ଭାରତରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍‌ ଅଷ୍ଟିନ, ଜାତୀୟ ଯୁଦ୍ଧ ସ୍ମାରକୀରେ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍‌ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଶନିବାର ଜାତୀୟ ଯୁଦ୍ଧ ସ୍ମାରକ ସ୍ଥଳକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭେଟିକାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ।

ଅଷ୍ଟିନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ୩୦ଟି ଘାତକ ପ୍ରିଡେଟର ଡ୍ରୋନ ଏବଂ ୧୧୪ ଯୁଦ୍ଧ ବିମାନ କାରବାର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ଚୀନର ଦାଦାଗିରି, ଆତଙ୍କବାଦର ଚ୍ୟାଲେଞ୍ଜ ଏବଂ ଆଫଗାନ ଶାନ୍ତି ପ୍ରକ୍ରିୟା ସମ୍ପର୍କରେ ବି ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇପାରେ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତ ନିଜର ୩ ସେନା ପାଇଁ ଆମେରିକାଠାରୁ ୩୦ଟି ସଶସ୍ତ୍ର ପ୍ରିଡେଟର ଡ୍ରୋନ ବିମାନ କିଣିବାକୁ ଯୋଜନା କରିଛି। ପ୍ରାୟ ୩୦୦ କୋଟି ଡଲାର ମୂଲ୍ୟର ଯୁଦ୍ଧାସ୍ତ୍ର କିଣିବା ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି।

ଆମେରିକାର ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଜେନେରାଲ ଅଟୋମିକ୍ସ ପକ୍ଷରୁ ନିର୍ମିତ ପ୍ରିଡେଟର-ବି ଡ୍ରୋନ ପ୍ରାୟ ୩୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ାଣ ଭରିବା ସହିତ ଭୂପୃଷ୍ଠରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ଯେକୌଣସି ଲକ୍ଷ୍ୟସ୍ଥଳରେ ବୋମାବର୍ଷଣ କରିବାରେ ସକ୍ଷମ।

Comments are closed.