ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୋପବନ୍ଧୁଙ୍କ ଭୂମିକା

ଆଜକୁ ୮୬ବର୍ଷ ପୂର୍ବେ ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ତତ୍କାଳୀନ ଇଂରେଜ ସରକାର ଓଡ଼ିଆ ଜାତିର ଭାଷା ଓ ସଂସ୍କୃତିର ସ୍ବାତନ୍ତ୍ର୍ୟକୁ ସ୍ବୀକାର ପୂର୍ବକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିଥିଲେ। ସମଗ୍ର ଓଡ଼ିଶାବାସୀଙ୍କ ବହୁ ଦିନର ସ୍ବପ୍ନ ସଫଳ ହୋଇଥିଲେ ବି ସିଂହଭୂମି, ଷ​‌େ​‌ଢ଼ଇକଳା, ଖରସୁଆଁ, ଫୁଲଝର ଆଦି ଅନେକ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା।
ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଥିଲେ ମଧୁସୂଦନ ଦାସ ଓ ଦୀନଦରିଦ୍ରର ବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଦାସ। ଯେଉଁ ଗୋପବନ୍ଧୁ ୧୯୦୩ ମସିହାରେ ବ୍ରହ୍ମପୁରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ଛାତ୍ର ସ୍ବେଚ୍ଛାସେବକଭାବେ ଯୋଗ ଦେଇଥିଲେ, ସେହି କର୍ମଯୋଗୀ ୧୯୧୯ ମସିହାର ଉତ୍କଳ ସମ୍ମିଳନୀରେ ସଭାପତି ଭାବେ ଯୋଗଦେଇ ଓଡ଼ିଶାବାସୀଙ୍କୁ ଉତ୍ସାହଦୀପ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଆମାନଙ୍କୁ ଉଦ୍‌ବୋଧିତ କରିବାପାଇଁ ତାଙ୍କ କବିତାରେ ସେ କହିଛନ୍ତି:
‘ନାଚୁ ପ୍ରତିପ୍ରାଣ ଉତ୍ସାହେ ଉଛୁଳି/ଜାତି ଯଶେ ଜନ ଯାଉ ସ୍ବାର୍ଥ ଭୁଲି।
ତୁଟୁ ହୃଦୁ ତ୍ବରା ଜଡ଼ତା-ଶିକୁଳି/ଉଠୁ କର୍ମବୀର, ବୋଳି ଦେଶଧୂଳି।’’
ଗୋପବନ୍ଧୁ ପୁରୀ ଆସି ଉଚ୍ଚ ବିଦ୍ୟାଳୟରେ ପଢ଼ିବା ସମୟରେ ମୁକ୍ତାର ରାମଚନ୍ଦ୍ର ଦାସଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ। ରାମଚନ୍ଦ୍ର ଦାସ ଗୋପବନ୍ଧୁଙ୍କ ହୃଦୟରେ ଉତ୍କଳୀୟ ଜାତୀୟତାବୋଧର ବୀଜ ବପନ କରିଥିଲେ। ସର୍ବଭାରତୀୟ ସ୍ତରରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ସ୍ଥାପିତ ହୋଇ ଯେପରି ମହାଭାରତୀୟ ଜାତୀୟତାବାଦର ଭିତ୍ତି ସ୍ଥାପନ କରାଯାଇଥିଲା ସେହିପରି ୧୯୦୨ ମସିହାରେ ଗଞ୍ଜାମ ସମ୍ମିଳନୀରେ ତତ୍କାଳୀନ ଓଡ଼ିଶାର ବହୁ ଜ୍ଞାନୀଗୁଣୀ ବ୍ୟକ୍ତି ମଧୁବାବୁଙ୍କ ନେତୃତ୍ବରେ ଉତ୍କଳ ସମ୍ମିଳନୀ ସ୍ଥାପନ କରି ଓଡ଼ିଆ ଜାତୀୟତାବାଦର ଏକ ସଂଘବଦ୍ଧ ରୂପକୁ ସାକାର କରିବାକୁ ଉଦ୍ୟମ ଆରମ୍ଭ କଲେ।
