ଆଜି ଉତ୍କଳ ଦିବସ, ସୀମାନ୍ତରେ ଭାଷା ବିପନ୍ନ ଭୁଖଣ୍ଡ ଉପରେ ଆନ୍ଧ୍ରର ନଜର

ପାତ୍ରପୁର: ଓଡ଼ିଶା ପ୍ରଦେଶ ଗଠନର ଇତି ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଛି। ପ୍ରଦେଶ ଗଠନର ସେହି ଦିନକୁ ମନେ ପକେଇବାକୁ ଆଜି ଉତ୍କଳ ଦିବସ ପାଳନ କରାଯାଉଛି। ତେବେ ପ୍ରଦେଶ ଗଠିତ ହେବା ବେଳେ ଯେଉଁସବୁ ସୁବିଧା ଦେବା ନେଇ ଲକ୍ଷ୍ୟ ରହିଥିଲା ତାହା ଆଜି ପର୍ଯ୍ୟନ୍ତ ପୁରୁଣ ହୋଇ ପାରିନାହିଁ। ପ୍ରଦେଶ ଗଠନ ହେବା ପୂର୍ବରୁ ଓଡିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକଟି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା। ଅଂଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆନ୍ଧ୍ର ଇଚ୍ଛାପୁର ଉପରେ ନିର୍ଭର କରୁଥିଲେ। ଯାହାକୁ ଦେଖି ପାତ୍ରପୁର ବ୍ଲକର ସୁରଙ୍ଗୀ ତତ୍କାଳୀନ ଜମିଦାର (ରାଜା ) ଇଚ୍ଛାପୁରଠାରେ ଏକ ବଙ୍ଗଳା ସୁରଙ୍ଗୀ ନାମରେ ନିର୍ମାଣ କରି ଲୋକଙ୍କ ବିଭିନ୍ନ କାର୍ଯ୍ୟ କରୁଥିଲେ। ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ ହେବା ପରେ ଅଭିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ତତ୍କାଳୀନ ଜମିଦାର ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ସୀମାନ୍ତରେ ଥିବା ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ଚିକିଟି ଅଞ୍ଚଳର ତ୍ୟାଗୀ ଦିବାକର ପଟନାୟକ ଗାନ୍ଧୀ କୃଷ୍ଟମୂର୍ତୀ ସମେତ ବହୁ ବ୍ୟକ୍ତି ସହଯୋଗ କରିଥିଲେ।

ସେହି ଅଞ୍ଚଳରେ ଥିବା ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ପଣ୍ଡିତ ଗୋପବନ୍ଧୁ ଦାସ ସୀମାନ୍ତ ଅଂଚଳରେ ପହଞ୍ଚିବା ସହିତ ଶଗଡ଼ ଗାଡ଼ି ଏବଂ ଖାଲି ପାଦରେ ବହୁ ଅଂଚଳ ଗସ୍ତକରି ଥିଲେ। ଗୋପବନ୍ଧୁ ଦାସ ଏହି ଅଞ୍ଚଳକୁ ଗସ୍ତ କରିବା ସହ ବହୁ ଲୋକଙ୍କ ସହିତ ସ୍ୱତନ୍ତ୍ର ପ୍ରଦେଶ ଗଠନ ନେଇ ଆଲୋଚନା କରିବା ସହ ପାତ୍ରପୁର ସମେତ ଅନେକ ସ୍ଥାନରେ ସଭାକରି ଓଡିଆମାନଙ୍କ ଏକତ୍ରିତ କରିବା ଉଦ୍ୟମ କରିଥିଲେ। ଏହା ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା। ଏହା ପରେ ସୀମା ସହିତ ବିଭିନ୍ନ ଗ୍ରାମରେ ଜମିର ସର୍ଭେ ବନ୍ଦୋବସ୍ତ ମାଡ୍ରାସ ପ୍ରସିଡେଣ୍ଟ ତରଫରୁ ୧୯୫୧ ସାଲ ବେଳକୁ ହୋଇଥିଲା। ଏହାର ପଚାଶ ବର୍ଷ ପରେ ପୁଣି ଓଡିଶା ସରକାରଙ୍କ ତରଫରୁ ୨୦୦୦ସାଲରେ ପୁଣି ସର୍ଭେ ହୋଇ ଜମିଜମା ରେକର୍ଡ ନିର୍ଦ୍ଧାରିତ ହୋଇଥିଲା। ତେବେ ଏବେ ମଧ୍ୟ ସୀମାନ୍ତର କେତେକ ଗ୍ରାମରେ ଆନ୍ଧ୍ର ସରକାରଙ୍କ ତରଫରୁ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବା ସହ ନିଜ ଅକ୍ତିଆରକୁ ନେବା ପ୍ରୟାସ ଜାରି ରଖିଛି।

