ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ, ଏଥିପାଇଁ ପ୍ରଶିକ୍ଷଣ ଜରୁରୀ

‘ପୂର୍ବ ଭାରତରେ ଗୁଣାତ୍ମକ ସାମ୍ବାଦିକତା ଶିକ୍ଷା:ଗଣମାଧ୍ୟମ, ନିୟମ ଓ ସମାଜିକ ନ୍ୟାୟ’ ଶିର୍ଷକ ୟୁନେସ୍କୋ-ଡବ୍ଲ୍ୟୁଜେଇସି ରାଉଣ୍ଡଟେବୁଲ ୱେବିନାର

ଭୁବନେଶ୍ୱର: ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ ଓ ତାହା ଏକ ବିରାଟ ପାଠକଗୋଷ୍ଠୀର ବିଚାର ଓ ଆଲୋଚନାର ଭିତରକୁ ଆସିଥାଏ। ସାମ୍ବାଦିକଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ସମାଜର ବିକାଶ ପାଇଁ ଉପରେ ପର୍ଯ୍ୟବସିତ, ଯାହା ସାଧାରଣ ଲୋକଙ୍କ ଲାଗି ଉଦ୍ଧିଷ୍ଟ। ଏବେ ଗଣମାଧ୍ୟମ ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ଏକ ମାଧ୍ୟମ ପାଲଟିଛି। ଯାହା ସାମ୍ବାଦିକମାନଙ୍କ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପରିବେଷଣକୁ ପ୍ରଭାବିତ କରୁଛି। ଏବେ ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ ଭାବେ ପରିଗଣିତ, ଯେଉଁଥିରେ ସର୍ଜନଶୀଳ ଆଲେଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଯାହାର ଚାହିଦା ଗଣମାଧ୍ୟମ ଶିଳ୍ପରେ ସବୁବେଳେ ରହିଛି। ଏସବୁ ଆହ୍ୱାନକୁ ସଫଳ ମୁକାବିଲା ପାଇଁ ସାମ୍ବାଦିକଙ୍କ ପ୍ରଶିକ୍ଷଣର ଆବଶ୍ୟକତା ଉପଲବ୍ଧ କରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣଦେଲାବେଳେ ଯେଭଳି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ ରହିଛି, ଠିକ ସେଭଳି ସେମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଉତ୍କୃଷ୍ଟମାନର ପାଠ୍ୟପୁସ୍ତକ ପ୍ରକାଶନ ଜରୁରୀ ମୁଦ୍ରିତ, ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ଶିଳ୍ପର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଦରକାର। ଫଳରେ ସେମାନେ ଗଣମାଧ୍ୟମରେ ନିଜର ସର୍ଜନଶୀଳ ପ୍ରତିଭା ପ୍ରଦର୍ଶନ କରିପାରିବେ ଏବଂ ସମସ୍ତ ଆହ୍ୱାନକୁ ସହଜରେ ମୁକାବିଲା ପାଇଁ ଦକ୍ଷତା ହାସଲ କରିପାରିବେ ବୋଲି ବିଶିଷ୍ଟବକ୍ତାମାନେ ପ୍ରକାଶ କରିଛନ୍ତି।

ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ‘ପୂର୍ବ ଭାରତରେ ଗୁଣାତ୍ମକ ସାମ୍ବାଦିକତା ଶିକ୍ଷା:ଗଣମାଧ୍ୟମ, ନିୟମ ଓ ସମାଜିକ ନ୍ୟାୟ’ ଶିର୍ଷକ ୟୁନେସ୍କୋ-ଡବ୍ଲ୍ୟୁଜେଇସି ରାଉଣ୍ଡଟେବୁଲ ୱେବିନାର ଅନୁଷ୍ଠିତ ହୋଇଯାଇଛି।

ଉଦ୍‍ଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଚଳିତ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ ଗୁଣାତ୍ମକ ଶିକ୍ଷାଦାନ ସହ ଗଣମାଧ୍ୟମ ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାନବୀଶଙ୍କୁ ପ୍ରଶିକ୍ଷଣ ଦେବାକୁ ଆହ୍ୱାନ ଦେଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, କୁଳସଚିବ ଡ.ଅଭୟ କୁମାର ନାୟକ, ସେଲ୍‌ଫ ଫାଇନାନ୍‍ସିଂ ନିର୍ଦେଶକ ପ୍ରଫେସର ନବନୀତା ରଥ, ଢେଙ୍କାନାଲ ଆଇଆଇଏମ୍‍ସି ନିର୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ, ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡ.ରବୀନ୍ଦ୍ର ଗରଡ଼ା, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଫେସର ମୈତ୍ରୟୀ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ଜାମିଆ ମିଲିଆ, ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ବିଶ୍ୱଜିତ ଦାସ, ସୁନେତ୍ରା ସେନ ନାରାୟଣ, ସଞ୍ଜୀବ ମିଶ୍ର, କସ୍ତୁରୀ ରାୟ,ପ୍ରାନ୍ତ ପ୍ରତୀକ ପଟ୍ଟନାୟକ, ବିଦୁଭୂଷଣ ଦାଶ, ଜୟନ୍ତୀ ବୁରୁଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ମିଡ଼ିଆ ଏଥିକ୍ସ ଆଣ୍ଡ ସୋସିଆଲ ଜଷ୍ଟିସ’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଆଲୋଚନାଚକ୍ରର ଆବାହକ ଡ.ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହ-ଆବାହକ ସସ୍ମିତା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.