୧୯୦୨ ମସିହାରେ ରମ୍ଭା ରାଜଭବନରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଲୋକଙ୍କ ମଧ୍ୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବାର୍ତ୍ତା ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଗଲା। ଏହି ସଭାରେ ତତ୍କାଳୀନ ମୟୂରଭଞ୍ଜର ଦେଶପ୍ରେମୀ ରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ସଭାପତିତ୍ବ କରିଥିଲେ। ଏହି ସଭାରେ ମଧୁସୂଦନ ଦାସ ଯୋଗ ଦେଇଥିଲେ। ଏଥି ସହିତ ଓଡ଼ିଶାର ଅନେକ ରାଜା, ଜମିଦାର, ମହନ୍ତ, ଓକିଲ, କବି, ସାହିତ୍ୟିକ ମଧ୍ୟ ଯୋଗଦେଇ ଜାତୀୟତାର ସ୍ରୋତରେ ସାମିଲ ହୋଇଥିଲେ। ସିଂହଭୂମ, ଷଢ଼େଇକଳା, ଖରସୁଆଁ, ପୋଡ଼ାହାଟ, ମେଦିନାପୁର, ପାରଳାଖେମୁଣ୍ଡି, ସମ୍ବଲପୁର ଓ ଗଡ଼ଜାତ ଅଞ୍ଚଳରୁ ବହୁ ପ୍ରତିନିଧି ଆନନ୍ଦର ସହିତ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏଥିରେ ରାମଚନ୍ଦ୍ର ଦାସଙ୍କ ସହିତ ଗୋପବନ୍ଧୁ ମଧ୍ୟ ଯୋଗ ଦେଇଥିଲେ। ଉତ୍କଳ ସମ୍ମିଳନୀର ପାରଳାଖେମୁଣ୍ଡି ଅଧିବେଶନରେ ଗୋପବନ୍ଧୁ ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିବା ଦ୍ବାରା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ସହିତ ଓଡ଼ିଆ ଜାତିର ଶିକ୍ଷା, ସଂସ୍କୃତିର ସମୃଦ୍ଧି କରିବାପାଇଁ ଦୁଇ ବରପୁତ୍ର ଜୀବନବ୍ୟାପୀ ଉଦ୍ୟମ କରିଥିଲେ।
ମଧୁସୂଦନ ଦାସ, ବାଗ୍ମୀ ବିଶ୍ବନାଥ କର, ଗୋପବନ୍ଧୁ ପ୍ରମୁଖ ବହୁ ବ୍ୟକ୍ତି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ଉତ୍କଳବାସୀଙ୍କ ହୃଦୟରେ ଜାତୀୟତାବାଦର ଉତ୍‌ଥାନ ନିମନ୍ତେ ସାହିତ୍ୟ ରଚନାରେ ମନ ଦେଇଥିଲେ। ମଧୁସୂଦନ ଉତ୍କଳ ସମ୍ମିଳନୀରେ ଯୋଗଦେଇ ଉତ୍କଳମାତାର ସେବା କରିବାପାଇଁ ଆହ୍ବାନ ଦେଇ କହିଥିଲେ:
‘ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ/ କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ/ ଡେଇଁ ପଡ଼ି ସିନ୍ଧୁନୀରେ।’
