ନେପାଳ ଯାଇ ପ୍ରେମିକାକୁ ହତ୍ୟା କଲେ ଡାକ୍ତର:ସୋସିଆଲ ମିଡିଆରେ ରଖିଲେ ଜୀବିତ

0

ନୂଆଦିଲ୍ଲୀ: ନେପାଳରେ ପ୍ରେମିକାକୁ ହତ୍ୟା କରିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଜିବିତ ଦର୍ଶାଇବା ଅଭିଯୋଗରେ ଏସଟିଏଫ ଡ. ଡିପି ସିଂହ ଓ ତାଙ୍କ ୨ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ୬ମାସ ପୂର୍ବେ ନିଜ ସ୍ୱାମୀଙ୍କ ସହ ଘରକୁ ଫେରୁଥିବା ଜନୈକ ମହିଳାଙ୍କୁ ଦକ୍ଷିଣ ପଶ୍ଚିମର ନେପାଳର ଭେରହବାଠାରେ ଅପହରଣ ଓ ପରେ ହତ୍ୟା ମାମଲାରେ ଡାକ୍ତର ଓ ତାଙ୍କ ଦୁଇ କର୍ମଚାରୀଙ୍କୁ ଏସଟିଏଫ ଗିରଫ କରିଛି।
୫ଜୁନ୍‍ରେ ନେପାଳର ପୋଖରାଠାରେ ପାହାଡ଼ ତଳେ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା। ଏହି ମାମଲାର ତଦନ୍ତ କରି ଶୁକ୍ରବାର ଏସଟିଏଫ ଆଇଜି ଅମିତାଭ ୟଶ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ମହିଳାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ହତ୍ୟା କରାଯାଇ ଥିବା ଜଣା ପଡ଼ିଥିଲା। ନେପାଳ ସରକାରଙ୍କଠାରୁ ସୂଚନା ପାଇଁ ଏସଟିଏଫ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏସଟିଏଫର ତଦନ୍ତରେ ମହିଳାଙ୍କ ପରିଚୟ ମିଳିଥିଲା। ଗୋରଖପୁର ଜିଲାର ବିଛିଆ କଲୋନୀ ନିବାସୀ ରାଜେଶ୍ୱରୀ ଶ୍ରୀବାସ୍ତବ ଓରଫ ରାକ୍ଷୀଙ୍କୁ ନେପାଳରେ ହତ୍ୟା କରାଯାଇ ଥିବା ଜଣା ପଡ଼ିଥିଲା। ରାକ୍ଷୀ ୪ଜୁନରୁ ନିଖୋଜ ଥିଲେ। ରାକ୍ଷୀଙ୍କ ଭାଇ ଅମର ପ୍ରକାଶ ଶାହପୁର ଥାନାରେ ତାଙ୍କ ସ୍ୱାମୀ ମନୀଷ ଶ୍ରୀବାସ୍ତବଙ୍କ ବିରୋଧରେ ରାକ୍ଷୀଙ୍କୁ ଅପହରଣ ଓ ହତ୍ୟା ଅଭିଯୋଗ କରିଥିଲେ।
ତଦନ୍ତରେ ଜଣା ପଡ଼ିଲା ଯେ, ରାକ୍ଷୀ ତାଙ୍କ ସ୍ୱାମୀଙ୍କ ସହ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ। ଫେରିବା ବେଳେ ଭେରହବାରେ ରାକ୍ଷୀଙ୍କ ସାକ୍ଷାତ ଆର୍ୟତ ଡାକ୍ତରଖାନାର ସଞ୍ଚାଳକ ଡା. ଡିପି ସିଂହଙ୍କ ସହ ହୋଇଥିଲା। ନିଜ ସହଯୋଗୀଙ୍କ ସହ ଡା. ସିଂହ ରାକ୍ଷୀଙ୍କୁ ଅପହରଣ କରିନେଇଥିଲେ। ପରେ ଡା. ସିଂହ ପୋଖରା ଯାଇ ସେଠାରେ ରାକ୍ଷୀଙ୍କୁ ନିଶା ଔଷଧ ଖୁଆଇ ପାହାଡ଼ ଉପରୁ ତଳକୁ ପକାଇ ଦେଇଥିଲେ। ଏଭଳି ହତ୍ୟାକାଣ୍ଡ ପରେ ଡାକ୍ତର ଓ ତାଙ୍କ ସହଯୋଗୀ ଗୋରଖପୁର ଫେରି ଆସିଥିଲେ। ପୁଲିସର ପଚରାଉଚରାରେ ଡାକ୍ତର ଓ ତାଙ୍କ ସହଯୋଗୀ ଏଭଳି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ସ୍ୱୀକାର କରିଛନ୍ତି।
