ଉତ୍କଳରେ ଏଣିକି ସଞ୍ଚାରରେ ନଥିପତ୍ର କାମ

ଇ-କାର୍ଯ୍ୟାଳୟ ଶୁଭାରମ୍ଭ କଲେ କୁଳପତି, ୫-ଟିରେ କାଗଜପତ୍ର ମୁକ୍ତ ହେବ କାର୍ଯ୍ୟାଳୟ

ଭୁବନେଶ୍ବର : ଏଣିକି ଉତ୍କଳ ବିଶ୍ୱବିଦ୍ୟାଳୟର ନଥିପତ୍ର କାମ ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ହେବ। ବୁଧବାର ଇ-କାର୍ଯ୍ୟାଳୟ ବ୍ୟବସ୍ଥା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଇ-କାର୍ଯ୍ୟାଳୟ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ନିଜେ ଏକ ନଥି(ଫାଇଲ) ଅନୁମୋଦନ କରି ନୂଆ ବ୍ୟବସ୍ଥା ଶୁଭାରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା ସବୁ ନଥି ଶୀଘ୍ର ଓ ସହଜରେ ଅନୁମୋଦନ ହୋଇପାରିବ ବୋଲି କୁଳପତି କହିଥିଲେ।
ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ(ସିଏମଜିଆଇ) ଏବଂ ନ୍ୟାସନାଲ ଇନଫର୍ମମେଟିକ ସେଣ୍ଟର(ଏନ୍ଆଇସି)ର ସହଯୋଗରେ ଏହି ଇ-କାର୍ଯ୍ୟାଳୟ ଆରମ୍ଭ ହୋଇଛି। ନୂତନ ଭାବେ ଯୋଗ ଦେଇଥିବା ୨୫ ଜଣ କନିଷ୍ଠ ସହାୟକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବିଶ୍ୱବିଦ୍ୟାଳୟର ସମସ୍ତ କାମକୁ ଏବେ କାଗଜମୁକ୍ତ କରାଯାଉଥିବାବେଳେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ନାମଲେଖା, ପରୀକ୍ଷା ପରିଚାଳନା, ଦେୟ ଦାଖଲ ଭଳି ବ୍ୟବସ୍ଥାରେ ଏହା ଲାଗୁ କରାଯିବ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ବିତ୍ତ ନିୟନ୍ତ୍ରକ ସୁରେନ୍ଦ୍ର କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି, ଏନ୍ଆଇସି ରାଜ୍ୟ ସୂଚନା ଅଧିକାରୀ କବିତା ରାୟ ଦାସ, ପିନାକୀ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଇ-କାର୍ଯ୍ୟାଳୟ ନୋଡାଲ ଅଧିକାରୀ ଡ. ହିମାଂଶୁ ଶେଖର ରାଉତ ଧନ୍ୟବାଦ ଦେଇଥିଲେ।

Comments are closed.