ଯୁବକ ଗୋପବନ୍ଧୁଙ୍କ ସମ୍ପର୍କରେ ଆସି ମଧୁସୂଦନ ବେଶ୍‌ ପ୍ରଭାବିତ ହୋଇଥିଲେ; କାରଣ ସେ ଦେଖିଲେ ଗୋପବନ୍ଧୁଙ୍କ ସ୍ବାଧୀନ ମତବ୍ୟକ୍ତ କରିବାର ସାହସ ସହିତ ତାଙ୍କ ଚିନ୍ତାଧାରାରେ ଏକ ମହନୀୟ ଚିନ୍ତାଧାରାର ଆଭାସ ରହିଥିଲା। ଖଣ୍ଡବିଖଣ୍ଡିତ ଓଡ଼ିଶାର କରୁଣ ଚିତ୍ର ସହିତ ବନ୍ୟା ଦୁର୍ଭିକ୍ଷରେ ଓଡ଼ିଆମାନଙ୍କ ଦୁଃଖଦୁର୍ଦଶା ଦେଖି ଗୋପବନ୍ଧୁ ଏପରି ବିଚଳିତ ହୋଇ ପଡ଼ୁଥିଲେ ଯେ, ଯେ କେହି ଏହା ପ୍ରତ୍ୟକ୍ଷ କଲାମାତ୍ରେ ତାଙ୍କ ଦରଦୀ ପ୍ରାଣର ବ୍ୟଥାକୁ ଅନୁଭବ କରିପାରିବ।
ଓକିଲାତି ପାଶ୍‌ ପରେ ଗୋପବନ୍ଧୁ ପୁରୀ ଓ କଟକରେ ଓକିଲାତି କରିଛନ୍ତି। ସେତେବେଳେ କଟକର ବିଖ୍ୟାତ ଓକିଲ ହେଉଛନ୍ତି ମଧୁସୂଦନ ଦାସ। ତାଙ୍କର କନିଷ୍ଠ ଓକିଲ ଭାବେ କାର୍ଯ୍ୟକରିବାର ସୁଯୋଗ ଗୋପବନ୍ଧୁ ପାଇଥିଲେ। ଏପରି କି ମୟୂରଭଞ୍ଜ ଷ୍ଟେଟର ଓକିଲଭାବେ କାର୍ଯ୍ୟ କରିଛନ୍ତି; ମାତ୍ର ତାଙ୍କର ଦରଦୀ ପ୍ରାଣରେ ଭରି ରହିଥିଲା ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ଉତ୍କଳବାସୀଙ୍କ ପ୍ରତି ସମବେଦନା। ଦେଶ ସେବା କରିବାର ଲକ୍ଷ୍ୟ ନେଇ ସେ ବନ୍ଧୁମାନଙ୍କୁ ସାଙ୍ଗରେ ଧରି କାର୍ଯ୍ୟ ଆରମ୍ଭ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ଦେଶ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେବା ସହିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ମନପ୍ରାଣ ଢାଳି ଦେଇଥିଲେ।
ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଗୋପବନ୍ଧୁ ପ୍ରଥମେ ଲାଗିପଡ଼ିଲେ। ବନ୍ଧୁୁ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ର, ଗୋଦାବରୀଶ ମିଶ୍ରଙ୍କୁ ସାଥିରେ ଧରି ସତ୍ୟବାଦୀର ଛୁରିଅନା କୁଞ୍ଜତଳେ ସ୍ଥାପନ କଲେ ସତ୍ୟବାଦୀ ବନବିଦ୍ୟାଳୟ। ଦେଖିବାକୁ ଗଲେ ସତ୍ୟବାଦୀ ବନ ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନଥିଲା, ଏହା ଥିଲା ଉତ୍କଳୀୟ ଜାତୀୟତାବାଦର ପ୍ରାଣକେନ୍ଦ୍ର ଓ ମଣିଷ ତିଆରି କାରଖାନା। ବହୁ ଘାତ ପ୍ରତିଘାତ ଭିତରେ ସତ୍ୟବାଦୀ ବନବିଦ୍ୟାଳୟ ୧୯୨୧ ମସିହାରେ ଗୋପବନ୍ଧୁଙ୍କ ଦ୍ବାରା ଜାତୀୟ ବିଦ୍ୟାଳୟ ଭାବେ ଘୋଷିତ ହେଲା ପରେ ସରକାରୀ ଅସହଯୋଗରୁ ଏହା ମଉଳିଗଲା। ମାତ୍ର ଯେଉଁ ସେବା ଆଦର୍ଶର ଭାବନା, ଉତ୍କଳୀୟ ଜାତୀୟତାବୋଧର ପ୍ରାଣସ୍ପନ୍ଦନ ତଥା ଦେଶପ୍ରେମର ଧାରା ଶତଶତ ଯୁବକଙ୍କ ରକ୍ତରେ ବୁହାଇଥିଲା, ତାହା ପରବର୍ତ୍ତୀ ସମୟରେ ଉତ୍କଳୀୟଙ୍କ ହୃଦୟରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା।
