ସିଲିଣ୍ଡର ବିସ୍ଫୋରଣ ପରେ ଘର ଭୁଷୁଡି ୮ ମୃତ ; ୭ ଆହତ

ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି ବୋଲି ବୁଧବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା, ୨ ଜଣ ପୁରୁଷ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଥମେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଉକ୍ତ ଅଞ୍ଚଳରୁ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଗୋଣ୍ଡାର ବଜୀରଗଞ୍ଜ ଅଞ୍ଚଳର ଟିକରୀ ଗାଁର। ରାତିରେ ସିଲିଣ୍ଡର ବିସ୍ଫୋରଣ ହେବା ମାତ୍ରେ ଆଖପାଖ ଅଞ୍ଚଳର ଘର ମଧ୍ୟ ଭୁଷୁଡି ପଡିଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୧୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ୭ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପରେ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଥିଲା ଉକ୍ତ ସ୍ଥାନରୁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.