ଉତ୍କଳମଣିଙ୍କ ସ୍ମାରକୀ ପୀଠ ଅଲୋଡ଼ା

ବାରିପଦା: ରାଜ୍ୟ ସରକାର ପୂଜ୍ୟପୂଜାକୁ ଗୁରୁତ୍ୱ ଦେଉ ନଥିବାର ଉଜ୍ୱଳ ଉଦାହରଣ ବାରିପଦା ସହରରେ ଦେଖିବାକୁ ମିଳିଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଥମ କର୍ମସ୍ଥଳୀ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ବାରିପଦା ଠାରେ ଥିବା ବାସଗୃହଟି ଅବହେଳିତ ଅବସ୍ଥାରେ ରହିଛି। ଦୀର୍ଘଦିନ ଧରି ଜିଲା ପ୍ରଶାସନ ଏହି ବାସଗୃହଟିର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନ ଦିଗରେ ଦୃଷ୍ଟି ଦେଉ ନଥିବା ପରିତାପର ବିଷୟ।

ପଣ୍ଡିତ ଗୋପବନ୍ଧୁ ଦାସ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ରାଜୁତି କାଳରେ ୧୯୧୦ ଜାନୁଆରୀରୁ ୧୯୧୨ ଫେବୃଆରୀ ପର୍ଯ୍ୟନ୍ତ ସରକାରୀ ବା ଦରବାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ମୟୂରଭଞ୍ଜ ରାଜ୍ୟରୁ ସେ ଯେଉଁ ପାରିଶ୍ରମିକ ପାଉଥିଲେ ସେହି ଅର୍ଥରେ ତାଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ପରିଚାଳନା ହେଉଥିଲା। ତାଙ୍କର ବାରିପଦା କାର୍ଯ୍ୟକାଳ ଭିତରେ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ଉନ୍ନତି ସକାଶେ ସେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ବାଛି ନେଇଥିଲେ। ଉକ୍ତ ବିଦ୍ୟାଳୟରେ ‘ଜାଗରଣ’ ନାମକ ଏକ ହାତଲେଖା ପତ୍ରିକା ତାଙ୍କ ଦିଗ୍‍ ଦର୍ଶନରେ ପ୍ରକାଶ ପାଉଥିଲା। ଛାତ୍ରଙ୍କ ମଧ୍ୟରେ ସେବା ମନୋଭାବ ଉଦ୍ରେକ ପାଇଁ ‘ୟଙ୍ଗ ଉତ୍କଳ ଆସୋସିଏସନ’ ନାମକ ଏକ ସଂଗଠନ ଗଠନ କରିବାକୁ ସେ ପ୍ରେରଣା ଦେଇଥିଲେ। ସେତେବେଳେ ଏହି ସଂଗଠନର ଶିକ୍ଷାର୍ଥୀ ଓ ଶିକ୍ଷକମାନେ ସହରର ବିଭିନ୍ନ ସ୍ଥାନରେ ହେଉଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ କାମ କରୁଥିଲେ। ୧୮୯୨ରେ ସ୍ୱତନ୍ତ୍ର ମୟୂରଭଞ୍ଜ ରାଜ୍ୟରେ ସ୍ଥାପିତ ବ୍ୟବସ୍ଥାପକ ସଭାରେ ପଣ୍ଡିତ ଗୋପବନ୍ଧୁ ଦାସ ଷ୍ଟେଟ ଓକିଲ ଭାବେ ଅସ୍ତ୍ରଶସ୍ତ୍ର ପରିଚାଳନା ଆଇନ ଓ କୋର୍ଟ ଫି ଆଇନ ପ୍ରଣୟନ​‌େ​‌ର ମୁଖ୍ୟ ଭୂମିକା ନେଇଥିଲେ। ଏଥି ସହିତ ମୟୂରଭଞ୍ଜ ରାଜ୍ୟର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଓ ପଞ୍ଚାୟତଗୁଡ଼ିକର ପରିଚାଳନାରେ ଜନ ସହଭାଗିତା ନିୟମ ମାନ ପ୍ରଣୟନ କରିଥିଲେ। ସେହି କାର୍ଯ୍ୟ ଏବେବି ମୟୂରଭଞ୍ଜବାସୀଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ବାରିପଦା ମ୍ୟୁନିସିପାଲିଟିର ପ୍ରଥମ ଉପାଧ୍ୟକ୍ଷ ଭାବେ ଉତ୍କଳମଣି ବାରିପଦା ସହରର ପରିମଳ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ସେ ସମୟରେ ତାଙ୍କ ଉଦ୍ୟମରେ ଓଡ଼ିଶାରେ ପ୍ରଥମଥର ପାଇଁ ବାରିପଦା ସହରରେ କିରୋସିନ ଲ୍ୟାମ୍ପ ଦ୍ୱାରା ରାସ୍ତା ପାର୍ଶ୍ବରେ ଆଲୋକୀକରଣ ବ୍ୟବସ୍ଥା ହୋଇଥିଲା।

