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାରି ରହିଛି ଟିକାକରଣ କାର୍ୟ୍ୟକ୍ରମ। ଦୁଇ ଦିନ ତଳେ ବଡ଼ସିନ୍ଧୁବା ପଞ୍ଚାୟତ ପରିସରରେ ଟିକା ନେବା ପାଇଁ ଗଣ୍ଡ ଗୋଳ ହୋଇଥିଲା । ବୁଝାସୁଝା ପରେ ଲୋକେ ନେଇଥିଲେ ଟିକା । ବର୍ତ୍ତମାନ ପ୍ରଶାସନ ଦିନକୁ ୨ ଶହ ଜଣଙ୍କୁ ଟିକାଦେବା ପାଇଁ ଧାର୍ୟ୍ୟ କରି ଥିବା ବେଳେ ବହୁ ସଂଖ୍ୟକ ଲୋକ ଟିକା ନେବା ପାଇଁ ରୁଣ୍ଢ ହେଉଛନ୍ତି। ଅନ୍ୟାନ୍ୟ ଅଞ୍ଚଳଗୁଡିକରେ ମୋବାଇଲ ଟାୱାର ନଥିବାରୁ ପଞ୍ଜିକୃତ ହୋଇ ପାରୁନି ଟିକା ଆଶାୟୀଙ୍କ ସଂଖ୍ୟା । ଯାହାରି ଫଳରେ ପ୍ରମାଣ ପତ୍ର ମିଳିବାରୁ ଲୋକେ ବଞ୍ଚିତ ହେବାର ଭୟ ମଧ୍ୟ ରହିଛି। ମୋହନା ମେଡିକାଲ ପରିସରରେ ଗୁରୁବାର ସକାଳ ୮ଟାରୁ ଲମ୍ବା ଧାଡି ଲାଗିଥିଲା ଲୋକେ ଟିକା ନେବା ପାଇଁ । ଯାହାରି ମଧ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ଵ ପୁରୁଷ, ମହିଳା ଏବଂ ଗର୍ଭବତୀ ମାଆ ମଧ୍ୟ ରହିଛନ୍ତି । ଟିକା ନେବା ପାଇଁ ଆଶାୟୀ ଲୋକଙ୍କ ସଂଖ୍ୟା ୪ ଶହରୁ ଊର୍ଦ୍ଧ୍ଵ ରହିଥିବା ବେଳେ ଟିକା ଦିଅଗଲା ମାତ୍ର ୨୦୦ଜଣଙ୍କୁ । ଅନ୍ୟମାନେ ନିରାଶ ହୋଇ ଫେରି ଯାଇଥିଲେ ନିଜ ଗ୍ରାମକୁ । ମୋହନା ବ୍ଲକକୁ ଅଧିକ ପରିମାଣରେ ଟିକା ଯୋଗାଇବା ସହ ପ୍ରତ୍ୟେକ ପଞ୍ଚାୟତଗୁଡିକରେ ଟିକା ଦେବା ପାଇଁ କ୍ୟାମ୍ପ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Comments are closed.