ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ଆଜି, ଯୋଗଦେବେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହେବ। ଉତ୍ସବରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ୫ ବ୍ୟକ୍ତିତ୍ବଙ୍କୁ ସମ୍ମାନଜନକ ଡିଲିଇଟି ଉପାଧି ପ୍ରଦାନ କରାଯିବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନରାଲ ଅଫ୍‌ ଇଣ୍ଡିଆ (ସିଏଜି) ଗିରୀଶଚନ୍ଦ୍ର ମୁର୍ମୁ, ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର (ବାର୍କ)ର ନିର୍ଦେଶକ ଅଜିତକୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟକୁମାର ସାହୁଙ୍କୁ ଏହି ଉପାଧି ପ୍ରଦାନ କରାଯିବ।
ଉତ୍ସବରେ ୨୦୧୯-୨୦ ଶିକ୍ଷାବର୍ଷର ୪୧ ଜଣଙ୍କୁ ପିଏଚ୍‌ଡି ଓ ୯୦ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟରେ ଉପ-ରାଷ୍ଟ୍ରପତି ଏକ ଘଣ୍ଟା ରହିବେ। ପୂର୍ବାହ୍ନ ୧୦ଟା ୩୦ରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଉପ-ରାଷ୍ଟ୍ରପତି ଶ୍ରୀ ନାଇଡୁ ବିଶ୍ବବିଦ୍ୟାଳୟରେ ପହଞ୍ଚିବେ। ୧୧ଟା ୩୦ରେ ଉପ-ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟରୁ ଫେରିବେ। ନୂଆ ସମାବର୍ତ୍ତନ ପ୍ରେକ୍ଷାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। କରୋନା କଟକଣା ଯୋଗୁଁ ୫ ଶହ ବଦଳରେ ୨ ଶହ ଜଣ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନିଆଯାଇଛି। ଏକାଡେମିକ କାଉନସିଲ, ସିନେଟ୍ ସଦସ୍ୟଙ୍କ ସହ କେବଳ କେତେs ହାତଗଣତି ଅତିଥିଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିଛି।

Comments are closed.