ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଚମେଲି : ଉତ୍ତରାଖଣ୍ଡ ହିମସ୍ଖଳନ ଜନିତ ବନ୍ୟା ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ରବିବାର ତପୋବନ ଟନେଲ (ସୁଡଙ୍ଗ)ରୁ ଆଉ ୧୨ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସୁଡଙ୍ଗର କାଦୁଅରେ ଆହୁରି ଅନେକ ମୃତଦେହ ରହିଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଉଦ୍ଧାର ହୋଇଥିବା ମୃତଦେହଗୁଡିକ ମଧ୍ୟରୁ ମାତ୍ର ୨୪ଟିକୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଗୁଡିକୁ ଚିହ୍ନଟ କରାଯାଇପାରି ନାହିଁ। ସୁଡଙ୍ଗ ମଧ୍ୟରୁ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି। ଆଇଟିବିପି ମୁଖପାତ୍ର ବିବେକ ପାଣ୍ଡେଙ୍କ କହିବା ଅନୁଯାୟୀ ଚିହ୍ନଟ ଦୁଇ ଜଣ ହେଲେ ଏନଟିପିପି ତପୋବନ ପ୍ରକଳ୍ପର କର୍ମଚାରୀ। ସେମାନେ ହେଲେ ଅମଲ ସିଂହ ଓ ଅନିଲ। ଗତ ୭ତାରିଖ ବନ୍ୟା ପରେ ତପୋବନ ସୁଡଙ୍ଗ ମଧ୍ୟରେ ପ୍ରାୟ ୩୦ରୁ ୪୦ଜଣ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ଏକ ସପ୍ତାହ ଧରି ଉଦ୍ୟମ ଜାରି ରହିଥିଲା। ତେବେ ସେମାନଙ୍କୁ ଜୀବନ୍ତ ଉଦ୍ଧାର କରିବାର ଉଦ୍ଧାରକାରୀ ଦଳ ବିଫଳ ହୋଇଛନ୍ତି। ସୁଡଙ୍ଗ ମଧ୍ୟରେ ଫସିରହିଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି। ସୂଚନାଯୋଗ୍ୟ ଫେବୃଆରୀ ୭ ସକାଳେ ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡ ଚମେଲି ଜିଲାରେ ଆକସ୍ମିକ ବନ୍ୟା ଦେଖାଯାଇଥିଲା। ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସି ବ୍ୟାପକ ଧନ ଓ ଜୀବନ ହାନି ଘଟାଇଥିଲା। ଏହି ବନ୍ୟାରେ ଏବେ ସୁଦ୍ଧା ୧୬୦ ଲୋକ ନିଖୋଜ ଅଛନ୍ତି। ହିମସ୍ଖଳନ ଯୋଗୁଁ ‘ଏନ୍‌ଟିପିସି’ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Comments are closed.