ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷାର କରୁଣ ଚିତ୍ର : ୮ ବର୍ଷ ପରେ ବି ମିଳୁନି ପ୍ରମାଣପତ୍ର

ପରୀକ୍ଷା ପରିଚାଳନା ବିଭାଗରେ କର୍ମଚାରୀ ସଙ୍କଟ

ଭୁବନେଶ୍ବର  :ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷାର କରୁଣ ଚିତ୍ର ଦେଖିବାକୁ ମିଳୁଛି। ଏହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହେବାର ପ୍ରାୟ ୮ ବର୍ଷ ପରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କର ଅରିଜିନାଲ ସାଟିର୍ଫିକେଟ୍‌ (ମୂଳ ପ୍ରମାଣପତ୍ର ପାଇପାରିନାହାନ୍ତି। ଏହି ଘଟଣାକୁ ନେଇ ବିଶ୍ବବିଦ୍ୟାଳୟର ପରୀକ୍ଷା ପରିଚାଳନାର ସ୍ଥିତି ଅନୁମେୟ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରୀକ୍ଷା ପରିଚାଳନା ବିଭାଗରେ କର୍ମଚାରୀ ଅଭାବ ଏହି ସମସ୍ୟାକୁ ଦ୍ବିଗୁଣିତ କରିଛି। ଅଧାରୁ ଅଧିକ କର୍ମଚାରୀ ପଦ ଖାଲି ଥିବାବେଳେ ହାତଗଣତି କର୍ମଚାରୀଙ୍କୁ ନେଇ ଚାଲିଛି ଏହି ବିଭାଗ। ସେଥିଯୋଗୁଁ ମନ୍ଥର ଗତିରେ ସାର୍ଟିଫିକେଟ୍‌ ବିତରଣ କରାଯାଇଥିବାରୁ କେବେ ସମସ୍ତ ସାର୍ଟଫିକେଟ୍‌ ବିତରଣ କରାଯିବ ତାକୁ ନେଇ ଦେଖାଦେଇଛି ପ୍ରଶ୍ନବାଚୀ।

ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ୯ଟି ଜିଲାର ପ୍ରାୟ ୩୪୦ ମହାବିଦ୍ୟାଳୟର ୨୦୧୨ରୁ ୨୦୧୬ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ସ୍ନାତକ ଛାତ୍ରଛାତ୍ରୀ ନିଜର ଅରିଜିନାଲ ସାଟିର୍ଫିକେଟ୍‌ (ମୂଳ ପ୍ରମାଣପତ୍ର)ଏଯାବତ୍‌ ପାଇପାରୁନାହାନ୍ତି। ୨୦୦୯ରେ +୩ ପାଠ୍ୟକ୍ରମରେ ନାମଲେଖାଇ ୨୦୧୨ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏଯାବତ୍‌ ସେମାନଙ୍କର ଅରିଜିନାଲ ସାର୍ଟିଫିକେଟ୍‌ ପାଇପାରିନାହାନ୍ତି। ସେମାନଙ୍କୁ ପ୍ରୋଭିଜିନାଲ ସାର୍ଟିଫିକେଟ୍‌ ଦେଇଥିଲେ ମଧ୍ୟ ଅରିଜିନାଲ ସାର୍ଟିଫିକେଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇନି। କିଛି ମାସ ମଧ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୨୦୧୬ରୁ୨୦୧୮ ବ୍ୟାଚ୍‌ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ୍‌ ବିତରଣ କରିଥିଲେ ମଧ୍ୟ ପୁରୁଣା ଛାତ୍ରଛାତ୍ରୀଙ୍କୁ ସାର୍ଟଫିକେଟ୍‌ ମିଳିନି। ମାସେ କି ଦୁଇ ମା​‌ସ ନୁହେଁ ପ୍ରାୟ ଆଠବର୍ଷ ହେଲା ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ମୂଳ ପ୍ରମାଣପତ୍ର ପାଇନାହାନ୍ତି।​‌ ୟୁଜିସି ନିୟମ ମୁତାବକ ଫଳ ପ୍ରକାଶ ହେବାର ୯୦ ଦିନ ମଧ୍ୟରେ ସମାବର୍ତ୍ତନ ଉତ୍ସବରେ ସାର୍ଟିଫିକେଟ୍‌ ଦେବାର ନିୟମ ରହିଛି। ତେବେ ଏହି ନିୟମକୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଳନ ନକରି ଛାତ୍ରଛାତ୍ରୀଙ୍କୁ ଅରିଜିନାଲ ସାର୍ଟିଫିକେଟ୍‌ ଦେଇ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ପ୍ରତି ବିଦ୍ୟାର୍ଥୀଙ୍କଠାରୁ ସାର୍ଟିଫିକେଟ୍‌ ବାବଦରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୦ ଟଙ୍କା ନେଇଥିଲେ ମଧ୍ୟ ଏଯାବତ୍‌ ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ ମହାବିଦ୍ୟାଳୟକୁ ପଠାଇନାହାନ୍ତି। ୨୦୧୯ ସମାବର୍ତ୍ତନ ଉତ୍ସବରେ ସମସ୍ତ ସାର୍ଟିଫିକେଟ୍‌ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ପରେ ଖରା ଛୁଟି ପରେ ଦିଆଯିବ ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଥିଲେ। ଚାକିରି ପାଇବା ପରେ ହେଉ କିମ୍ବା ଅନ୍ୟ କାମରେ ଅରିଜିନାଲ ସାର୍ଟିଫିକେଟ୍‌ ବିଦ୍ୟାର୍ଥୀଙ୍କର ଆବଶ୍ୟକ ହେବା ମାତ୍ରେ ସେମାନେ ମହାବିଦ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ପରେ ଅନ୍ୟ କିଛି ଉପାୟ ନଥିବାରୁ ଦୂରଦୂରାନ୍ତରୁ ବିଦ୍ୟାର୍ଥୀ ସାର୍ଟିଫିକେଟ୍‌ ପାଇଁ ବିଶ୍ବବିଦ୍ୟାଳୟ ଆସି ସମସ୍ୟା ଭୋଗ କରୁଛନ୍ତିି।

