ସରକାରଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ଅଭାବ ! ଦୀର୍ଘଦିନ ଧରି ଖାଲିପଡ଼ିଛି ୫ କମିସନରେ ବହୁ ପଦ

ଭୁବନେଶ୍ୱର : ରାଜ୍ୟରେ ପ୍ରଶାସନିକ କାର୍ଯ୍ୟର ତର୍ଜମା କରିବା ସହ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ କମିଶନ ପଦ ସୃଷ୍ଟି କରାଯାଇଛି। ମାତ୍ର ସରକାରଙ୍କ ନଜରରେ ଯୋଗ୍ୟ ବ୍ୟକ୍ତିଙ୍କ ଅଭାବ ଯୋଗୁଁ ରାଜ୍ୟରେ ଦୀର୍ଘଦିନ ଧରି ଏହି ପଦବିଗୁଡିକ ପୂରଣ କରାଯାଉନାହିଁ। ସୂଚନା ଆୟୋଗ(କମିଶନ) ଭଳି ରାଜ୍ୟର ପାଞ୍ଚୋଟି ପ୍ରମୁଖ କମିଶନରେ ୯ଟି ପଦ ଖାଲି ରହିବା ସରକାରୀ ଉଦାସୀନତାକୁ ସୂଚାଉଛି। ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଉଛି। ଖାଲି ସେତିକି ନୁହେଁ କମିଶନରେ ଆବଶ୍ୟକ ପଦ ପୂରଣ ହେଉ ନଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କୁ ତୁରନ୍ତ ପଦ ପୂରଣ କରିବାକୁ ନିର୍ଦେଶ ଦେଇଛି। ରାଜ୍ୟରେ ବହୁ ଯୋଗ୍ୟ ବ୍ୟକ୍ତି ଥିବାବେଳେ କାହିଁକି କମିଶନରେ ପଡ଼ିଥିବା ଖାଲି ପଦ ପୂରଣ କରାଯାଉ ନାହିଁ ତାହା ବୁଝାପଡୁନାହିଁ ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ରାଜ୍ୟ ସୂଚନା ଆୟୋଗରେ ଏବେ ୩ଟି ସଭ୍ୟ ପଦ ଖାଲି ରହିଥିବାବେଳେ ଖାଦ୍ୟ ସୁରକ୍ଷା କମିଶନରେ ଅଧ୍ୟକ୍ଷଙ୍କ ସହିତ ୨ଜଣ ସଭ୍ୟ, ସମବାୟ ନିର୍ବାଚନ ଆୟୋଗ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଜଣେ ସଭ୍ୟ ଏବଂ ଓଡ଼ିଶା ସବଡିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଗୋଟିଏ ପଦ ଖାଲି ରହିଛି। ବିଭିନ୍ନ ରାଜ୍ୟରେ ସୂଚନା ଅଧିକାର ଆୟୋଗରେ ଖାଲି ପଦ ପୂରଣ ନେଇ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଏନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଏକ ଅଭିଯୋଗକ୍ରମେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗ, ଗୁଜରାଟ, କେରଳ, କର୍ଣ୍ଣାଟକ ସରକାରଙ୍କ ସହିତ କେନ୍ଦ୍ର ସରକାରଙ୍କୁ ୪ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ ବି ରାଜ୍ୟ ସୂଚନା ଅଧିକାର ଆୟୋଗରେ ଏବେ ବି ୩ଟି ପଦ ଖାଲି ପଡିଛି।
ସେହିପରି କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ(ଏନ୍‌ଏଫ୍‌ଏସ୍‌ଏ)୨୦୧୩ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ରେ ଖାଦ୍ୟ ସୁରକ୍ଷା ଆୟୋଗ ସୃଷ୍ଟି କରାଯାଇଛି। ପୂର୍ବତନ ଆଇଏଏସ ରଙ୍ଗଲାଲ ଜାମୁଡାଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୧୬ ମେ’ରେ ନିଯୁକ୍ତି ଦିଆଯାଇଥିଲା। ଶ୍ରୀ ଜାମୁଡାଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ୩ବର୍ଷ ପୂରଣ ହେବା ପରେ ସେ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୬ମାସ ଧରି ଖାଦ୍ୟ ସେ ପଦ ଖାଲି ପଡ଼ିଥିଲେ ବି ତାହା ପୂରଣ ହେଉନାହିଁ।
ଓଡ଼ିଶା ସବଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ବହୁଦିନ ଖାଲି ପଡ଼ିବା ପରେ ନିକଟରେ ବରିଷ୍ଠ ଆଇଏଏସ ନୀତିନ ଚନ୍ଦ୍ରଙ୍କୁ ନିଯୁକ୍ତ ଦିଆଯାଇଥିଲା। ମାତ୍ର ୩ଦିନ ତଳେ ଶ୍ରୀ ଚନ୍ଦ୍ରଙ୍କୁ ଉକ୍ତ ପଦରୁ ଅନ୍ୟତ୍ର ବଦଳି କରାଯାଇଥିବାରୁ ଉକ୍ତ ପଦଟି ଖାଲି ପଡିଛି। ସେହିପରି ରାଜ୍ୟରେ ସମବାୟ ନିର୍ବାଚନକୁ ଶୃଙ୍ଖଳିତ କରିବାପାଇଁ ୨୦୧୧ରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସମବାୟ ନିର୍ବାଚନ ଆୟୋଗ ସୃ​ଷ୍ଟି କରାଯାଇଥିଲା। ଏହି ପଦରେ ପ୍ରଥମେ ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ସେନାପତି ଓ ପରେ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଏବେ ଦୀର୍ଘଦିନ ଧରି ଖାଲି ପଡିଛି। ଅନୁରୂପ ଭାବେ ଓଡ଼ିଶା ଲୋକସେବା ଆୟୋଗରେ ସଭ୍ୟ ପଦ ଖାଲି ପଡ଼ିଛି। ଲୋକସେବା ଆୟୋଗରେ ନିଯୁକ୍ତିରେ ଅନିୟମିତତା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିବାବେଳେ କମିସନରେ ସଭ୍ୟଙ୍କ ଖାଲି ପଡିବା ସରକାରଙ୍କ ଆନ୍ତରିକତା ଅଭାବକୁ ଦର୍ଶାଉଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Comments are closed.