ଦେଖା ସୁନ୍ଦର କଖାରୁ ବଡ଼ି

ଆମେରିକାର ରାଷ୍ଟ୍ରପତି ସପରିବାର ଭାରତ ଆସି ବିଭିନ୍ନ ସ୍ଥାନ ବୁଲି ୩ଶହ କୋଟି ଡଲାରର ସଉଦା କରି ଚାଲିଗଲେ। ତାଙ୍କୁ ଆପ୍ୟାୟିତ କରିବା ପାଇଁ ଆମେ କୋଟିକୋଟି ଟଙ୍କା ଖର୍ଚ୍ଚ କଲେ। ଟ୍ରମ୍ପଙ୍କୁ ତ ଭ୍ରମଣ ସୁଖ ମିଳିଲା; ଭାରତକୁ ମିଳିଲା କ’ଣ ?

କ୍ଷମତାର ଶେଷ ବର୍ଷରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଆସିଥିଲେ। ତାଙ୍କ ଗସ୍ତକୁ ନେଇ ଦେଶର ସରକାର ଅଭୂତପୂର୍ବ ଆୟୋଜନ କରିଥିଲେ। ବୋଧହୁଏ ଭାରତର କୂଟନୈତିକ ଇତିହାସରେ ଏହାଥିଲା ସର୍ବବୃହତ୍‌ ଆୟୋଜନ। ଏପରି ଆୟୋଜନରୁ ଦେଶକୁ କ’ଣ ମିଳିଲା- ସେ ସଂକ୍ରାନ୍ତରେ ଆଲୋଚନା କରିବା ଜରୁରୀ। କୂଟନୈତିକ ଦୃଷ୍ଟିକୋଣରୁ ଦେଖିଲେ ଦୁଇ ରାଷ୍ଟ୍ର ମଧ୍ୟରେ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ହୁଏ ସେଠାରେ ପରିବାର ସଦସ୍ୟ ଉପସ୍ଥିତ ରହିବା କୌଣସି ପ୍ରୟୋଜନ ନାହିଁ। ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଉପସ୍ଥିତ ରହିବା ହିଁ ଯଥେଷ୍ଟ। ତେବେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ଆମେ କୂଟନୈତିକ ନୁହେଁ; ବରଂ ଭ୍ରମଣ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହି ପାରିବା। କାରଣ ପରିବାର ସହ ସେ ଏଠାକୁ ଆସିଥିଲେ। ସପରିବାର ସାବରମତୀ ଆଶ୍ରମ ଓ ତାଜମହଲ ପରିଦର୍ଶନ କରିବା ସହ ମୋଟେରା ଷ୍ଟାଡିୟମରେ ରାଜନେତାଙ୍କ ପରି ଉଦ୍‌ବୋଧନ ଦେଇଥିଲେ। ୩୬ ଘଣ୍ଟାର ଗସ୍ତ ମଧ୍ୟରୁ ହାଇଦ୍ରାବାଦ ହାଉସ୍‌ରେ ମାତ୍ର ୧ଘଣ୍ଟା ୧୫ ମିନିଟ୍‌ ପାଇଁ ଉଭୟ ଦେଶର ନେତୃବୃନ୍ଦ କୂଟନୈତିକ ସ୍ତରରେ ଆଲୋଚନା କରିଥିଲେ। ଏତିକି ସମୟ ମଧ୍ୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ୫-ଜି ୱୟାରଲେସ୍‌ ନେଟୱର୍କ, ତେଲ ଓ ପ୍ରାକୃତିକ ଗ୍ୟାସ୍‌ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ବାକି ସମୟ ଭେଟ୍‌ଘାଟ ଓ ବୁଲାବୁଲିରେ ବିତିଥିଲା। ଏହି ଗସ୍ତ ଅବସରରେ ଯଦି ଟ୍ରମ୍ପ ଭାରତ ସହ ଐତିହାସିକ ବାଣିଜ୍ୟିକ ଚୁକ୍ତିରେ ସ୍ବାକ୍ଷର କରିଥା’ନ୍ତେ ତେବେ ଆମ କୂଟନୀତିକୁ ଏହାର ଶ୍ରେୟ ମିଳିଥା’ନ୍ତା ା ଏହି ଆଲୋଚନାର ନିଷ୍କର୍ଷ ମଞ୍ଜି ନଥିବା ଫଳ ପରି କୁହାଯାଇ ପାରେ।
