ଚୀନକୁ ଆମେରିକାର ଧମକ: କରୋନା ଭୂତାଣୁ ପାଇଁ ଦାୟୀ ହେଲେ ପରିଣାମ ଭୋଗିବ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନକୁ ପୁଣି ଥରେ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ଚୀନ ଯଦି କରୋନା ଭୂତାଣୁ ପାଇଁ ଦାୟୀ, ତେବେ ସେ ଏହାର ପରିଣାଣ ନିଶ୍ଚୟ ଭୋଗିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ହ୍ବାଇଟ୍‌ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ଏଭଳି ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଆମେରିକା ଦ୍ବାରା ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ବି ସେ ପ୍ରଶଂସା କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଟ୍ରମ୍ପ କହିଛନ୍ତି, ଜର୍ମାନୀକୁ ଛାଡ଼ି ଆମେରିକା ଯେକୌଣସି ଦେଶ ତୁଳନାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରିଛି। ପଶ୍ଚିମ ୟୁରୋପ ଦେଶଗୁଡ଼ିକ ମଧ୍ୟରେ ଆମେରିକାରେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ବହୁତ କମ୍‌ ରହିଛି। ଫ୍ରାନ୍ସ, ଇଟାଲୀ, ସ୍ପେନ, ବ୍ରିଟେନ ଭଳି ଦେଶଗୁଡ଼ିକରେ ମୃତ୍ୟୁ ହାର ଅଧିକ। କିନ୍ତୁ ସେହିଦେଶଗୁଡ଼ିକ ବିଷୟରେ କେହି ଆଲୋଚନାକ କରିବେ ନାହିଁ, କେବଳ ଆମେରିକା ବିଷୟରେ ହିଁ କହିବେ। ମିଥ୍ୟା ଖବର ଉପରେ ଯଦି ବିଶ୍ଵାସ କରୁଛନ୍ତି, ତେବେ ମୃତ୍ୟୁ ହାରରେ ଆମେରିକା ଏକ ନମ୍ବର। କିନ୍ତୁ ଆମେ ଶୀର୍ଷରେ ନାହୁଁ। ଚୀନରେ ଆମଠାରୁ ଏବଂ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ମୁଁ ଜାଣିଛି, ଆପଣମାନେ ଜାଣିଛନ୍ତି ଏବଂ ସେହି ଦେଶ ବି ଜାଣିଛି। କିନ୍ତୁ ଆପଣମାନେ ଏହା ଉପରେ ଆଲୋଚନା କରିବେ ନାହିଁ ବୋଲି ଟ୍ରମ୍ପ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ଟ୍ରମ୍ପ ଆହୁରି କହିଥିଲେ, ଆମେ ସତ୍ୟର ପତ୍ତା ଲଗାଇବୁ। କେତେକ ନ୍ୟୁଜ ଚ୍ୟାନେଲ ରିପୋର୍ଟକୁ ଆଧାର କରି ଟ୍ରମ୍ପ କହିଥିଲେ ଯେ, ଗୁଇନ୍ଦା ବିଶ୍ଳେଷକମାନେ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ଚୀନର ଉହାନ ସହରରେ ଏକ ଲାବରେଟୋରିରେ କରୋନା ଭୂତାଣୁକୁ ସୃଷ୍ଟି କରାଯାଇଛି ବୋଲି ଫକ୍ସ ନ୍ୟୁଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଥିଲା। ପ୍ରକୃତରେ କ’ଣ ହୋଇଛି ତାହାର ତଥ୍ୟ ସରକାର ସଂଗ୍ରହ କରୁଛନ୍ତି। ଅନେକ ଅଜବ ଘଟଣା ଘଟୁଛି, କିନ୍ତୁ ଅନୁସନ୍ଧାନର ବାକି ରହିଛି। ଟ୍ରମ୍ପ କହିଥିଲେ, ଆମେରିକା ଉହାନରେ ୪ର୍ଥ ସ୍ତରର ଏକ ଲାବରେଟୋରିକୁ ଦେଉଥିବା ଅନୁଦାନକୁ ବନ୍ଦ କରିବ। ଓବାମା ପ୍ରଶାସନ ଉକ୍ତ ଲାବରେଟୋରିକୁ ୩୭ ଲକ୍ଷ ଡଲାର ଅନୁଦାନ ଦେଇଥିଲା। ଆମେ ଏହି ରାଶିକୁ ଖୁବଶୀଘ୍ର ବନ୍ଦ କରିବୁ।

Comments are closed.