ଉତ୍କଳ ବିଶ୍ବବିଦ୍ୟାଳୟ : ସମସ୍ୟାରେ ସେଲ୍ଫ ଫାଇନାନ୍ସିଂ ବିଭାଗ

ମିଳୁନି ଅନୁଦାନ, ବିଦ୍ୟାର୍ଥୀ ହଟହଟା

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ପାଠ୍ୟକ୍ରମ ସେଲ୍ଫ ଫାଇନାନ୍ସିଂ ଭିତ୍ତିରେ ଖୋଲୁଛି। ପ୍ରାୟ ଦଶବର୍ଷରୁ ଅଧିକ ସମୟ ଧରି ବିଭାଗ ଖୋଲିଥିଲେ ମଧ୍ୟ ଏହାର ଭିତ୍ତିଭୂମି ସୁଧୁରୁ ନାହିଁ। ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରୁ ନଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ଧରି ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ନିର୍ଦେଶକ ପଦ ମଧ୍ୟ ଖାଲିପଡ଼ିଛି। କେତେକ ବିଭାଗର ସଂଯୋଜକ ନଥିବାବେଳେ ଦକ୍ଷ ଶିକ୍ଷକ ନାହାନ୍ତି। ଏହାଦ୍ବାରା ଶିକ୍ଷାଦାନରେ ସମସ୍ୟା ଉପୁଜିଛି।

ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ମୋଟ ୧୭ଟି ବିଷୟରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ରହିଛି। ତେ‌େ‌ବ ବିଭାଗରେ ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ନାହାନ୍ତି। ବହୁ ବିଭାଗ ଦୁଇରୁ ତିନି ଜଣ ଅସ୍ଥାୟୀ ଅଧ୍ୟାପକରେ ପରିଚାଳିତ ହେଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଆସବାବପତ୍ର ନଥିବାବେଳେ ପ୍ରାକ୍ଟିକାଲ ସୁବିଧା ନାହିଁ। ସବୁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଶ୍ରେଣୀଗୃହ ନଥିବାରୁ ଅନ୍ୟ ବିଭାଗରେ ପାଠପଢ଼ା ହେଉଛି। ନିୟମିତ ଭାବେ ବିଶ୍ବବିଦ୍ୟାଳୟରେ ଏକାଡେମି କାଉନସିଲ ବୈଠକ କରାଯାଉଥିଲେ ମଧ୍ୟ ସେଲ୍ଫ ଫାଇନାନ୍ସିଂ ଭିତ୍ତରେ ଖୋଲିଥିବା ପାଠ୍ୟକ୍ରମକୁ ନିୟମିତ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନି।

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ, ଆଇଏମ୍‌ବିଏ, ପରିସଂଖ୍ୟାନ, କମ୍ପ୍ୟୁଟର ସାଇନ୍ସ, ଭୂତତ୍ତ୍ବ ବିଜ୍ଞାନ , ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭୂଗୋଳ, ୱମେନ୍‌ ଷ୍ଟିଡିଜି, ମାଇକ୍ରୋ ବାଇଓଲୋଜି, ଏମ୍‌ଟେକ୍‌, ଏମ୍‌ଟେକ୍‌ ଆଇଟି ଭଳି ବିଭାଗ ବର୍ତ୍ତମାନ ସେଲ୍ଫ ଫାଇନାନ୍ସିଂ ଭିତ୍ତିରେ ଚାଲୁଛି। ବିଭାଗଗୁଡ଼ିକରେ ସ୍ଥାୟୀ ଅଧ୍ୟାପକ ନଥିବାରୁ ଠିକା ଅସ୍ଥାୟୀ ଅଧ୍ୟାପକରେ ବିଭାଗ ପରିଚାଳିତ ହେଉଛି। ନିୟମିତ ଭାବେ ବିଭାଗଗୁଡ଼ିକ‌େ‌ର ପାଠ୍ୟକ୍ରମ ଫି’ ବୃଦ୍ଧି ପାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ମିଳୁ ନାହିଁ। ବିଭିନ୍ନ ପେସାଗତ ପାଠ୍ୟକ୍ରମରେ ପ୍ରାକ୍ଟିକାଲ ଶିକ୍ଷା ମିଳୁ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧା ଭୋଗ କରୁଛନ୍ତିି। ଦୀର୍ଘଦିନ ଧରି ଏହି ପାଠ୍ୟକ୍ରମ ବିଶ୍ବବିଦ୍ୟାଳୟରେ ଚାଲୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିଭାଗର ଉନ୍ନତି ଓ ଅଧ୍ୟାପକ ନିଯୁକ୍ତି ପାଇଁ କୌଣସି ଅନୁଦାନ ମିଳୁ ନାହିଁ। ପାଠପଢ଼ା ପରେ ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରୁନାହାନ୍ତି। ଏହାକୁ ନେଇ ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେଲ୍ଫଫାଇନାନ୍ସିଂ ବିଭାଗକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିୟମିତ କରିବାକୁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଥିଲେ ମଧ୍ୟ ବିଭାଗ ଏଯାବତ୍‌ ପ୍ରସ୍ତାବ ଦେଇନି। ସେହିପରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ଲେଖି ନିଜର କାମ ସାରି ଦେଇଥିବା ଅଭିଯୋଗ ହୋଇଛି।

ବିଶ୍ବବିଦ୍ୟାଳୟର କୁଳସଚିବ ଦୟାନିଧି ନାୟକ କହିଛନ୍ତି; ସେଲ୍ଫ ଫାଇନାନ୍ସିଂ ବିଭାଗଗୁଡ଼ିକୁ ନିୟମିତ କରିବା ପାଇଁ ଏଯାବତ୍‌ ବିଭାଗୀୟ ମୁଖ୍ୟ କୌଣସି ପ୍ରସ୍ତାବ ଦେଇନାହାନ୍ତି। ବିଭାଗଗୁଡ଼ିକ ନିୟମିତ କରିବାକୁ ପ୍ରସ୍ତାବ ଦେବା ପରେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Comments are closed.