ଆମେରିକା ଭାରତକୁ ୩ଶହ କୋଟି ଡଲାରର ଦୁଇ ପ୍ରକାର ଅତ୍ୟାଧୁନିକ ହେଲିକପ୍ଟର ସହ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଯୋଗାଇ ଦେବ। ସାମରିକ କ୍ଷେତ୍ରରେ ଆମେରିକା ଆମକୁ ସ୍ବାବଲମ୍ବୀ କରିବ। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ଏବେ ଆମକୁ ସବୁରି କ୍ଷେତ୍ରରେ ସମର୍ଥନ କରିବ-ଏହିପରି କିଛିଟା ଭ୍ରାନ୍ତ ଧାରଣା ଏହି ଗସ୍ତରୁ ସ୍ପଷ୍ଟ ହୋଇଛି। ଆମେରିକାର ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଏହି ଦେଶର କେବେବି ଜଣେ ସ୍ଥାୟୀ ମିତ୍ର ରାଷ୍ଟ୍ର ନାହାନ୍ତି। ବାଧ୍ୟବାଧକତାରେ କେତେକ ଦେଶ ଆମେରିକା ନେତୃତ୍ବାଧୀନ ସାମରିକ ମେଣ୍ଟ ‘ନର୍ଥ ଆଟ୍‌ଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ’ (ନାଟୋ)ର ସଦସ୍ୟ ଅଛନ୍ତି। ବିନା ସ୍ବାର୍ଥରେ ଏହି ଦେଶ କାହାକୁ ସାହାଯ୍ୟ କରେନି। ମଧ୍ୟପ୍ରାଚ୍ୟ ହେଉ ବା ଆଫଗାନିସ୍ତାନ, ବିଶ୍ବର ଯେଉଁସବୁ ସ୍ଥାନରେ ହିଂସା ଜାରି ରହିଛି ସେଥିରେ ପରୋକ୍ଷରେ ହେଉ ଅଥବା ପ୍ରତ୍ୟକ୍ଷରେ ଆମେରିକାର ହିଁ ହାତ ରହିଛି। ଭାରତକୁ ୩ଶହ କୋଟି ଡଲାରର ହେଲିକପ୍ଟର ଯୋଗାଇ ଆମକୁ କୌଣସି ଅନୁକମ୍ପା ପ୍ରଦର୍ଶନ କରି ନାହିଁ, ବରଂ ନିଜର ପ୍ରତିରକ୍ଷା ସାମଗ୍ରୀ ବିକି ମୁଦ୍ରା ଉପାର୍ଜନ କରିଛି। ଭାରତୀୟ ବଜାରରୁ ଚୀନ୍‌ ସାମଗ୍ରୀ ଓ ରୁଷ୍‌ର ପ୍ରତିରକ୍ଷା ଉପକରଣକୁ ଆମେରିକା ହଟାଇବାକୁ ଚାହୁଁଛି। ନିଜର ସ୍ବାର୍ଥ ସାଧିତ ହେବା ପାଇଁ ଏବେ ଭାରତ ଆଡ଼କୁ ଝୁଙ୍କି ପଡ଼ିଛି । ଭାରତ ଅନ୍ଧଭାବେ ଏହି ଦେଶକୁ ବିଶ୍ବାସ କରିବା ଉଚିତ୍‌ ନୁହେଁ। ଆମେରିକାର ରାଜନୈତିକ ଇତିହାସ ସର୍ବଦା ଭାରତ ବିରୋଧୀ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା ପାକିସ୍ତାନ ସମର୍ଥନରେ ଛିଡ଼ା ହୋଇଥିଲା। ଭାରତକୁ ଧୂଳିସାତ୍‌ କରିବା ପାଇଁ ପରମାଣୁ କ୍ଷମତାସମ୍ପନ୍ନ ସପ୍ତମ ନୌବହର ପଠାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ସେତେବେଳର ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଯେଉଁ ଅଭଦ୍ର ଟିପ୍ପଣୀ କରିଥିଲେ ଆଜିର ଭାରତୀୟ ନେତୃବୃନ୍ଦ ତାହା ଭୁଲିଯିବା କଥା ନୁହେଁ। ଆମେରିକାର ଗର୍ବ ଓ ଅହଙ୍କାର ଶହେ ବର୍ଷ ତଳେ ଯେପରି ଥିଲା ଓ ଆଜିବି ସେହିପରି ରହିଛି। ‘ଆମର ସେନା ବିଶ୍ବ​‌େ​‌ର ଶକ୍ତିଶାଳୀ, ଆମ ପରି ଯୁଦ୍ଧାସ୍ତ୍ର ଆଉ କାହା ପାଖରେ ନାହିଁ ଓ ଆମ ଉପରେ ଆକ୍ରମଣ ହେଲେ ସମ୍ପୃକ୍ତ ଦେଶକୁ ଆମେ ଧୂଳିସାତ୍‌ କରିଦେବୁ-ଏହିପରି କିଛିଟା ଅହଙ୍କାରପୂର୍ଣ୍ଣ ଭାଷଣ ଟ୍ରମ୍ପଙ୍କ ମୁହଁରୁ ମୋଟେରା ଷ୍ଟାଡିୟମରେ ଶୁଣିବାକୁ ମିଳିଥିଲା। ଜାତିସଂଘ ସୁରକ୍ଷା ପରିଷଦ ସୂଚନାନୁଯାୟୀ ବିଶ୍ବର ୭ଟି ଦେଶ ନିକଟରେ ପରମାଣୁ ବୋମା ରହିଛି। ଏହା ବ୍ୟତୀତ ଆଉ ୨/୩ଟି ଦେଶ ଲୁକ୍କାୟିତ ଭାବେ ପରମାଣୁ ବୋମା ରଖିଛନ୍ତି। ସେ ଯେତେ ଶକ୍ତିଶାଳୀ ରାଷ୍ଟ୍ର ହେଉନା କାହିଁକି ? ଗୋଟିଏ ପରମାଣୁ ବୋମା ହିଁ ସମ୍ପୃକ୍ତ ଦେଶକୁ ବିକଳାଙ୍ଗ କରିଦେବ। ଏପରି କ୍ଷେତ୍ରରେ ଲକ୍ଷାଧିକ ଭାରତୀୟଙ୍କ ସମ୍ମୁଖରେ ନିଜ ଦେଶର ପାରିବାରପଣିଆ ବଖାଣିବା ଟ୍ରମ୍ପ ତଥା ଆମେରିକାବାସୀଙ୍କ ଅହଂକାରକୁ ପ୍ରମାଣିତ କରୁଛି। ଟ୍ରମ୍ପଙ୍କ ପ୍ରାୟ ୪୦ ମିନିଟ୍‌ର ଭାଷଣରେ ‘ଶାନ୍ତି’ ଶବ୍ଦ ହିଁ ନଥିଲା। ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଆଶ୍ରମକୁ ଯାଇ ତାଙ୍କ ବିଷୟରେ ପଦୁଟିଏ ବି ଲେଖି ନଥିଲେ ।
ଦେଶବାସୀଙ୍କ ସମ୍ମୁଖରେ ଭାରତକୁ କଟାକ୍ଷ କରି ଟ୍ରମ୍ପ କହିଥିଲେ ଯେ,‘ଆସନ୍ତା ୫୦-୧୦୦ ବର୍ଷ ମଧ୍ୟରେ ଭାରତ ବିଶ୍ବର ପକ୍କା ଖେଳାଳି ପାଲଟିବ’ା ତାଙ୍କ ମୁଖରୁ ଏହାଶୁଣି ମୋଟେରା ଷ୍ଟାଡିୟମରେ ବସିଥିବା ଲକ୍ଷାଧିକ ଭାରତୀୟ ତାଳି ମାରିଥିଲେ। ଗୋଟିଏପଟେ ଦେଶର ପ୍ରଧାନମନ୍ତ୍ରୀ ଆଗାମୀ ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ୧ନଂ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିବାବେଳେ ଟ୍ରମ୍ପ ତାଚ୍ଛଲ୍ୟ କରି ଏହାକୁ ୫୦ରୁ୧୦୦ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଲେ। ଅର୍ଥାତ୍‌ ପରୋକ୍ଷରେ ଟ୍ରମ୍ପ କହିଦେଇଗଲେ ଆଗାମୀ ୧୦୦ ବର୍ଷ ଆମେରିକାର। ଏସବୁ ସତ୍ତ୍ବେ ବି ଆମ ସରକାର ଟ୍ରମ୍ପଙ୍କ ଗସ୍ତକୁ ଏକ ବିରାଟ ସଫଳତା ମନେ କରନ୍ତି। କେବଳ ସରକାର ନୁହେଁ, ଦେଶର କେତେକ ସଚେତନ ନାଗରିକ ଓ କୂଟନୀତିଜ୍ଞ ମଧ୍ୟ ଟ୍ରମ୍ପଙ୍କ ଏହି ଗସ୍ତକୁ ଐତିହାସିକ ବୋଲି ମତ ଦିଅନ୍ତି। ତେବେ ପ୍ରଶ୍ନ ଉଠୁଛି- ଯଦି ଏହି ଗସ୍ତ ଅଭୂତପୂର୍ବ ତେବେ ଆମକୁ ମିଳିଲା କ’ଣ ? ଆମେ ତ ଟଙ୍କା ଦେଇ ହେଲିକପ୍ଟର କିଣିଲେ। ବିଶ୍ବର ସର୍ବାଧିକ ଯୁଦ୍ଧାସ୍ତ୍ର ଆମଦାନୀ କରୁଥିବା ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ଦ୍ବିତୀୟ। ତେଣୁ ସମସ୍ତଙ୍କ ଆଖି ଭାରତ ଉପରେ। ସାମରିକ ସରଞ୍ଜାମ କିଣିବା ପାଇଁ ଆମ ନିକଟରେ ଏକାଧିକ ବିକଳ୍ପ ଅଛି; ହେଲେ ଆମେରିକାଠାରେ ଭାରତର ବିକଳ୍ପ ନାହିଁ। ଅପେକ୍ଷାକୃତ ଶସ୍ତା ଦରରେ ଆମେ ରୁଷ୍‌, ଫ୍ରାନ୍ସ, ଇସ୍ରାଏଲ ଓ ୟୁରୋପୀୟ ସଂଘ ନିକଟରୁ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ କିଣି ପାରିବା। ତେଣୁ ଭାରତକୁ ପ୍ରଲୋଭିତ କରିବା ପାଇଁ ଆମେରିକା ବାରମ୍ବାର ଉଦ୍ୟମ ଚଳାଇଛି। ରୁଷ୍‌ଠାରୁ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ଏସ-୪୦୦ କିଣିବା ପାଇଁ ଭାରତ ଯେତେବେଳେ ସ୍ଥିର କଲା ଆମେରିକା ଅସନ୍ତୋଷ ପ୍ରକାଶ କରିଥିଲା। ଏପରିକି ଭାରତ ଉପରେ କଟକଣା ଲାଗୁ କରିବ ବୋଲି ଧମକ ଦେଇଥିଲା। ତେବେ ରୁଷ୍‌ ସହ ଦୀର୍ଘଦିନର ସମ୍ପର୍କ ତଥା ନିଜକୁ ଏକ ପରିପକ୍ବ ଦେଶ ଭାବେ ପ୍ରମାଣିତ କରି ଭାରତ ଆମେରିକା ଆଗରେ ମୁଣ୍ଡ ନୁଆଁଇ ନଥିଲା। ବାଧ୍ୟ ହୋଇ ଆମେରିକା ନିଜ ଛେପ ଢୋକିଥିଲା। ଗତ ୨୦ ବର୍ଷ ତଳେ ଆଜି ପରି ଆମେରିକା ଆମ ନିକଟରେ ନଥିଲା। ଆମେ ସେତେବେଳେବି ସ୍ବାବଲମ୍ବୀ ଥିଲେ। ଆଜି ଆମର କୂଟନୀତି ବଦଳି ଯାଇଛି। ଧନକୁ ଦେଖି ଆମେ ଆମେରିକା ଆଡ଼କୁ ଆଉଜିବାକୁ ଯାଉଛୁ। ବାସ୍ତବ କଥା ହେଲା ଆମେ ଯେତିକି ନ ଚାହୁଁଛୁ ଆମେରିକା ଶତଗୁଣ ଚାହୁଁଛି। ଚୀନ୍‌ ଓ ରୁଷ୍‌ ଏହି ଦେଶର ମୁଣ୍ଡ ବ୍ୟଥା ବଢାଇ ଦେଇଛନ୍ତି। ରୁଷ୍‌ ହେଉଛି ଭାରତର ୧ନଂ ପ୍ରତିରକ୍ଷା ସହଯୋଗୀ। ଭାରତ ସର୍ବାଧିକ ଯୁଦ୍ଧାସ୍ତ୍ର ରୁଷ୍‌ଠାରୁ ହିଁ କିଣିଥାଏ। ଏହାକୁ ହଜମ କରିପାରୁନି ଆମେରିକା। ରୁଷ୍‌ର ସ୍ଥାନ ନେଇ ଭାରତୀୟ ପ୍ରତିରକ୍ଷା ବଜାର​‌େ​‌ର ଏକଚାଟିଆ ପ୍ରବେଶ କରିବାକୁ ଏହି ଦେଶ ଜିଦ୍‌ ଧରିଛି।
