ଶୀତଦିନିଆ କେଶ ସମସ୍ୟାରୁ ମୁକ୍ତି ଦେବ ମେଥି

ଶୀତଦିନେ ସାଧାରଣତଃ କେଶ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା, ଦୋମୁହାଁ କେଶ ଭଳି ସମସ୍ୟା ଏହି ସମୟରେ ଦେଖାଦେଇଥାଏ। ଅନେକ ଉପାୟ ଆପଣାଇ ମଧ୍ୟ ଏଥିରୁ ମୁକ୍ତି ପାଇବାରେ ଅନେକ ଲୋକ ବିଫଳ ହୋଇଥାଆନ୍ତି। ହେଲେ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, କେଶ ଜନିତ ଏ ସମସ୍ତ ସମସ୍ୟା ଦୂର କରିବାରେ ମେଥି ସର୍ବୋକୃଷ୍ଟ ହୋଇଥାଏ। ମେଥି ଦାନାରେ ଭିଟାମିନ୍‌-ଏ, ଭିଟାମିନ୍‌-କେ, ଭିଟାମିନ୍‌-ସି ଓ ଫଲିକ୍‌ ଏସିଡ ରହିଥାଏ। ଏଥିସହ ପୋଟାସିୟମ, କ୍ୟାଲସିୟମ, ଆଇରନ ଏବଂ ଖଣିଜଲବଣ ମଧ୍ୟ ରହିଥାଏ। ଏହାକୁ ସଠିକ୍‌ ଉପାୟରେ କେଶରେ ଲଗାଇବା ଦ୍ୱାରା ଏହା ଚମତ୍କାରୀ ଫଳ ଦେଇଥାଏ।

ବ୍ୟବହାର କରିବାର ଉପାୟ:

-ଗୋଟିଏ ଚାମଚ ମେଥିଦାନାକୁ ଗରମ ପାଣିରେ ଫୁଟାନ୍ତୁ। ପରେ ଗୋଟିଏ ରାତି ପାଇଁ ନଡ଼ିଆ ତେଲରେ ଏହାକୁ ପକାଇ ରଖନ୍ତୁ। ସକାଳେ ତେଲକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ଏହା କେଶ ଝଡ଼ିବା କମ୍‌ କରିବ। ମେଥି ପାଣିକୁ ମଧ୍ୟ କେଶରେ ଲଗାଇ ପାରିବେ।

-ଗୋଟିଏ କପ୍‌ ପାଣିରେ ତିନି ଚାମୁଚ ମେଥିକୁ ଛଅ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ପରେ ଏହାକୁ ପାଣିରୁ ଛାଣି ବାଟି ଦିଅନ୍ତୁ। ମିଶ୍ରଣରେ ତିନି ଚାମଚ ଅଁଳା ତେଲ ମିଶାନ୍ତୁ। ପରେ ଏହାକୁ କେଶମୂଳରେ ଭଲ ଭାବେ ଘଷି ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। କେଶ ବଢ଼ିବା ଖୁବ୍ କମ୍ ଦିନରେ ବନ୍ଦ ହୋଇଯିବ।

-ରାତିରେ ଦୁଇ ଚାମୁଚ ମେଥିକୁ ଭିଜାଇ ରଖିଦିଅନ୍ତୁ। ସକାଳେ ଏହାର ପେଷ୍ଟ କରିନିଅନ୍ତୁ। ଏହାକୁ ମୁଣ୍ଡରେ ଲଗାଇ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ରୁପି ସମସ୍ୟା କମ୍‌ ହେବ।

Comments are closed.