ଶୀତ ଦିନେ ଅଦାର ଉପଯୋଗିତା

ଭିଟାମିନ୍ ଏ, ଡି, ଇ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ବରେ ଭରପୂର ଅଦାର ଉପଯୋଗିତା ଶୀତଦିନେ ସବୁଠୁ ଅଧିକ। ସକାଳର ଆରମ୍ଭ ଅଦା ରସ ମିଶା ଚା’ରେ କରିବା ସହ ପନିପରିବା ତରକାରି​ରେ ‌ମଧ୍ୟ ଅଦା ମସଲାର ବ୍ୟବହାର କରିବା ଉଚିତ। ଖାଦ୍ୟ ବିଶେଷଜ୍ଞ ଲକ୍ଷ୍ମୀ ଠାକୁରଙ୍କ ମତରେ ଅଦାରେ ଥିବା ବିଭିନ୍ନ ପୋଷକତତ୍ତ୍ବ କାରଣରୁ ଆମ ଶରୀରକୁ ଉଷ୍ଣତା ମିଳିଥାଏ।

-ଥଣ୍ଡା, କାଶ, ସର୍ଦି ଏପରିକି ଜ୍ବରରେ ମଧ୍ୟ ଅଦାରସ ଔଷଧ ପରି କାମ କରିଥାଏ। ଶୀତଦିନେ ଶରୀରର ରୋଗପ୍ରତିରୋଧକ ଶକ୍ତି ଭଲ ରହିବା ନିତାନ୍ତ ଜରୁରୀ। ଏଣୁ ଏଇଦିନେ ସକାଳବେଳା ମିଶ୍ରି, ଅଦା, ତେଜପତ୍ର ଫୁଟା ପାଣିକୁ ନଖଉଷୁମ କରି ପିଅନ୍ତୁ। ଏହା ସ୍ବାସ୍ଥ୍ୟ ନିମନ୍ତେ ଖୁବ୍ ହିତକାରୀ।
-ଓଜନ କମ୍ କରିବାକୁ ଚାହୁଁଥିଲେ, ଅଦା ରସ ମିଶା ନାଲି ଚା’ରେ ଦିନର ଆରମ୍ଭ କରନ୍ତୁ। ଗୋଟିଏ ମାସ ମଧ୍ୟରେ ଫରକ୍ ଜାଣିପାରିବେ।
-କାଶ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ ଅଦା ରସ ଅଧ ଚାମଚରେ ମହୁ ମିଶାଇ ପିଇଲେ ଲାଭ ମିଳିଥାଏ।
-ଅଦା ଚା’ ପିଇଲେ ବୃକକ୍‌ ସଂକ୍ରମଣ ଦୂର ହେବା ସହ ଆମ ପାଚନ ଶକ୍ତି ମଧ୍ୟ ଭଲ ହୁଏ। ମୁଣ୍ଡ ବିନ୍ଧା ହେଉଥିଲେ ଅଦା ଚା’ ପିଇଲେ ଉପକାର ମିଳେ।
-ବୟସ୍କ ରୋଗୀଙ୍କ ନିମନ୍ତେ ଆଣ୍ଡୁଗଣ୍ଠି ବିନ୍ଧା ଏକ ସାଧାରଣ ସମସ୍ୟା। ଶୀତଦିନେ ସକାଳ-ସନ୍ଧ୍ୟାରେ ଅଦା ଚା’ କିମ୍ବା ଅଦା ରସ ମିଶ୍ରିତ କୌଣସି ଏକ ପାନୀୟ ପିଇଲେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।
-ହୃଦ୍‌‌ରୋଗୀଙ୍କ ନିମନ୍ତେ ମଧ୍ୟ ଅଦା ଏକ ବରଦାନ ସଦୃଶ। ଅଦାରେ ଥିବା ବିଭିନ୍ନ ପ୍ରକାର ତତ୍ତ୍ବ କାରଣରୁ ଶରୀରରେ କୋଲେଷ୍ଟୋରଲ୍ ଜମା ହୋଇନଥାଏ। ଏଣୁ ବ୍ଲଡ୍ କ୍ଲଟିଙ୍ଗ୍ ହେବାର ସମସ୍ୟା ହୁଏନାହିଁ।
-ବିଶେଷଜ୍ଞଙ୍କ ମତରେ ଅଦା ଚା’ ସହ ଅଦା ମସଲା ମଧ୍ୟ ପ୍ରତ୍ୟେକ ବ୍ୟଞ୍ଜନରେ ଆବଶ୍ୟକ ପରିମାଣରେ ବ୍ୟବହାର କରି ଶୀତଦିନେ ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ।

 

Comments are closed.