ସେହି ସମୟରେ ବାରିପଦା ସହରର ମଧ୍ୟଭାଗରେ ଜିଲା ପଶୁ ଚିକିତ୍ସାଳୟ ନିକଟରେ ନିର୍ମାଣ କରାଯାଇଥିବା ଗୋପବନ୍ଧୁଙ୍କ ବାସଗୃହଟିକୁ ୪୦ ବର୍ଷ ପୂର୍ବରୁ ଗୋପବନ୍ଧୁ ଭବନ ନାମରେ ନାମିତ କରାଯାଇଥିଲା। ଏଥିସହିତ ଏହି ଭବନର ପରିଚାଳନା ଦାୟିତ୍ୱ ବାରିପଦା ପୌରପରିଷଦ ଅଧୀନରେ ରଖାଯାଇଥିଲା। ଏଠାରେ ପୌର ପରିଷଦ ତରଫରୁ ଗୋପବନ୍ଧୁଙ୍କ ସ୍ମୃତିରେ ଏକ ପାଠାଗାର ସ୍ଥାପିତ ହୋଇଥିଲା। କିଛି ବର୍ଷ ପର୍ଯ୍ୟନ୍ତ ଏହି ପାଠାଗାର ଚାଲିବା ପରେ କୌଣସି କାରଣରୁ ପରବର୍ତ୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ସେହି ଦିନଠାରୁ ଏହି ଭବନର ରକ୍ଷଣାବେକ୍ଷଣ ଭାର ଦେବୋତ୍ତର ବିଭାଗ ଦାୟିତ୍ୱରେ ରହିଛି। ଜିଲା ତଥା ରାଜ୍ୟର ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଏହାକୁ ଏକ ଜାତୀୟ ସ୍ମାରକୀ ରୂପେ ଘୋଷଣା କରିବା ପାଇଁ ଦାବି କରିଥିଲେ। ଏଥି ନିମନ୍ତେ ଜିଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସ୍ମାରକପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଏହାକୁ ଜାତୀୟ ସ୍ମାରକୀ ରୂପେ ଘୋଷଣା କରିବା ତ ଦୂରର କଥା ଏହି ଭବନର ସୁରକ୍ଷା ପାଇଁ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ଏପରିକି ଭବନର ଫାଟକ ମଧ୍ୟ କଳଙ୍କି ଲାଗି ଭାଙ୍ଗିଯିବାକୁ ବସିଲାଣି। ଭବନର କବାଟ ଓ ଝରକା ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଭବନ ପରିସରରେ ଜଙ୍ଗଲ ସୃଷ୍ଟି ହେଲାଣି। ଜିଲା ପ୍ରଶାସନ ତରଫରୁ ଏହି ଭଗ୍ନ ଗୃହର ସୁରକ୍ଷା ଓ ଏହି ବାସଗୃହର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.