ଶିକ୍ଷା ସହିତ ସାମ୍ବାଦିକତା ଓ ସାହିତ୍ୟ ମାଧ୍ୟମରେ ଉତ୍କଳୀୟଙ୍କ ଭିତରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ନୂତନ ଦିଶା ଦେବାପାଇଁ ଗୋପବନ୍ଧୁ ଉଦ୍ୟମ କରିଥିଲେ। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ଅନନ୍ତ ମିଶ୍ର ଓ ଗୋଦାବରୀଶଙ୍କୁ ସିଂହଭୂମ ଓ ଚକ୍ରଧରପୁରକୁ ଗୋପବନ୍ଧୁ ପଠାଇଥିଲେ। ବିହାର, ମଧ୍ୟପ୍ରଦେଶର ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋପବନ୍ଧୁ ନିଜେ ଯାଇ ସେଠାରେ ସଭାସମିତିମାନ କରି ସେମାନଙ୍କ ଭିତରେ ଉତ୍କଳୀୟ ଜାତୀୟତାବାଦ ସୃଷ୍ଟିପାଇଁ ଅନୁପ୍ରେରିତ କରିଥିଲେ। ୧୯୨୦ରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଭାଷା ସୂତ୍ରରେ ପ୍ରଦେଶ ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା। ସେହି ବର୍ଷ ଉତ୍କଳ ସମ୍ମିଳନୀର ସିଂହଭୂମର ଚକ୍ରଧରପୁର ଅଧିବେଶନରେ ଗୋପବନ୍ଧୁ ଭାରତୀୟ ଜାତୀୟ କଂଗ୍ରେସ ସହିତ ଉତ୍କଳ ସମ୍ମିଳନୀର ନୀତି ଓ ଆଦର୍ଶକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଭାରତୀୟ ଜାତୀୟ କଂଗ୍ରେସର ସାହାଯ୍ୟ ଓ ସହଯୋଗର ଆବଶ୍ୟକତାକୁ ଗୋପବନ୍ଧୁ ବେଶ୍‌ ଅନୁଭବ କରିଥିଲେ। ସେଥିପାଇଁ ସେ ଉତ୍କଳ ସମ୍ମିଳନୀ କାର୍ଯ୍ୟଧାରାକୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ପରିଚାଳିତ କରିବାକୁ ଚାହିଁଥିଲେ। ଏହିଠାରେ ଶ୍ରୀଯୁକ୍ତ ମଧୁସୂଦନଙ୍କ ସହିତ ଗୋପବନ୍ଧୁଙ୍କର ମତ ବିରୋଧ ଘଟିଲା; କାରଣ ଜାତୀୟ କଂଗ୍ରେସରେ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବ ପୂର୍ବରୁ ମଧୁବାବୁ ଆଗତ କରିବାକୁ ଚାହିଁଥିଲେ; କିନ୍ତୁ ସେତେବେଳେ ଜାତୀୟ କଂଗ୍ରେସ ତାଙ୍କର ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ସେ କଂଗ୍ରେସ ତ୍ୟାଗ କରିଥିଲେ। ମଧୁବାବୁ ଓ ଗୋପବନ୍ଧୁଙ୍କ ଚିନ୍ତାଧାରାର କାର୍ଯ୍ୟାନ୍ବୟନ କରିବାର ଧାରା ଅଲଗା ହେଲେ ମଧ୍ୟ ଲକ୍ଷ୍ୟ ଥିଲା ଏକ ସ୍ବତନ୍ତ୍ର ଓଡ଼ିଶା ଗଠନ କରିବା।
