ଦେଶ ସ୍ବାଧୀନତା ପାଇଁ ପ୍ରେରଣା ଯୋଗାଇଥିଲା ଶହୀଦ ଦିବାକର ପରିଡ଼ାଙ୍କ ବଳିଷ୍ଠ ନେତୃତ୍ବ 

ଉତ୍କଳ ବିଶ୍ବବିଦ୍ୟାଳୟ: ‘ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ଶହିଦ ଦିବାକର ପରିଡ଼ା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର:ବ୍ରିଟିଶ କୁଶାସନ ବିରୋଧରେ ରଣପୁରରେ ପ୍ରଜା ଆନ୍ଦୋଳନ ବ୍ୟାପକ ହୋଇଥିଲା। ରଣପୁର ରାଜା ବ୍ରିଟିଶଙ୍କ ହାତବରିସୀ ହୋଇଥିବାବେଳେ ବେଠି, ବେଗାରୀ, ମାଗଣ ଇତ୍ୟାଦି କୁପ୍ରଥା ବିରୋଧରେ ପ୍ରଜାମାନଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିଲେ ଦିବାକର ପରିଡ଼ା। ୧୯୩୯ ଜାନୁଆରୀ ମାସରେ ପ୍ରଜା ବିଦ୍ରୋହ ଦମନ କରିବା ପାଇଁ ରଣପୁର ଯାଇଥିବା ପଲିଟିକାଲ୍‌ ଏଜେଣ୍ଟ ମେଜର ବେଜେଲ୍‌ଗେଟ୍‌ଙ୍କ ମୃତ୍ୟୁକୁ ନେଇ ଶହୀଦ ଦିବାକର ପରିଡାଙ୍କୁ ଦୋଷୀ ଭାବେ ଅଭିଯୁକ୍ତ କରାଯାଇଥିଲା ଏବଂ ଭାଗଲପୁର ଜେଲ୍‌ରେ ରଖାଯାଇଥିଲା। ପରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଶହିଦ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା। ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଶହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜନ୍ମ ବାର୍ଷିକ ପାଳନ ଅବସରରେ ରାଜ୍ୟ ସାଂସ୍କୃତିକ ସଂଯୋଜକ ପ୍ରବୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଆଜି ଶହୀଦ ଦିବାକର ପରିଡ଼ାଙ୍କ ୧୧୧ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଏବଂ ରାଜ୍ୟ ସ୍ତରୀୟ ରଘୁ-ଦିବାକର ସ୍ମୃତି କମିଟି ପକ୍ଷରୁ ବାଣୀବିହାରରେ‘ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ଶହିଦ ଦିବାକର ପରିଡ଼ା’ ଶୀର୍ଷକ ଆଲୋଚନାଚକ୍ର ଅନୁଷଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ଶହୀଦ ଦିବାକର ପରିଡ଼ାଙ୍କ ସଂଘର୍ଷମୟ ଜୀବନ ଏବଂ ଦେଶ ପାଇଁ ତାଙ୍କର ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ।

ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସ୍ବାଗତ ଭାଷଣ ଦେଇ ଆଜିର ଯୁବ ପିଢି ଯେଉଁ ସ୍ବାଧୀନତା ଉପଭୋଗ କରୁଛନ୍ତି, ତାହା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ପ୍ରତିଫଳନ ବୋଲି କହିଥିଲେ। ଇଂରେଜ ମାନେ ଓଡିଆ ଲୋକଙ୍କର ସରଳତାର ସୁଯୋଗ ନେଇ କିପରି ଭାବେ ଆମକୁ ଶାସନ କରିଥିଲେ ଏବଂ ତାରୁଣ୍ୟତାର ଆଦ୍ୟ ସୋପାନରେ ଥିବା ସହିଦ୍ ଦିବାକର କେଉଁ ପରି ଭାବେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ତାହା ପ୍ରତିଟି ଯୁବ ପିଢି ପାଇଁ ପ୍ରେରଣା ଦାୟୀ। ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ରମେଶ ଚନ୍ଦ୍ର ମହାନ୍ତ ଉପସ୍ଥିତ ଥିଲେ। ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ସେମିନାର ସେକ୍ରେଟାରୀ ସମରେଶ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.