ତେଜିଲା ରୁସା ସଂଯୋଜକଙ୍କ ବଦଳି ଦାବି : କୁଳପତି-ଛାତ୍ରନେତା ମୁହାଁମୁହିଁ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ରୁସା ସଂଯୋଜକ ବଦଳି ଦାବି ତେଜିବାରେ ଲାଗିଛି। ବର୍ତ୍ତମାନର ରୁସା ସଂଯୋଜକ ଏମ୍‍ଫିଲ୍‍ ପରୀକ୍ଷାରେ ଜାଲ୍‌ ଜାତିଗତ ସାର୍ଟିଫିକେଟ୍‍ ଦେଇଥିବା ବିଦ୍ୟାର୍ଥୀ ଅଭିଯୋଗ କରିବା ସହ ତାଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ଆଜି ଦୁଇ ଜଣ ଛାତ୍ର ପ୍ରତିନିଧି କୁଳପତିଙ୍କୁ ଭେଟିବାକୁ ଯାଇଥିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କୁଳପତି ଓ ଛାତ୍ର ନେତାଙ୍କ ମଧ୍ୟରେ କଥା କଟାକଟି ହେବା ସହ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଫଳରେ କୁଳପତି ବସିଥିବା ବୈଠକ ଛାଡ଼ି ଅଧାରୁ ପଳାଇଥିଲେ।

କୁଳପତି ଅସଦାଚରଣ କରିଥିବା ଅଭିଯୋଗ କରି ବିଦ୍ୟାର୍ଥୀ ଏକତ୍ର ହୋଇ ପିଜି କାଉନସିଲ ହଲ୍‍ରେ ତାଲା ପକାଇବା ସହ ମୁଖ୍ୟ ଫାଟକରେ କିଛି ସମୟ ପାଇଁ ତାଲା ପକାଇଥିଲେ। ପିଜି କାଉନସିଲ୍‍ ହଲ୍‍ରେ ତାଲା ପଡ଼ିବା ଯୋଗୁଁ ପିଜି କାଉନସିଲ ଅଧ୍ୟକ୍ଷା, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ବହୁ ଅଧିକାରୀ ଦୀର୍ଘ ସମୟ ଧରି ଅଟକ ରହିଥିଲେ।
ଅପରପକ୍ଷେ ବିଦ୍ୟାର୍ଥୀ ଦୁର୍ବ୍ୟବହାର କରିଥିବା ଓ ଫାଟକରେ ତାଲା ପକାଇ ଆଇନକୁ ହାତକୁ ନେଇଥିବା ପାଲଟା ଅଭିଯୋଗ କରିଥିଲେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ସହିଦନଗର ପୁଲିସକୁ ଫୋନ୍‍ କରି ସେ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଦିଲ୍ଲୀରୁ ଆସିଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବୈଠକ ବେଳେ କିଛି ପୁରାତନ ଛାତ୍ର ବିଶୃଙ୍ଖଳା କରିବା ସହ ଖରାପ ଭାଷାରେ ଗାଳି କରିଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ପୁଲିସ କ୍ୟାମ୍ପସ୍‍ରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିବା ପରେ ଫାଟକ ଖୋଲିବା ସହ ଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ଶୁକ୍ରବାର ପୁଲିସ ଉପସ୍ଥିତିରେ ଛାତ୍ର ନେତାଙ୍କ ସହ ପୂର୍ବାହ୍ନ ୧୧ରେ କୁଳପତି ଆଲୋଚନା କରିବେ। ଅନ୍ୟପକ୍ଷରେ ରୁସା ସଂଯୋଜକଙ୍କୁ ଆସନ୍ତାକାଲି ବହିଷ୍କାର କରା ନଗଲେ ଛାତ୍ରଛାତ୍ରୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.