ଆନ୍ଧ୍ର ସରକାର ତରଫରୁ ଦୁଇଟି ଗ୍ରାମରେ କିଛି ମାସ ପୂର୍ବେ ଲୋକମାନଙ୍କୁ ଟଙ୍କା ଜମି ପଟା ପ୍ରଦାନ କରିବା ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ଛଅରୁ ଉର୍ଦ୍ଧ୍ବ ଗ୍ରାମର ଲୋକ ଆନ୍ଧ୍ର ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରି ଥିବା ଦେଖିବାକୁ ମିଳିଛି। ଏହି ସବୁ ଗ୍ରାମ ହେଲା କୁଲାଡି, ସାତପୁରୀ, ଜି, ବଳରାମପୁର, ଗୁଡିଖଳା ଏବଂ ବି ନୂଆଗାଁ ପଞ୍ଚାୟତର କେତେକ ଗ୍ରାମ ରହିଛି।ଲୋକଙ୍କ ପାଖରେ ଉଭୟ ରାଜ୍ୟର ଆଧାର ପଡିକାର୍ଡ ଭୋଟ ପରିଚୟ ପତ୍ର ରହିଛି। କୁଲାଡ଼ି, ସାତପୁରୀ, ଗୁଡିଖଳା ପ୍ରଭୁତି ଗ୍ରାମରେ ଆନ୍ଧ୍ର ଓଡ଼ିଶାର ସମନ୍ତରାଳୟ ଶାସନ ଚାଲିଛି। ଗୁଡିଖଳା କୁଲ।ଡ଼ି ଗ୍ରାମର କେତେକ ପରିବାରକୁ ଆନ୍ଧ୍ର ଟଙ୍କା ଜମି ପଟ୍ଟା ଦେଇଥିବା ବେଳେ ଓଡିଶାରୁ ଲୋକଙ୍କୁ ଆବାସ ଯୋଜନାରେ ଘର, ପଡିକାର୍ଡରେ ଭତ୍ତା ଜିନିଷ ଓ ଭତ୍ତା ପ୍ରଭୁତି ଯୋଗାଯାଉଛି।ତେବେ ଆନ୍ଧ୍ର ପ୍ରଦେଶର ସରକାର ଲୋକଙ୍କୁ ଅଧିକ ଭତ୍ତା ବିଜୁଳି ପିଲାଙ୍କ ପାଠପଢା ପାଇଁ ଅଧିକା ପ୍ରୋତ୍ସାହନ ଯୋଗାଉଛି। ଯାହାକୁ ଦେଖି ଲୋକମାନେ ଉଭୟ ରାଜ୍ୟର ସୁବିଧା ସୁଯୋଗ ପାଉଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରରେ ଥିବା ଓଡ଼ିଆ ଭାଷା ଭାଷୀ ଅଞ୍ଚଳରେ ପିଲାଙ୍କ ପାଠ ପଢା ପାଇଁ ରାଜ୍ୟ ସରକାର ଏବଂ ଉତ୍କଳ ସମିଳନୀ ତରଫରୁ ପ୍ରୟାସ ଜାରିରହିଛି। ବିଭିନ୍ନ ସମୟରେ ଓଡ଼ିଶାର ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି ଅଧିକାରୀ ଏହି ଅଂଚଳ ଗସ୍ତ କରିବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି। ପିଲାଙ୍କୁ ଓଡ଼ିଆ ବହି ସରକାର ଯୋଗାଉଛନ୍ତି। ତେବେ ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବିଦ୍ୟାଳୟମାନଙ୍କରେ ତେଲୁଗୁ ବହି ଶିକ୍ଷକ ଦ୍ୱ।ହି ଦେଇ ପିଲାମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାଇବା ଯୋଗୁଁ ବହୁ ବିଦ୍ୟାଳୟ ଏବେ ତାଲା ଝୁଲୁଛି। ରାତି ପହିଲେ ବ୍ଲକର କେନ୍ଦ୍ର ସ୍ଥଳ ପାତ୍ରପୁର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ପିଲା ଆନ୍ଧ୍ରକୁ ଯାଉଛନ୍ତି।

