ବାତ୍ୟା ହେଉକି ବନ୍ୟା ଅବା ମହାମାରୀ ସର୍ବଦା ଅସହାୟଙ୍କ ସାହାରା ‘ଉତ୍କଳ ବିପନ୍ନ ସହାୟତା ସମିତି’

ଭୁବନେଶ୍ଵର : ‘ମାନବ ସେବା ହିଁ ମାଧବ ସେବା’କୁ ସଂଗଠନର ମୂଳମନ୍ତ୍ର ରୂପେ ଆଧାର କରି ଉତ୍କଳ ବିପନ୍ନ ସହାୟତା ସମିତି ନିରନ୍ତର ଦୀର୍ଘ ଚାରି ଦଶନ୍ଧି ଧରି ନରରୂପୀ ନାରାୟଣଙ୍କ ସେବା କରି ଆସୁଛି । ଉତ୍କଳ ବିପନ୍ନ ସହାୟତା ସମିତି ୧୯୯୯ ମହାବାତ୍ୟାରେ କରିଥିବା ସେବା କାର୍ଯ୍ୟ ପାଇଁ  ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟି ଥିଲା । ଫାଇଲିନ୍‌, ତିତଲି, ଫନି ବା ଅମ୍ଫାନ୍‍ ବାତ୍ୟା ହେଉ ସମିତି ତାର ସେବା ସର୍ବଦା ଦେଇ ଆସୁଅଛି । ଆଜି ବିଶ୍ୱର ମହାସଙ୍କଟ “କରୋନା” ମହାମାରୀ ସମୟରେ ମଧ୍ୟ ଉତ୍କଳ ବିପନ୍ନ ସହାୟତା ସମିତି ତାର କର୍ତବ୍ୟ ଭୁଲି ନାହିଁ ।  କରୋନା ମହାମାରୀ ସମୟରେ ଉତ୍କଳ ବିପନ୍ନ ସହାୟତା ସମିତି ଓଡିଶାର ୧୪୮୪ଟି ସ୍ଥାନରେ ସେବା ଯୋଗାଇଛି । ସମିତି ତାର ସେବା ଦ୍ୱାରା ୪୫୯୮୫ ଲୋକଙ୍କୁ ରନ୍ଧାଖାଦ୍ୟ, ୨୧୯୪୫ଟି ପରିବାରକୁ ରାଶନ ପ୍ୟାକେଟ୍ (୫ କି.ଗ୍ରା. ଚାଉଳ, ୧.୫ କି.ଗ୍ରା. ଡାଲି, ୨ କି.ଗ୍ରା. ଆଳୁ, ହାତଧୂଆ ସାବୁନ ୨ଟି, ମାସ୍କ ୨ଟି, ଶୋରିଷ ତେଲ ୩୦୦ମି.ଲି., ବିଷ୍କୁଟ ୨ ପ୍ୟାକେଟ୍‌, ଚୁଡା ୨ କି.ଗ୍ରା. ଓ ୧୦୦ମି.ଲି. ସାନିଟାଇଜର),୪୫୮୪୫ ଜଣଙ୍କୁ ମାସ୍କ, ୧୪୮୧୨ ପରିବାରକୁ ଆୟୁର୍ବେଦିକ କାଢା ଦେବା ସହିତ ବ୍ଲଡ ବ୍ୟାଙ୍କରେ ରକ୍ତ ସଙ୍କଟକୁ ଅନୁଭବ କରି ୪୧୪ ୟୁନିଟ୍ ରକ୍ତ ସଂଗ୍ରହ କରିଛି । ସମିତି କେବଳ ମଣିଷ ସେବାରେ ନୁହେଁ ବରଂ ଏହି “କରୋନା” ମହାମାରୀ ସମୟରେ ଆଜି ପର୍ଯ୍ୟନ୍ତ ରାସ୍ତାରେ ବୁଲୁଥିବା ୯ ହଜାରରୁ ଅଧିକ ଗୋରୁ ଗାଈଙ୍କୁ ମଧ୍ୟ ଖାଦ୍ୟ ଯୋଗାଇଛି । ଖାଲି ଏତିକିରେ ଅଟକି ଯାଇନି, ସମିତି ଦୂରଦୂରାନ୍ତରୁ “ଏମ୍‌ସ” ହସ୍ପିଟାଲକୁ ଆସୁଥିବା ଆଟେଣ୍ଡାଟଙ୍କ ଖାଦ୍ୟ ଅଭାବକୁ ଅନୁଭବ କରି ଦୀର୍ଘ ୩୩ ଦିନ ଧରି ୧୧୫୮୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ଆସୁଛି ।

