ସମସ୍ୟାରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟକେନ୍ଦ୍ର : ନାହାନ୍ତି ଡାକ୍ତର ଓ କର୍ମଚାରୀ , କେବେ ଗଡ଼ିବ ଆମ୍ବୁଲାନ୍ସ?

ଭୁବନେଶ୍ବର  : ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସୁବିଧା ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ କାମରେ ଲାଗୁନଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇବର୍ଷ ପୂର୍ବେ ଏହି ଆମ୍ବୁଲାନ୍ସ ବିଶ୍ବବିଦ୍ୟାଳୟକୁ ମିଳିଥିଲେ ମଧ୍ୟ ଏଯାବତ୍‌ କାର୍ଯ୍ୟକ୍ଷମ ହୋଇପାରିନି। ଏହି ସ୍ଥାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ଦୁଇ ଜଣ ଡାକ୍ତର ଥିବାବେଳେ ବର୍ତ୍ତମାନ ଜଣେ ଡାକ୍ତରରେ କେନ୍ଦ୍ର ଚାଲିଛି। ଦାୟିତ୍ବରେ ଥିବା ଜଣେ ଡାକ୍ତର ଅସୁସ୍ଥ କିମ୍ବା ଛୁଟିରେ ରହିଲେ ରୋଗୀସେବା ଠପ୍‌ ହୋଇଥିବା ଅଭିଯୋଗ ହୋଇଛି। କେବେ ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ହେବା ସହ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ ସମସ୍ୟା ଦୂର ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କର୍ମଚାରୀ ଓ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କୁ ଅର୍ଥ ପାଇଁ ଚିଠି ଲେଖିଥିଲେ ମଧ୍ୟ କୌଣସି ଅନୁଦାନ ମିଳିପାରିନି। ଏହି ସମସ୍ୟା ନେଇ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ବୈଠକରେ ଉଠିଥିବାବେଳେ ସମସ୍ୟାର ସମାଧାନ ହୋଇପାରିନି। ବିଶ୍ବବିଦ୍ୟାଳୟ ପ୍ରଶାସନିକ ଭବନରେ ଗୋଟିଏ ଆମ୍ବୁଲାନ୍ସ ଖତ ଖାଉଥିବାବେଳେ ବ୍ୟାଙ୍କ ପକ୍ଷରୁ ପ୍ରାୟ ଦଶ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ଆମ୍ବୁଲାନ୍ସ ପାଇଁ ଚାଳକ ନଥିବାରୁ କୌଣସି କାମରେ ଆସୁନି। ଆମ୍ବୁଲାନ୍ସକୁ ଠିକ୍‌ ଭାବେ ରକ୍ଷଣବକ୍ଷଣ କରାଯାଇନଥିବାରୁ ଏହା ଖତ ଖାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ସେଥିଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି। କୌଣସି ଅଘଟଣ ଘଟିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଘରୋଇ ମେଡିକାଲକୁ ଛାତ୍ରଛାତ୍ରୀଙ୍କୁ ନେଇ ଅଧିକ ଖର୍ଚ୍ଚାନ୍ତ କରାଉଥିବା ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ଶଯ୍ୟା ଓ ଅନ୍ୟ ସରଞ୍ଜାମ ନଥିବାବେଳେ ପରୀକ୍ଷା ପାଇଁ ମଧ୍ୟ କୌଣସି ସୁବିଧା ନାହିଁ। ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଛାତ୍ରଛାତ୍ରୀ, କର୍ମଚାରୀ ଓ ତାଙ୍କ ପରିବାରର ପ୍ରାୟ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି। ବିଶ୍ବବିଦ୍ୟାଳୟରେ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ବ ଛାତ୍ରୀ ଥିଲେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ମହିଳା ଡାକ୍ତର ନାହାନ୍ତି। ପ୍ରତ୍ୟେକ ଦିନ ଚିକିତ୍ସାଳୟ ଦୁଇବେଳା ଖୋଲା ରହିଥାଏ। ପ୍ରାୟ ଦୁଇ ବର୍ଷ ପୂର୍ବେ ଦୈନିକ ୧୫୦ରୁ ଅଧିକ ଲୋକ ଚିକିତ୍ସିତ ହେଉଥିଲେ। ତେବେ ନିୟମିତ ଡାକ୍ତର ରହୁ ନଥିବାରୁ ଏହି ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଏହି କେନ୍ଦ୍ରକୁ ଦିନକୁ ମାତ୍ର ୧୦ରୁ ୨୦ ଜଣ ଲୋକ ଆସୁଛନ୍ତି। ସେହିପରି ଲାବରେଟୋରୀ ସହାୟକ ଓ ଟେକ୍‌ନିସିଆନ୍‌ ପଦ ଖାଲିପଡିଛି। ଏହି କେନ୍ଦ୍ରରେ ତିନି ଜଣ ନର୍ସ ଆବଶ୍ୟକଥିବାବେଳେ ଜଣେ ଚୁକ୍ତିଭିତ୍ତିକ ନର୍ସରେ କାମ ଚାଲିଛି। କୌଣସି ଦୁର୍ଘଟଣା କିମ୍ବା ରାତିରେ କୌଣସି ବିଦ୍ୟାର୍ଥୀଙ୍କ ଦେହ ଖରାପ ହେଲେ ତାଙ୍କୁ କର୍ତ୍ତୃପକ୍ଷ ଘରୋଇ ମେଡିକାଲକୁ ନେଉଥିବା ଅଭିଯୋଗ ହୋଇଛି। କୁଳସଚିବ ଦୟାନିଧି ନାୟକ କହିଛନ୍ତି; ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ଅନୁଧ୍ୟାନ କରାଯିବା ପରେ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।

Comments are closed.