୨୦୧୧ରେ ଦାଉଦପୁରଠାରେ ହତ୍ୟାକାରୀ ଡାକ୍ତରଙ୍କୁ ରାକ୍ଷୀ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଡାକ୍ତର ଓ ରାକ୍ଷୀ ଏକ ଭଡ଼ା ଘରେ ଉକ୍ତ ସହରରେ ରହୁଥିଲେ। ତେବେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରୁ ରାକ୍ଷୀ ପ୍ରେମିକ ଡାକ୍ତରଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଥିଲେ। ରାକ୍ଷୀ ଓ ଡାକ୍ତର ସିଂହ ଅଲଗା ହୋଇ ଯାଇଥିଲେ। ରାକ୍ଷୀ ପରିବାରବର୍ଗଙ୍କ ସହ ନରହି ପୃଥକ ଭାବେ ଏକ ଭଡ଼ା ଘରେ ଶାହପୁରର ବିଛିଆ କଲୋନୀରେ ରହୁଥିଲେ। ଏହି ଘର ଡାକ୍ତର ସିଂହ ତାଙ୍କୁ ପ୍ରଦାନ କରିଥିଲେ। ମାମଲାର ଆପୋସ ସମାଧାନ କରିବା ପାଇଁ ଉଭୟଙ୍କ ମଧ୍ୟରେ ପ୍ରାୟତଃ କଳହ ହେଉଥିଲା। ରାକ୍ଷୀ ଉକ୍ତ ଘରକୁ ତାଙ୍କ ନାମରେ କରିବାକୁ ଡାକ୍ତରଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ୨ ବର୍ଷ ପୂର୍ବେ ମନୀଷ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଉଭୟ ପତି ପତ୍ନୀ ନେପାଳ ବୁଲିବାକୁ ଯାଇଥିବାବେଳେ ଏ ସମ୍ପର୍କରେ ସମସ୍ତ ଖବର ଡାକ୍ତର ସିଂହଙ୍କୁ ମିଳିଥିଲା। ଡାକ୍ତର ସିଂହ ଓ ତାଙ୍କ ସହଯୋଗୀ ନେପାଳରେ ରାକ୍ଷୀଙ୍କ ହତ୍ୟା ପାଇଁ ଯାଇଥିଲେ ବୋଲି ଏସଟିଏଫ ଆଗରେ ସ୍ୱୀକାର କରିଛନ୍ତି।
ମନୀଷ ଦୁଇ ଦିନ ଧରି ରାକ୍ଷୀଙ୍କୁ ଖୋଜାଖୋଜି କରି ନପାଇ ଶେଷରେ ଏ ସମ୍ପର୍କରେ ରାକ୍ଷୀଙ୍କ ଭାଇଙ୍କୁ ଖବର ଦେଇଥିଲେ। ଅପରପକ୍ଷରେ ପୁଲିସକୁ ବିଭ୍ରାନ୍ତ କରିବାକୁ ଡା. ସିଂହ ରାକ୍ଷୀଙ୍କ ମୋବାଇଲ ଫୋନକୁ ଗୌହାଟୀ ପଠାଇ ଦେଇଥିଲେ। ଏହି ମୋବାଇଲରେ ଥିବା ରାକ୍ଷୀଙ୍କ ସୋସିଆଲ ଆକାଉଣ୍ଟକୁ ଡାକ୍ତର ନିୟମିତ ବ୍ୟବହାର କରୁଥିଲେ। ଫଳରେ ରାକ୍ଷୀ ମୃତ୍ୟୁର ୨ମାସ ପର୍ଯ୍ୟନ୍ତ ରାକ୍ଷୀ ଗୌହାଟୀରେ ଜୀବିତ ଥିବା ପୁଲିସ ସନ୍ଦେହ କରି ଖୋଳତାଳ କରୁଥିଲା।

Leave A Reply