ଅପରପକ୍ଷେ ଉତ୍କଳ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା ବିଭାଗର ମୋଟ ୧୫ ବିଭାଗରେ ପ୍ରାୟ ୭୫ଟି କର୍ମଚାରୀଙ୍କୁ ସରକାରୀ ଭାବେ ମଞ୍ଜୁରି ମିଳିଥିବାବଳେ ପ୍ରାୟ ୩୦ ଜଣଙ୍କୁ ନେଇ ବର୍ତ୍ତମାନ କାମ ହେଉଛି। ଜୁନିୟର ଆସିଷ୍ଟାଣ୍ଡ, ସେକ୍ସନ୍‌ ଅଫିସର ଭଳି ବିଭିନ୍ନ ପଦ ଖାଲି ରହିଛି। କାମ କରିବା ପାଇଁ ଅନ୍ୟ ଘରୋଇ ସଂସ୍ଥାରୁ କିଛି କର୍ମଚାରୀ ଅଣାଯାଇଥିଲେ ମଧ୍ୟ ସେମାନେ ଅଣକୁଶଳୀ ଓ କାର୍ଯ୍ୟରେ ଅଭ୍ୟସ୍ତ ନଥିବାରୁ ସାର୍ଟଫିକେଟ୍‌ ବିତରଣରେ ସମସ୍ୟା ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। କର୍ମଚାରୀ ସମସ୍ୟାକୁ ନେଇ ପରୀକ୍ଷା ପରିଚାଳନା ବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ଉପରସ୍ଥ ଅଧିକାରୀ ଜାଣିଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ବର୍ତ୍ତମାନ ପ୍ରାୟ ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ସାର୍ଟିଫିକେଟ୍‌ ବିତରଣ ହେବାର ଆବଶ୍ୟକତା ରହିଛି। ତନ୍ମଧ୍ୟରୁ କିଛି ପ୍ରସ୍ତୁତ ହୋଇଥିବାବେଳେ ଅନ୍ୟଗୁଡିକ ଏପର୍ଯ୍ୟନ୍ତ ଛାପାଯାଇନି। ସାର୍ଟିଫିକେଟ୍‌ଗୁଡିକ କେବେ ବିଶ୍ବବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟକୁ ଯିବ ତାକୁ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି କହିଛନ୍ତି ୨୦୧୨-୧୬ ବ୍ୟାଚ୍‌ ବ୍ୟତୀତ ଅନ୍ୟ ସାର୍ଟିଫିକେଟ୍‌ ବିତରଣ ସରିଛି। ୨୦୧୨ରୁ୧୬ ବ୍ୟାଚ୍‌ ସାର୍ଟିଫିକେଟ୍‌ କିଛି ଛାପା ହେବାକୁ ଯାଇଥିବାବେଳେ ଅନ୍ୟଗୁଡିକ ଯାଞ୍ଚ କରାଯାଇଛି। ଯାଞ୍ଚ ସରିବା ପରେ ଖୁବ୍‌ ଶୀଘ୍ର ପର୍ଯ୍ୟାୟକ୍ରମେ ସମସ୍ତ ମହାବିଦ୍ୟାଳୟକୁ ସାର୍ଟିଫିକେଟ୍‌ ପଠାଯିବ।

Comments are closed.