ପୁଣି ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ, କ୍ୟାମ୍ପସ୍‌ ଖୋଲୁଖୋଲୁ ଦୁଇ ଗୋଷ୍ଠୀ ମୁହାଁ ମୁହିଁ

ଭୁବନେଶ୍ବର/ଉତ୍ତରଭୁବନେଶ୍ୱର: କୋଭିଡର ୯ ମାସ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ଖୋଲିବାର ୭ ଦିନ ନ ପୂରୁଣୁ ସୋମବାର କ୍ୟାମ୍ପସ୍‌ ଅଶାନ୍ତ ହୋଇପଡ଼ିଛି। ରବିବାର ଦୁଇ ଜଣଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରୁ ସୋମବାର ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇ ଉଭୟ ଗୋଷ୍ଠୀର ଛାତ୍ର ଆହତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି। ଉଭୟ ଛାତ୍ରଗୋଷ୍ଠୀ ପରସ୍ପର ବିରୋଧରେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣ ପ୍ରତିବାଦରେ ବିଳମ୍ବିତ ରାତିରେ ହଷ୍ଟେଲ ସମ୍ମୁଖରେ ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି। ସେମାନଙ୍କୁ ରାତିରେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ବୁଝାସୁଝା କରିଛନ୍ତି।

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ବବିଦ୍ୟାଳୟ ଆଲୁମିନି ପାର୍କରେ ହୋଇଥିବା ନିମ୍ନମାନର କାମକୁ ନେଇ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ବାଣୀବିହାର ପରିସରରେ ନିର୍ମାଣ କାମ ଗୋଟିଏ ଗୋଷ୍ଠୀର ଛାତ୍ର କରୁଥିବା ନେଇ ଅନ୍ୟ ଗୋଷ୍ଠୀ ଛାତ୍ର ଅଭିଯୋଗ କରିଛନ୍ତି। ତେବେ ଏହି କାମ ନିମ୍ନମାନର ହୋଇଛି ବୋଲି ଅନ୍ୟ ଗୋଷ୍ଠୀ ପ୍ରତିବାଦ କରିବାରୁ ଏହାକୁ ନେଇ ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ଏବଂ ଗଣ୍ଡଗୋଳ ହୋଇଥିଲା। ଏଥିରେ ୩ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ତେବେ ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ମିଳୁଥିବାରୁ ଏହାକୁ ନେଇ ସୋମବାର ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ସହିଦନଗର ପୁଲିସ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆପୋସ ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରିଥିଲା। ଗତକାଲି ଏହି ପାର୍କ କାମକୁ ନେଇ କ୍ୟାମ୍ପସ୍‌ ବାହାରେ କିଛି ବିଦ୍ୟାର୍ଥୀଙ୍କ ମଧ୍ୟରେ ଠେଲାପେଲା ହୋଇଥିବାରୁ ଏହାକୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ଆଜି ଏହି କଥାକୁ ନେଇ ଉଭୟ ଗୋଷ୍ଠୀର ସମର୍ଥକ ଦିନରେ ସାମ୍ନାସାମ୍ନି ହୋଇଥିଲେ। ଆଲୁମିନି ପାର୍କରେ ନିମ୍ନମାନର କାମ ଏବଂ ଏକ ନିର୍ଦିଷ୍ଟ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ପରିବେଷଣକୁ ଦାୟୀ କରି ହୋ ହଲ୍ଲା କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି ଛାତ୍ର ଆହତ ହୋଇଥିଲେ। ଖବର ପାଇ ସହିଦନଗର ଥାନା ଅଧିକାରୀ ଏବଂ ଜୋନ୍‌ ଏସିପି ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଛାତ୍ରଙ୍କୁ ବୁଝାସୁଝା କରିଥିଲେ। କିଛି ଛାତ୍ରଙ୍କ କହିବା ଅନୁସାରେ ଆଲୁମିନି ପାର୍କରେ ନିମ୍ନମାନର କାମ କରାଯାଉଥିବା ବେଳେ ଗୋପବନ୍ଧୁ ଛାତ୍ରବାସ-୧ରେ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଛି। ଅଭିଯୋଗ କଲେ ମାଡ଼ ଖାଇବାକୁ ପଡୁଛି। ଅନ୍ୟପକ୍ଷରେ ଆଉ ଏକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପାର୍କ କାମ କରିବା ନେଇ ପଇସା ମାଗିବା ସହ କାମ ଦେବାକୁ କିଛି ବିଦ୍ୟାର୍ଥୀ ଦାବି କରିଥିଲେ। ଏହାକୁ ନ ଶୁଣିବାରୁ ସେମାନେ କ୍ୟାମ୍ପସ୍‌ରେ ଗଣ୍ଡଗୋଳ ଘଟାଇଛନ୍ତି। ଆଲୁମିନି ପାର୍କ କାମ ଏକ ଗୋଷ୍ଠୀ ନେବାକୁ ଚାହଁୁଛି ବୋଲି ସେମାନେ ପାଲଟା ଅଭିଯୋଗ କରିଛନ୍ତି। ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ଆଲୁମିନି ପାର୍କ କାମକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଠେଲାପେଲା ଦେଖାଦେଇଥିଲା ତେବେ ତାହା ପୁଲିସ ଆଲୋଚନା ମାଧ୍ୟମରେ ସମାଧାନ କରିଛି। ଘଟଣା ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ରଖାଯାଇଛି।

Comments are closed.