ଭାରତ ଆଉ ସତୁରି ଦଶକରେ ନାହିଁ-ଏକଥା ଆମେରିକା ଭଲଭାବେ ଜାଣିଛି। ଟ୍ରମ୍ପ ଯଦି ବାଣିଜ୍ୟିକ ଚୁକ୍ତିରେ ସ୍ବାକ୍ଷର କରିଥା’​‌େ​‌ନ୍ତ ଭାରତ ବିଶେଷ ଲାଭବାନ୍‌ ହୋଇଥା’ନ୍ତା। ଭାରତ ହାତରେ ସହଜେ ପଶାପାଲି ଦେବାକୁ ଆମେରିକା ଚାହୁଁ ନାହିଁ। ଖେଲାଇଖେଳାଇ ଏହି ପାଲି ଚଳିତ ବର୍ଷ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନେବାକୁ ଚାହୁଁଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଚୁକ୍ତି ସ୍ବାକ୍ଷରିତ ହୋଇପାରେ। କାରଣ ଦ୍ବିତୀୟ ଥର ପାଇଁ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଟ୍ରମ୍ପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ପାରନ୍ତି। ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ପାଇଁ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ଏହି ଚୁକ୍ତିରେ ସ୍ବାକ୍ଷର କରିପାରନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନରେ କ୍ଷମତାସୀନ ହୋଇଛନ୍ତି। କେବଳ ସେତିକି ନୁହେଁ-ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମାଳଦ୍ବୀପ ଓ ଫିଜି ପରି ରାଷ୍ଟ୍ରରେ ଭାରତୀୟମାନେ ନିର୍ବାଚନ ଫଳାଫଳ ନିର୍ଦ୍ଧାରଣ କରିଥା’ନ୍ତି। ଏକଥା ଟ୍ରମ୍ପ ଭଲଭାବେ ଜାଣନ୍ତି। ତେଣୁ ଆଜିର ପରିସ୍ଥିତିରେ ଭାରତ ପାଇଁ ଆମେରିକା ଯେତେ ଜରୁରୀ ନୁହେଁ, ଆମେରିକା ପାଇଁ ଭାରତ ଅଧିକ ଜରୁରୀ। ଏହି ଗସ୍ତ କେବଳ ଟ୍ରମ୍ପଙ୍କ ଉପରେ କେନ୍ଦ୍ରିଭୂତ ଥିଲା। ନିଜର ପ୍ରଚାର ସର୍ବସ୍ବ ଏହି ଗସ୍ତରେ ମାତ୍ର ଏକ ଘଣ୍ଟା ୧୫ ମିନିଟ୍‌ ସମୟ ଭାରତର ହିତ ପାଇଁ ଦେଇଥିଲେ। ପାକିସ୍ତାନ ମାଟିରେ ଆତଙ୍କବାଦୀମାନେ ବିଚରଣ କରୁଛନ୍ତି ବୋଲି ଦେଶବାସୀଙ୍କ ସମ୍ମୁଖରେ କହିଥିବାବେଳେ ଭାରତ ଛାଡ଼ିବାର କିଛି ସମୟ ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ମଧୁର ବୋଲି କହିଦେଇ ଚାଲିଗଲେ। ତେଣୁ ତାଙ୍କ ଗସ୍ତ କେବଳ ଦେଖାସୁନ୍ଦର କାକୁଡ଼ି ବାଡ଼ି ସଦୃଶ କହିଲେ ଭୁଲ ହେବ ନାହିଁ।

ଆଦିତ୍ୟ ପତି

ସହ-ସମ୍ପାଦକ ‘ସମାଜ’

Comments
Loading...