ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ତିଳତର୍ପଣ ଓ ସର୍ବଧର୍ମ ପ୍ରାର୍ଥନାସଭା

କଟକ : ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ତମ ଶ୍ରାଦ୍ଧଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଶୁକ୍ରବାର ସକାଳେ ମହାନଦୀର ଗଡ଼ଗଡେଶ୍ୱର ଘାଟରେ ତିଳତର୍ପଣ କରାଯିବା ପରେ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଗୋପବନ୍ଧୁ ଛକରେ ନୂତନଭାବେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଗୋପବନ୍ଧୁବାଗ ପାର୍କସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଗୋପବନ୍ଧୁ ଭବନରେ ସର୍ବଧର୍ମ ପ୍ରାର୍ଥନାସଭା ଅନୁଷ୍ଠିତ ହୋଇଥିଲା। ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ. ପ୍ରଭାସ ଆଚାର୍ଯ୍ୟ ଗୀତା ଆବୃତ୍ତି କରିଥିବାବେଳେ ଇମ୍‌ତିଆଜ ଅହମ୍ମଦ କୋରାନ ଓ ଇଦୁ କୁମାରୀ ବାଇବେଲ ପାଠ କରିଥିଲେ। ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହିସବୁ କାର୍ଯ୍ୟକ୍ରମରେ ଡଃ ଆଚାର୍ଯ୍ୟ, ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି, ‘ସମାଜ’ର ଯୁଗ୍ମମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବିଧାୟକ ଇଂ ମହମ୍ମଦ ମୋକିମ୍‍, ପ୍ରଫେସର ବସନ୍ତ କୁମାର ପଣ୍ଡା, ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଡା.ଦୀପକ ରାଜ୍‍, ଭବାନୀ ପ୍ରସାଦ ମିଶ୍ର, ଇଂ ଆକାଶ ଭୂୟାଁ, ମହିଳା କଂଗ୍ରେସ ସଭାପତି ଶୈଳବାଳା ଜେନା, ରାଜ୍ୟ ଯୁବକଂଗ୍ରେସ ସଭାପତି ମହମ୍ମଦ ଅଲ୍ଲିମ, ଲିଆକୁଦ୍ଦିମନ ଅହମ୍ମଦ, ଲିଜାରାଣୀ ରାଉତ, ଶ୍ରୀୟା ସମ୍ବେଦନା, ମହମ୍ମଦ ଅଲ୍ଲୀ, ଗୁଲାମଉଦ୍ଦିନ, ସେକ ଜିଆଉଦ୍ଦିନ, ସୁରଜିତକୁମାର ସାହୁ, ତୃପ୍ତି ଦାସଙ୍କ ସମେତ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧସଂଖ୍ୟାକୁ ମୁଦ୍ରାକର ଓ ପ୍ରକାଶକ ଶ୍ରୀ ରଥ ଉନ୍ମୋଚନ କରିଥିଲେ। ବିଧାୟକ ଉନ୍ନୟନ ପାଣ୍ଠିରୁ ଦରିଦ୍ର, ଅସହାୟ ଲୋକଙ୍କ ସହାୟତା ନିମନ୍ତେ ବିଧାୟକ ମୋକିମ ୧୨୦ ଖାଦ୍ୟ ପୁଡିଆ ‘ସମାଜ’ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, କୋରାପୁଟ, କେନ୍ଦୁଝର, ଅନୁଗୋଳ ଏବଂ ବାଲେଶ୍ୱର କାର୍ଯ୍ୟାଳୟରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି।

Comments are closed.