ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ବିବାଦୀୟ ବୟାନ; ମହିଳାମାନେ ଫଟା ଜିନ୍ସ ପିନ୍ଧିବା କି ସଂସ୍କାର ?

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସପ୍ତାହେ ନ ପୂରୁଣୁ ତୀରଥ ସିଂହ ରାୱତ ବିବାଦରେ ଛନ୍ଦି ହେଲେଣି। ବୁଧବାର ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବାରିକ ସଂସ୍କାର ଉପରେ ଲମ୍ବା ଭାଷଣ ଦେଇଛନ୍ତି। ଏହି ଅବସରରେ ସେ ମହିଳାଙ୍କ ପୋଷାକକୁ ତୀବ୍ର ସମାଲୋଚନା କରିଛନ୍ତି। ‘ଆଜିକାଲି ମହିଳାମାନେ ଫଟା ଜିନ୍ସ ପିନ୍ଧୁଛନ୍ତି। ଏହା କେମିତିକା ସଂସ୍କାର ? ଏଭଳି ପୋଷାକ ପିନ୍ଧିବା କ’ଣ ଠିକ୍‌ ? ପିଲାଙ୍କୁ ସଂସ୍କାର ଶିକ୍ଷାଇବା ଅଭିଭାବକଙ୍କ ଉପରେ ନିର୍ଭର କରେ।’

ଏକ ଦୃଷ୍ଟାନ୍ତ ଦେଇ ସେ କହିଛନ୍ତି ଯେ ଏକଦା ଦିଲ୍ଲୀ ବିମାନଯାତ୍ରା ସମୟରେ ଜଣେ ମହିଳା ନିଜର ଦୁଇ ଶିଶୁଙ୍କ ସହ ତାଙ୍କ ପାଖ ସିଟ୍‌ରେ ବସିଥିଲେ। ମହିଳା ଜଣଙ୍କ ଫଟା ଜିନ୍ସ ପିନ୍ଧିଥିଲେ। ପଚାରିବାରେ ତାଙ୍କ ସ୍ବାମୀ ଜେଏନୟୁରେ ପ୍ରଫେସର ଥିବା ଓ ସେ ନିଜେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚଳାଉଥିବା କହିଥିଲେ। ଯେଉଁ ମହିଳାଙ୍କ ସ୍ବାମୀ ଜଣେ ଶିକ୍ଷାବିତ୍‌ ଏବଂ ଯିଏ ନିଜେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଚଳାଉଛନ୍ତି ସେଭଳି ମହିଳା ଫଟା ଜିନ୍ସ ପିନ୍ଧିବା କେତେ ସମୀଚୀନ ବୋଲି ସେ ଭାବିଥିଲେ। ସମାଜରେ ଅପସଂସ୍କୃତିର ପ୍ରସାର ହେଉଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଯୁବବର୍ଗଙ୍କ ମଧ୍ୟରେ ନିଶାସେବନ ବୃଦ୍ଧି ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ। ପରିବାରରେ ପିଲାଙ୍କୁ ସଂସ୍କାର ଶିକ୍ଷା ଦିଆଯାଉ ନ ଥିବାରୁ ଏବଂ ପାଶ୍ଚାତ୍ୟ ସଭ୍ୟତାରେ ଆମେ ଅଧିକ ପ୍ରଭାବିତ ହେଉଥିବାରୁ ନାନା ବିଭ୍ରାଟ ଘଟୁଥିବା ସେ କହିଥିଲେ। ଏଥିପାଇଁ ପିଲାଙ୍କୁ ସଂସ୍କାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

Comments are closed.