‘ଉତ୍କଳ ସାହିତ୍ୟ ସମାଜ’ର ସମାବର୍ତ୍ତନ ଉତ୍ସବ ଉଦ୍‍ଯାପିତ

କଟକ : ଭାରତୀୟ ଦର୍ଶନ ବ୍ୟକ୍ତିର ବ୍ୟଥାକୁ ମାନବତାର ସୁଗନ୍ଧରେ ଭରିଦେଇପାରେ। ସ୍ୱଭାବରେ ମଧୁରତା, ସୌନ୍ଦର୍ଯ୍ୟରେ ମଧୁରତା ହେଉଛି ଭାରତର ତତ୍ତ୍ବ ଦର୍ଶନ ଯାହା ପୁତନାର ପ୍ରାଣ ବି ନେଇପାରେ, ଯଶୋଦାଙ୍କ ପ୍ରେମମୟ ଗୀତିରେ ବି ଉଦ୍‍ବୁଦ୍ଧ କରିପାରେ। ବିଭେଦତା ମଧ୍ୟରେ ଏକତାର ବାର୍ତ୍ତା ଦିଏ। ଆମେ ଆନନ୍ଦରେ ଆସିଛୁ, ଆନନ୍ଦରେ ରହିବାକୁ ଚାହୁଁ, ଆଉ ଆନନ୍ଦରେ ଫେରିଯିବାକୁ ମଧ୍ୟ ଚାହୁଁ। ସର୍ବୋପରି ସତ୍‍-ଚିତ୍‍-ଆନନ୍ଦର କଥା କହେ ଭାରତୀୟ ଦର୍ଶନ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ କହିଛନ୍ତି।
ରବିବାର ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ପରିସରସ୍ଥ ଶତାବ୍ଦୀ ଭବନଠାରେ ଉତ୍କଳ ସାହିତ୍ୟ ସମାଜର ୧୧୭ତମ ସମାବର୍ତ୍ତନ ଓ ସାରସ୍ବତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠାନର ସଭାପତି ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଦୁନିଆରେ ଯେତିକି ସାହିତ୍ୟ ସୃଷ୍ଟି ହୋଇଛି ସେସବୁ ଚାରି ପ୍ରକାର। ତାହା ହେଲା ପ୍ରବନ୍ଧ ଶାସ୍ତ୍ର ଯାହା ମହାଭାରତରେ ଅଛି, ସମ୍ବନ୍ଧ ଶାସ୍ତ୍ର ଯାହା ରାମାୟଣ ଏବଂ ଅନ୍ୟ ଦୁଇଟି ହେଲା ନେତୃତ୍ୱ ନେବାର ଗୁଣ ବିକାଶ ଶାସ୍ତ୍ର ଓ ଆତ୍ମବିକାଶ ଶାସ୍ତ୍ର। ଭାରତୀୟ ଦର୍ଶନକୁ ସାରସ୍ୱତ ସାଧକମାନେ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ କରିଛନ୍ତି। ଆମ ଦେଶରେ ଭାଷା, ରାଜ୍ୟ, ପ୍ରାଣ, ପଥ ଆଦି ଅନେକ ହୋଇଥିବା ବେଳେ ହସ ଏକ। ଏହା କୌଣସି ପ୍ରତିବନ୍ଧକ ମାନେନା। ସବୁ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି। ଏହି ତତ୍ତ୍ବ ଦର୍ଶନକୁ ଆମ ଋଷିମାନେ ଦେଖୁଥିଲେ। ଏବେ ସାରା ବିଶ୍ବରେ ‘ମୁଁ ଅଛି ଏବଂ ମୁଁ ନାହିଁ’ ଏହି ଦୁଇଟି ତତ୍ତ୍ବ ବିଦ୍ୟମାନ। ସାରା ମଣିଷ ଏହା ଦ୍ବାରା ପରିଚାଳିତ। ଏପରିସ୍ଥିତିରେ ସକଳ ମାୟାକୁ ଅତିକ୍ରମ କରିବାର ଶକ୍ତି ଯୋଗାଇଥାଏ କେବଳ ଅଧ୍ୟାତ୍ମ ଓ ସାହିତ୍ୟ। ଡକ୍ଟର ସିଂହ କହିଲେ ସାହିତ୍ୟ ଆତ୍ମପ୍ରତ୍ୟୟ ସୃଷ୍ଟିକରେ, ଆତ୍ମପ୍ରତ୍ୟୟ ବୃଦ୍ଧିକରେ। ଆତ୍ମବିଶ୍ବାସକୁ ସମ୍ପ୍ରସାରିତ କରିବାରେ ସାହିତ୍ୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ସାହିତ୍ୟ ହେଉଛି ମାନବାତ୍ମାର ମକ୍ତିମନ୍ତ୍ର। ଉତ୍କଳ ସାହିତ୍ୟ ସମାଜ ଓଡ଼ିଆ ଜାତିର ଉଜ୍ବଳ ଆଲୋକସ୍ତମ୍ଭ। ଏହା ଜରିଆରେ ଓଡ଼ିଆ ନବଜାଗରଣ ପର୍ବ ଆନୁଷ୍ଠାନିକ ରୂପ ନେଲା ସାହିତ୍ୟ ମାଧ୍ୟମରେ। ଏହି ଅନୁଷ୍ଠାନ ପ୍ରତିଷ୍ଠା ସମୟରେ ମାତ୍ର କେତୋଟି ଜିଲାରେ ସୀମିତ ଥିବାବେଳେ ଏବେ ଏହା ସାରା ରାଜ୍ୟର ତିରିଶଟି ଜିଲାକୁ ସମ୍ପ୍ରସାରିତ ହୋଇଛି। ‘ଉତ୍କଳ ସାହିତ୍ୟ ସମାଜ’ର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ଗ୍ରହଣ କରି ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର କହିଲେ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ କ୍ଷେତ୍ରକୁ ପରିପୁଷ୍ଟ କରିବାରେ ଉତ୍କଳ ସାହିତ୍ୟ ସମାଜର ଭୂମିକା ଅତୁଳନୀୟ। ଏପରି ଅନୁଷ୍ଠାନ ଭାରତବର୍ଷରେ ବିରଳ।
ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ ସମାଲୋଚନା ସମ୍ମାନ, ନବୀନ କିଶୋର ପଟ୍ଟନାୟକଙ୍କୁ କବିଚନ୍ଦ୍ର ସଙ୍ଗୀତଗୁରୁ ସମ୍ମାନ, ଦେବରାଜ ସାମନ୍ତରାୟଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ପରେଶ ପଟ୍ଟନାୟକଙ୍କୁ ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ନବକିଶୋର ଦାସଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, କମଳାକାନ୍ତ ଜେନାଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଭଗବାନ ଜୟସିଂହଙ୍କୁ ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଫକୀର ମୋହନ ସାହୁଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ମନୋଜ ମଞ୍ଜରୀ ମିଶ୍ରଙ୍କୁ ବସନ୍ତ କ୍‍ୁମାରୀ ଦେବୀ ଲେଖିକା ସମ୍ମାନ, ବଦ୍ରି ମିଶ୍ରଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ଶାନ୍ତିଲତା ବାରିକ୍‍ ଛୋଟରାୟଙ୍କୁ ଭିକାରୀ ବଳ କଣ୍ଠ ଶିିଳ୍ପୀ ସମ୍ମାନ, ସୁବାସିନୀ ଲେଙ୍କାଙ୍କୁ ବିିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଡମ୍ବରୁଧର ପଟ୍ଟନାୟକଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ପୁରୁଷୋତ୍ତମ ପଟ୍ଟନାୟକଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ, ଡକ୍ଟର ସୁଶୀଳ କୁମାର ବାଗଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ, ଶୁଭେନ୍ଦୁ ଶେଖର ରଥଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଡକ୍ଟର କୀର୍ତ୍ତନ ନାରାୟଣ ପାଢ଼ୀଙ୍କୁ ନିରଞ୍ଜନ ଦାସ ଭାଷା ସମ୍ମାନ, ଡକ୍ଟର ଇତି ସାମନ୍ତଙ୍କୁ ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ ଓ ପଦ୍ମ୍‍ନାଭ ବେହେରାଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ଓ ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ ରାଜ୍ୟପାଳ ପ୍ରଦାନ କରିଥିଲେ।
ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜ’ ଆନୁକୂଲ୍ୟରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ ସମାଜ ଇତିହାସ’, ‘ବିବିଧ ଅଭିଭାଷଣ’ ଓ ‘ଓଡ଼ିଶା ଓ ଓଡ଼ିଆ ସାହିତ୍ୟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ଉପ-ସଭାପତି ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ, ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉପ-ସଭାପତି ମନୋଜ ପଟ୍ଟନାୟକ ଓ ସୁଶାନ୍ତ କୁମାର ନାୟକ ମାନପତ୍ର ପାଠ କରିଥିଲେ। ସଙ୍ଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଉତ୍ସବ ପରିଚାଳନା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଲବ୍ଧପ୍ରତିଷ୍ଠ ସାରସ୍ୱତ ସାଧକ ଓ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

Comments are closed.