ସୀମାନ୍ତ ଗୁଡିପଦର ପଞ୍ଚାୟତରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ହୋଇଥିଲା। ପଚାଶ ଲକ୍ଷ ଟଙ୍କା ଅଟକଳରେ ନୂତନ କୋଠା ସହ ଆନୁଷଙ୍ଗିକ ସୁବିଧା କରାଯାଇ ଥିଲା। ତେବେ ଏହି ଗ୍ରାମ ପାର୍ଶ୍ୱ ଖଜୁରିଆଠାରେ ଆନ୍ଧ୍ର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ସମସ୍ତେ ପିଲା ଏହି ବିଦ୍ୟାଳୟକୁ ଚାଲିଯିବା ଯୋଗୁଁ ଏହି ଗ୍ରାମର ଓଡ଼ିଆ ଉଚ୍ଚ ବିଦ୍ୟାଳୟ ଚାରିବର୍ଷ ହେଲା ବନ୍ଦ ରହିଛି। ଏବେ ସୀମାନ୍ତରେ ଥିବା ଦଶରୁ ଉର୍ଦ୍ଧ୍ବ ବିଦ୍ୟାଳୟ ସମସ୍ତ ସୁବିଧା ସତ୍ୱେ ବନ୍ଦ ରହିଛି। କେତେକ ପଂଚାୟତରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ କେବଳ ଓଡ଼ିଆ ଦସ୍ତଖତ କରୁଥିବା ବେଳେ ଓଡ଼ିଆ ଭାଷାକୁ ବୁଝିପାରୁ ନାହାନ୍ତି। ଓଡ଼ିଶାରେ ଥିବା ତେଲୁଗୁ ପିଲା ଏହିଠାରେ ତେଲୁଗୁ ଶିକ୍ଷା ଠିକ ଭାବେ ପାଉନଥିବା ଅଭିଯୋଗ କରି ଆନ୍ଧ୍ର ମୁହାଁ ହେଉଛନ୍ତି। ଆନ୍ଧ୍ର ଯାଉଥିବା ପିଲାଙ୍କୁ ଓଡ଼ିଆ ଶିକ୍ଷା ଦିଆ ଯାଉ ନାହିଁ। ଯାହା ଫଳରେ ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଉଛନ୍ତି।

ଓଡ଼ିଶାର ବିନୁଆଗାଁ ପଂଚାୟତ ସବର ଦୀ ପେଟା ଏବଂ ଗୁଡିପଦର ପଂଚାୟତର ଏସ ବଳରାମପୁର ଗ୍ରାମର ଲୋକମାନେ ପୁର୍ବ ଭଳି ଆନ୍ଧ୍ରର ପୋଷ୍ଟ ଅଫିସରୁ ଡାକ ସୁବିଧା ପାଉଛନ୍ତି। ସବର ଦେଇ ପେଟା ଗ୍ରାମଟି ବି ନୂଆଗାଁ ପଂଚାୟତରେ ରହିଛି। ଗ୍ରାମରେ ୩୫୦ପରିବାର ବସବାସ କରୁଛନ୍ତି। ପଞ୍ଚାୟତରେ ପୋଷ୍ଟ ଅଫିସ ଥିବା ବେଳେ ଲୋକମାନେ ଆନ୍ଧ୍ର ଲୋଧାପୁଟିରୁ ଡାକ ସେବା ପାଉଛନ୍ତି। ସେହିଭଳି ଗୁଡିପଦର ପଞ୍ଚାୟତ ବଳରାମପୁର, ଏସ ବଳରାମପୁର ଗ୍ରାମର ଲୋକମାନେ ଆନ୍ଧ୍ର ଧରମପୁରରୁ ଡାକ ପାଉଛନ୍ତି। ଏହି ପଂଚାୟତରେ ମଧ ଏକ ଡାକ ଘର ରହିଛି। ଏହି ତିନୋଟି ଗ୍ରାମର ବହୁ ଲୋକ ବିଦେଶ ଏବଂ ରାଜ୍ୟ ବାହାରେ ରହୁଥିବା ବେଳେ ଡାକ ମିଳିବାରେ ବିଳମ୍ବ ହେଉଛି। ତେବେ ଓଡ଼ିଶା ଡାକଘରୁ ଡାକ ସୁବିଧା ପାଉଥିବା ଆନ୍ଧ୍ରର ଶାସନ ପ୍ରଭୁତି ଗ୍ରାମର ଲୋକଙ୍କ ପୋଷ୍ଟ ଅଫିସ ବଦଳି ଏବେ ଆନ୍ଧ୍ର ହୋଇଛି। ଆନ୍ଧ୍ରରେ ଓଡ଼ିଶାର ସୀମାନ୍ତ ଗ୍ରାମର କିଛି ଲୋକ ନିଜର ନାମ ଆଧାର ଭୋଟ ପରିଚୟ ପତ୍ରରେ ନାମ ଲେଖିବ।କୁ ଆଗ୍ରହ ପ୍ରକାଶ କରୁଛନ୍ତି। ଦୁଇ ବର୍ଷରେ ଥରେ ସୀମାନ୍ତରେ ଥିବା ପଥର ଚିହ୍ନଟ ହେଉଥିବା ବେଳେ ଅପ୍ରେଲ ପ୍ରଥମ ସପ୍ତାହରୁ ପୁଣି ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ପ୍ରକାଶ କରିଛନ୍ତି।

Comments are closed.