ଅତିଥି ଅଧ୍ୟାପକଙ୍କ ଭରସାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ

ଭୁବନେଶ୍ବର: ୧୯୬୪ରୁ ୨୦୨୧ ଦୀର୍ଘ ଯାତ୍ରା। ଓଡ଼ିଶା ନୃତ୍ୟ ସଙ୍ଗୀତ ତଥା କଳା ସଂସ୍କୃତି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ। ଷାଠିଏ ଦଶକରୁ ସଂସ୍କୃତିର ମଙ୍ଗ ଧରିଆସିଛି। ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛି ଏହି ମହାବିଦ୍ୟାଳୟ। ଯେଉଁମାନେ କି ଆଜି ପ୍ରତିଷ୍ଠିତ। ଗତ ୨୦୧୪ରେ ୫୦ ବର୍ଷ ପାଳିଥିଲା ମହାବିଦ୍ୟାଳୟ। ଯେଉଁଠି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଦ ପଡ଼ିଥିଲା। ଏହି ଅନୁଷ୍ଠାନ ଏବେ ଉପେକ୍ଷିତ। ଯଦିଓ ଭିତ୍ତିଭୂମିରେ ସୁଧାର ଆସିଛି କିନ୍ତୁ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କ ଘୋର ଅଭାବ ରହିଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ରହିଥିବାବେଳେ ହେଉନି ସ୍ଥାୟୀ ପ୍ରତିକାର। ଅନେକ ମନ୍ତ୍ରୀ, ସଚିବ ଓ ଅଧ୍ୟକ୍ଷ ଗଲେଣି କିନ୍ତୁ ଅବସ୍ଥା ଯଥାପୂର୍ବଂ ତଥା ପର। ସରକାରଙ୍କ ଆଡ଼ ଆଖିରେ ରହି ଯାଇଥିବା ଏହି ମହାବିଦ୍ୟାଳୟ ଭାଗ୍ୟ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସଙ୍ଗୀତ ମହାବିଦ୍ୟାଳୟର ଦୂର ହେଉନି ସମସ୍ୟା। ଅତିଥି ଅଧ୍ୟାପକଙ୍କ ଭରସାରେ ଚାଲିଛି ମହାବିଦ୍ୟାଳୟ। ଯାହାକୁ ନେଇ ସଂସ୍କୃତିବିତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କରୋନାରେ ଯଦିଓ ଅଫଲାଇନ ପାଠପଢ଼ା ବନ୍ଦ ରହିଛି କିନ୍ତୁ ଅନଲାଇନରେ ପାଠ ପଢ଼ାଯାଉଛି। ସାରା ଭାରତ ବର୍ଷ‌ରେ ସଙ୍ଗୀତ ମହାବିଦ୍ୟାଳୟ ହେଉଛି ଏକମାତ୍ର ଅନୁଷ୍ଠାନ ଯେଉଁଠି ପାଖାପାଖି ୧୬ଟି ବିଭାଗରେ ଶିକ୍ଷା ପ୍ରଦାନ କରାଯାଉଛି। ଏଠାରେ ଯୁକ୍ତ ଦୁଇ (୨ବର୍ଷ) ସହିତ ବିପିଏ ପାଠ୍ୟକ୍ରମ (୪ବର୍ଷ) ଦିଆଯାଉଛି। ଇଂରାଜୀ, ଓଡ଼ିଆ, ସଂସ୍କୃତ, ଇତିହାସ, ଅର୍ଥନୀତି, ରାଜନୀତି ବିଜ୍ଞାନ ସହିତ ମୋଟ ୧୦ଟି ବିଭାଗରେ ଶିକ୍ଷାଦାନ କରାଯାଉଛି। ଓଡ଼ିଶୀ ନୃତ୍ୟ ସହିତ ବାଦ୍ୟ, ସଙ୍ଗୀତ, ଅଭିନୟ ଆଦିରେ ଶିକ୍ଷାଦାନ କରାଯାଉଛି। ଆବଶ୍ୟକ ଅନୁସାରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ କର୍ମଚାରୀ ନାହାନ୍ତି। ମୋଟ ୬୪ ମୂଳ ପଦବୀରୁ ଅଛନ୍ତି ୨୩ କର୍ମଚାରୀ ଯେଉଁଥିରେ ଅଧ୍ୟାପକ ଓ ପ୍ରଶାସନିକ ସହିତ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ବର୍ତ୍ତମାନ ନିୟମିତ ୯ ଅଧ୍ୟାପକ ଓ ୪ ସହାୟକ ଅଧ୍ୟାପକ ଅଛନ୍ତି।

ସେହିପରି ଅତିଥି ଅଧ୍ୟାପକ ୧୦ ଜଣ ଅଛନ୍ତି। ଏହାଦ୍ବାରା ପାଠପଢ଼ା ସହିତ ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ବାଧାପ୍ରାପ୍ତ ହେଉଛି। ପୂର୍ବରୁ ମହାବିଦ୍ୟାଳୟରେ ୫ଜଣ କିରାଣି ଥିବାବେଳେ ବର୍ତ୍ତମାନ ଜଣେ କିରାଣି କାର୍ଯ୍ୟ କରୁଛନ୍ତି। ୟୁଜିସି କାର୍ଯ୍ୟ, ଆରଟିଆଇ ଏବଂ ପରୀକ୍ଷା କାର୍ଯ୍ୟ ନିମନ୍ତେ ମଧ୍ୟ କର୍ମଚାରୀ ନାହାନ୍ତି। ‌େ‌ସହିପରି ପୂର୍ବରୁ ଜଣେ ଗ୍ରନ୍ଥାଗାରିକ ସହିତ ଜଣେ ସହକାରୀ ରହିଥିବାବେଳେ ଏବେ କୌଣସି କର୍ମଚାରୀ ନାହାନ୍ତି। ଲାଇଟ୍‌, ସାଉଣ୍ଡ୍‌ ଚଳାଇବା ଏବଂ ସଜାଡ଼ିବା ପାଇଁ ଏଠା‌ରେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି କରାଯାଇନାହିଁ। ସଂସ୍କୃତି ବିଭାଗ ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହିତ ଅନେକ ଉତ୍ସବ ଆୟୋଜନ କରୁଛି। ମାତ୍ର ସଙ୍ଗୀତ ମହାବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଉନାହିଁ। ୮୦୦ରୁ ଅଧିକ ପିଲା ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ପଢୁ ଥିବାବେଳେ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଉଠିଛି।

ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନା କହିଛନ୍ତି ପୂର୍ବରୁ ଏହି ସମସ୍ୟା ନେଇ ବିଭାଗକୁ ଲେଖାଯାଇଛି। ଓପିଏସ୍‌ସି ଜରିଆରେ ନିକଟରେ ଅଧ୍ୟାପକ ଯୋଗଦେଇଛନ୍ତି। ଅତିଥି ଅଧ୍ୟାପକ ଭାବେ ୧୦ ଜଣ ଥିବାବେଳେ ଆଉ ୧୨ ଜଣଙ୍କୁ ସାକ୍ଷାତକାର ଜରିଆରେ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ ଦଳାଇ କହିଛନ୍ତି ଏଦିଗରେ ଆଲୋଚନା କରାଯାଇ ରହିଥିବା ନିୟମ ଆଧାରରେ ପଦକ୍ଷେପ ନିଆଯିବ।

Comments are closed.