୧୯୧୯ରେ ଗୋପବନ୍ଧୁ ‘ସମାଜ’ ପ୍ରକାଶ କରି ଲୋକ ସଚେତନତା ସୃଷ୍ଟି କରିବାକୁ ଯେଉଁ ମହାନ ସଂକଳ୍ପ ନେଇଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଅଛି। ସାହିତ୍ୟ ରଚନା ଓ ସାମ୍ବାଦିକତା ମାଧ୍ୟମରେ ଲୋକସେବା କରିବାର ନିଶା ତାଙ୍କୁ ଜଣେ ଦରଦୀ କବି ଓ ଲୋକପ୍ରିୟ ଦେଶସେବକ ଭାବେ ପ୍ରତିଷ୍ଠିତ କରାଇଥିଲା। ଫୁଲଝର ସମ୍ବଲପୁର ଜିଲାର ଅଂଶବିଶେଷ ଥିଲେ ବି ତାହାକୁ ମଧ୍ୟପ୍ରଦେଶ ସହିତ ମିଶାଇ ଦେବାରୁ ଗୋପବନ୍ଧୁ ଏହାର ବିରୋଧ କରି ସେଠାର ପ୍ରଜାହିତକାରିଣୀ ସଭାରେ ବନ୍ଧୁ ବ୍ରଜସୁନ୍ଦର ଦାସଙ୍କ ସହ ଯୋଗଦେଇ ଓଡ଼ିଆ ଭାଷା ପ୍ରସାରର ବ୍ୟବସ୍ଥା କରିଥିଲେ। କେବଳ ଫୁଲଝର ନୁହେଁ; ଖଡ଼ିଆଳ, ବିନ୍ଦ୍ର, ବସ୍ତରର ବିଭିନ୍ନ ପାହାଡ଼ପର୍ବତ ଘେରା ଅଞ୍ଚଳ ଭ୍ରମଣ କରି ସେଠାରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଗୋପବନ୍ଧୁ ଆପ୍ରାଣ ଉଦ୍ୟମ କରିଥିଲେ।
ସେତେବେଳେ ଗୋପବନ୍ଧୁଙ୍କ ପ୍ରକାଶିତ ‘ସମାଜ’ ଥିଲା ଏ ଦେଶ ଓ ଜାତିପାଇଁ ଏକ କ୍ରାନ୍ତିକାରୀ ଚେତନା ବହନକାରୀ ପତ୍ରିକା। ସମଗ୍ର ଓଡ଼ିଶାର ଟିକିନିଖି ଖବର ତଥା ଜନସାଧାରଣଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ପ୍ରକାଶ ପାଇ ଏହା ଉତ୍କଳୀୟ ଜାତୀୟ ସଂହତି ଦୃଢ଼ୀଭୂତ କରିବାରେ ସହାୟକ ହୋଇଥିଲା। ଖଣ୍ଡବିଖଣ୍ଡିତ ଜନ୍ମଭୂମିର ଏକତ୍ରୀକରଣ ପାଇଁ ଆନ୍ଦୋଳନର ବାର୍ତ୍ତା ‘ସମାଜ’ ମାଧ୍ୟମରେ ପ୍ରକାଶିତ ହେଲା। ୧୯୧୩ରୁ ୧୯୧୮ ମଧ୍ୟରେ ଉତ୍କଳ ସମ୍ମିଳନୀର କାର୍ଯ୍ୟ ଧିମେଇ ଯାଇଥିଲା। ତାହାକୁ କ୍ରିୟାଶୀଳ କରାଇବାପାଇଁ ଲୋକମାନଙ୍କ ମନରେ ପ୍ରେରଣା ଓ ଉଦ୍ଦୀପନା ସୃଷ୍ଟି କରିବା ଥିଲା ଗୋପବନ୍ଧୁଙ୍କର ମୁଖ୍ୟ ଲକ୍ଷ୍ୟ।
୧୯୧୭ ମସିହାରେ ଗୋପବନ୍ଧୁ ଓଡ଼ିଶାର ପୌରସଂସ୍ଥାଗୁଡ଼ିକରୁ ବିହାର-ଓଡ଼ିଶା ବିଧାନସଭା ପାଇଁ ସଭ୍ୟ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟ ସମସ୍ୟାମାନ ଉପସ୍ଥାପିତ କରିଥିଲେ। ମୁଖ୍ୟତଃ ଗୋପବନ୍ଧୁ ଓଡ଼ିଶାର ସ୍ବତନ୍ତ୍ରତା, ବନ୍ୟା ନିୟନ୍ତ୍ରଣ, ଲୁଣମରା ଉପରେ କଟକଣା ହ୍ରାସ ଓ ସତ୍ୟବାଦୀ ବନବିଦ୍ୟାଳୟ ଢ଼ାଞ୍ଚାରେ ସ୍କୁଲ ପ୍ରତିଷ୍ଠା କରିବାପାଇଁ ବ୍ୟବସ୍ଥାପକ ସଭାରେ ଦାବି କରିଥିଲେ। ଓଡ଼ିଶା ବଙ୍ଗଳାରୁ ସେତେବେଳେ ଅଲଗା ହୋଇ ବିହାର ସହିତ ମିଶିଲା; କିନ୍ତୁ ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳସବୁ ବିକ୍ଷିପ୍ତ ଭାବେ ବଙ୍ଗଳା, ମଧ୍ୟପ୍ରଦେଶ ଓ ବିହାର ସହିତ ମିଶି ରହିଥିଲା। ଏହି ଅଞ୍ଚଳକୁ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମିଶ୍ରଣ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ମଧୁସୂଦନ ଦାସ, କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ହରିହର ପଣ୍ଡା, ବ୍ରଜସୁନ୍ଦର ଦାସ, ସୁଦାମ ଚରଣ ନାୟକ, ଶୋଭାଚନ୍ଦ୍ର ସିଂହ ପ୍ରମୁଖ ସଭ୍ୟ ରହି ଦେଶମିଶ୍ରଣ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।
ଉତ୍କଳ ସମ୍ମିଳନୀ ମାଧ୍ୟମରେ ଗୋପବନ୍ଧୁ, ମଧୁସୂଦନ, ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖ ଉତ୍କଳ ପ୍ରଦେଶ ଗଠନ ଦାବିକୁ ଏକ ବିରାଟ ଆନ୍ଦୋଳନରେ ପରିଣତ କରିଥିଲେ; ମାତ୍ର ଗୋପବନ୍ଧୁ ଉତ୍କଳ ପ୍ରଦେଶ ଗଠନ ସହିତ ଭାରତୀୟ ସ୍ବରାଜ ସଂଗ୍ରାମରେ ଝାସ ଦେଇଥିଲେ। ସ୍ବାଧୀନତା ସଂଗ୍ରାମପାଇଁ ଗୋପବନ୍ଧୁଙ୍କୁ ଇଂରେଜ ସରକାର ୧୯୨୨ରେ ବନ୍ଦୀ କରିନେଲେ। ଉତ୍କଳ ସମ୍ମିଳନୀର ଜନ୍ମଦାତା ମଧୁସୂଦନ ଗୋପବନ୍ଧୁଙ୍କ ମୁକ୍ତି ପାଇଁ ଯେଉଁ ଅଗ୍ନିଗର୍ଭା ଭାଷଣ ଦେଲେ ତାହାଦ୍ବାରା ବ୍ରିଟିଶ୍‌ ସରକାର ଚକିତ ହୋଇଯାଇଥିଲେ। ଉକ୍ତ ସଭାର ପ୍ରସ୍ତାବମାନ ଓଡ଼ିଶାର ଗଭର୍ଣ୍ଣରଙ୍କୁ ପ୍ରଦାନ କରାଯାଇଥିଲା। ଏହାର କେତେ ମାସ ପରେ ଗୋପବନ୍ଧୁ କାରାମୁକ୍ତ ହୋଇଥିଲେ।
ବହୁ ବାଦ, ପ୍ରତିବାଦ, ଆନ୍ଦୋଳନ ଓ ସଂଗ୍ରାମ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା; ମାତ୍ର ଏହି ଦିନଟିକୁ ଉତ୍କଳଗୌରବ ମଧୁସୂଦନ କି ଉତ୍କଳମଣି ଗୋପବନ୍ଧୁ ଦେଖିପାରିଲେ ନାହିଁ। ୧୯୨୮ରେ ଗୋପବନ୍ଧୁ ଓ ୧୯୩୪ରେ ମଧୁସୂଦନ ଇହଧାମ ଛାଡ଼ି ଚାଲିଯାଇଥିଲେ; ମାତ୍ର ଏହି ଦୁଇ ବରପୁତ୍ରଙ୍କ ନିଷ୍ଠା, ସାଧନା, ତ୍ୟାଗ ଓ କର୍ମଦ୍ବାରା ଆମେ ସ୍ବତନ୍ତ୍ର ପ୍ରଦେଶ ପାଇପାରିଲେ।
ଆଜିର ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତି ଏହି ଦୁଇ ବରପୁତ୍ରଙ୍କୁ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରି ନିଜକୁ ଧନ୍ୟ ମନେ କରିବ ହିଁ କରିବ।

ଲଳିତ ଲେଙ୍କା

ଚକେଇସିଆଣି, ଭୁବନେଶ୍ବର,ଫୋ: ୯୭୭୮୬୧୦୧୫୫

Comments are closed.