ପ୍ରାକୃତିକ ବିପର୍ଯ୍ୟୟ “ଅମ୍ଫାନ” ବାତ୍ୟା ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ସହାୟତା ନିମିତ୍ତ ୩ଟି ଜିଲ୍ଲା ଯାଥା-ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ କ୍ଷତିଗ୍ରସ୍ତ ୧୦୦୨ଟି ପରିବାରକୁ ତାରପୋଲିନ୍‌, ରାଶନ କିଟ୍‌, ସୋଲାର ଲାଇଟ୍‌, ବିଛଣା ଚଦର, ଦିଆସିଲି,ମହମବତୀ, ପାଣି ବୋତଲ, ପ୍ଲାଷ୍ଟିକ ରସି, ଲୁଗା କିଟ୍‌ସ ଆଦି ଯୋଗାଇ ଦିଆଯାଇଛି ।

ସମିତି ପ୍ରବାସୀ (ଓଡିଶା ତଥା ଓଡିଶା ବାହାରର) ଶ୍ରମିକ ସହାୟତା ଦୃଷ୍ଟିରୁ ୧୦ଟି ଜିଲ୍ଲାରେ ୩୫ଟି ସ୍ଥାନରେ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦେଇ ଆସୁଛି । ଆଜି ପର୍ଯ୍ୟନ୍ତ ସର୍ବ ମୋଟ୍ ୪୯୩୫୫ ହଜାର ଲୋକଙ୍କୁ ଶୁଖିଲା ଖାଦ୍ୟ, ୧୯୫୦୯ ଲୋକଙ୍କୁ ରନ୍ଧାଖାଦ୍ୟ ବିତରଣ କରି ଆସିଛି । ଗଞ୍ଜାମର ରମ୍ଭା,  ଲାଞ୍ଜିପାଲି, ବ୍ରହ୍ମପୁର ବାଇପାସ୍‌, ହଳଦିପଦର ବସଷ୍ଟାଣ୍ଡ, ଗୋପାଳପୁର ଚେକ୍‌ଗେଟ୍‌,ଖୋର୍ଦ୍ଧାର ଖୋର୍ଦ୍ଧା, ଟାଙ୍ଗି, ହଂସପାଳ, ଫୁଲନଖରା,କଟକର ମଙ୍ଗୁଳି ଛକ,ଯାଜପୁରର ଚଣ୍ଡିଖୋଲ, ଜାରକା, ପାଣିକୋଇଲି , ଭଦ୍ରକର ଚରମ୍ପା,ବାଲେଶ୍ୱରର ସୋରୋ, ଖନ୍ତାପଡା, ରେମୁଣା ଗୋଲେଇ, ଜଳେଶ୍ୱର,ମୟୂରଭଞ୍ଜର ବୈଶିଙ୍ଗା, ଜାମଶଳା, ତିରିଙ୍ଗି, କେନ୍ଦୁଝରର ଚମ୍ପୁଆ, ବଡବିଲ, ଝୁମ୍ପୁରା, କ୍ଷିରେଇଟାଙ୍ଗିରୀ, କେନ୍ଦୁଝର ଟାଉନ୍ , ଅନୁଗୁଳର ବଅଁରପାଳ ଓ ଢେଙ୍କାନାଳର କାମାକ୍ଷାନଗର ବାଇପାସ, ମହିଷାପାଟ ଛକ ଠାରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଭାବରେ ଚୁଡା, ଗୁଡ, କଦଳୀ, ପାଣିବୋତଲ ଓ ଓଆରଏସ୍ ଆଦି ଯୋଗାଇ ଦିଆଯାଇଛି ।

Comments are closed.