ଉଚ୍ଚ ନ୍ୟାୟାଳୟରେ ବାଣ ବିକ୍ରି ଓ ଫୁଟାଇବା କଟକଣାକୁ ବିରୋଧ ମାମଲା : କେନ୍ଦ୍ର, ରାଜ୍ୟ ସରକାର ପକ୍ଷ ରଖିବାକୁ ନିର୍ଦେଶ

କଟକ : ଦୀପାବଳି ବାଣଫୁଟା ଓ ବିକ୍ରି ଉପରେ ଅଲ ଓଡ଼ିଶା ଫାୟାର ୱାର୍କସ ଡିଲରସ ଆସୋସିଏସନର ପକ୍ଷରୁ ଦାୟର ଆବେଦନ ଉପରେ ମୁଖ୍ୟ ବିଚାରପତି ଏସ.ମୁରଲୀଧର ଓ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି କମିସନରେଟ ପୁଲିସକୁ ପକ୍ଷଭୁକ୍ତ କରି ଜବାବ ରଖିବାକୁ ନିର୍ଦେଶ ଜାରି କରିଛନ୍ତି। ଏଥିସହିତ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷ ରଖିବାକୁ ପୀଠ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବା ପାଇଁ ଧାର୍ଯ୍ୟ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ସମାନ ପ୍ରସଙ୍ଗରେ ଶୁଣାଣି ଚାଲିଥିବାବେଳେ ଏହି ରାୟକୁ ଅପେକ୍ଷା କରିବାକୁ ଆଜି ଉଚ୍ଚ ନ୍ୟାୟାଳୟ କହିଥିଲେ। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ଏ ସମ୍ପର୍କିତ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ବୋଲି ସରକାର ସ୍ବୀକାର କରିବା ସହିତ ବିଭିନ୍ନ କ୍ଷେତ୍ରକୁ କଟକଣା ମୁକ୍ତ କରିଛନ୍ତି। ବିଭାଘର, ବ୍ରତଘର, ଅନ୍ତିମ ସଂସ୍କାର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କଟକଣା କୋହଳ କରାଯାଇଛି; କିନ୍ତୁ ସବୁ କଟକଣା କୋହଳ କରାଯାଉଥିବାବେଳେ ବାଣ ଉପରେ ଏଭଳି ନିଷେଧାଦେଶ ଜାରି କରାଯାଇଛି। ଏଭଳି କରାଯିବା ଗ୍ରହଣୀୟ ନୁହେଁ। ଦୀପାବଳିରେ ବାଣ ଫୁଟାଇବା ଏକ ପୁରାତନ ପରମ୍ପରା ଓ ଲୋକଙ୍କ ଭାବନା ସହିତ ଜଡ଼ିତ। ବାଣ ପ୍ରସ୍ତୁତିଠାରୁ ଆରମ୍ଭ କରି ବିକ୍ରିୟ କରି ଶତାଧିକ ଲୋକ ପରିବାର ଚଳାଇଥାନ୍ତି। ବାଣ ରାଜ୍ୟ ବାହାରରୁ ମଧ୍ୟ ଆସିଥାଏ। ଏଥି ପାଇଁ ବହୁ ଆଗରୁ ବ୍ୟବସାୟୀମାନେ ଅଗ୍ରିମ ଦେଇଥାନ୍ତି। ବର୍ତ୍ତମାନ ହଠାତ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ଦ୍ବାରା ବଡ଼ ଛୋଟ ବ୍ୟବସାୟୀମାନେ ବ୍ୟାପକ ସମସ୍ୟାର ସମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଦୀପାବଳିରେ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

Comments are closed.