ଶିକ୍ଷଣ ଓ ପୁସ୍ତକ ଅଧ୍ୟୟନ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ:କୁଳପତି

ଭୁବନେଶ୍ୱର: ଶିକ୍ଷାୟତନଗୁଡ଼ିକ ହେଉଛି ଜ୍ଞାନ କେନ୍ଦ୍ର। ବିଦ୍ୟାଳୟସ୍ତରରେ ଗୁଣାତ୍ମକ ଶିକ୍ଷାଦାନ ଉତ୍କର୍ଷ ହାସଲ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ତୃଣମୂଳସ୍ତରରେ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁସ୍ଥ ପରିବେଶରେ ପାଠପଢ଼ିବା ଅଧିକାର ରହିଛି। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରତିଦିନ କିଛି ନୂଆ ଶିଖିବା ମନୋବୃତ୍ତି ରଖିବା ଦରକାର। ସବୁଦିନେ ବହି ପଢ଼ିବା ଅଭ୍ୟାସ ଅପରିହାର୍ଯ୍ୟ। କାରଣ ଶିକ୍ଷଣ ଓ ପୁସ୍ତକ ଅଧ୍ୟୟନ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ। ଏଣୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ବଳରେ ଏହା ସହଜରେ ହାସଲ କରିପାରିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ହେବା ଦରକାର। ସେମାନଙ୍କ ସୃଜନଶୀଳତାର ପରିପ୍ରକାଶ ହୋଇପାରିଲେ ତାହା ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇପାରିବ । ଛାତ୍ରଛାତ୍ରୀମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିନିଯୋଗ ସହିତ ଗୁରୁଜନମାନଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବା ଆବଶ୍ୟକ ବର୍ତ୍ତମାନ କରୋନା ଲେଉଟାଣି ସୂଚନା ରହିଥିବାରୁ ସମସ୍ତେ କୋଭିଡ୍‍ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ କୁଳପତି ପ୍ରଫେସର ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ମୁଖ୍ୟବକ୍ତା ଏବଂ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଜନସଂଖ୍ୟା ନୃତତ୍ତ୍ୱ ବିଭାଗ ପ୍ରଫେସର ନିର୍ମଳଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ମୁଖ୍ୟ ଦୈତାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଉପାଲି ଅପରାଜିତା, ଡ.କାହ୍ନୁଚରଣ ଶତପଥୀ, ଡ.ପ୍ରିୟଙ୍କା ଖୁରାନା, ଅଧ୍ୟାପକ ସୁବ୍ରତ ନାଏକ ପ୍ରମୁଖ ନୃତତ୍ତ୍ୱ ପାଠ୍ୟକ୍ରମର ଆଭିମୁଖ୍ୟ ଓ ଏଥିରେ ଥିବା ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ମୁଖ୍ୟ ଡ.ଇତିଶ୍ରୀ ପାଢ଼ୀ, ଅଧ୍ୟାପିକା ଅନନ୍ୟା ମହାପାତ୍ର, ସମ୍ପ୍ରିତ୍‍ ପଣ୍ଡା, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ଏବଂ ୟୁନାଇଟେଡ୍‍ ଇଣ୍ଡିଆନ୍‍ ଆନ୍‍ଥ୍ରୋପୋଲୋଜି ଫୋରମ୍‍ ପକ୍ଷରୁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Comments are closed.