ଚୀନକୁ ମୁକାବିଲା ନିମ​‌ନ୍ତେ ଭାରତୀୟ ପାଇଲଟଙ୍କୁ ତାଲିମ ଦେବ ଆମେରିକା

ଆମେରିକା ସିନେଟରେ ଆଗତ ହେଲା ପ୍ରସ୍ତାବ

ଚୀନକୁ ନେଇ ସାରା ବିଶ୍ବ ବିବ୍ରତ । ଚାଲବାଜ ଚୀନ ବିଦେଶକୁ କରୋନା ପଠାଇ ନିଜେ ସାମ୍ରାଜ୍ୟବାଦୀ ନୀତି ଆରମ୍ଭ କରିଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ, ତାଇୱାନ ପରି ଦେଶ ସହିତ ଶତ୍ରୁତା ଆଚରଣ କରିଛି । ଦକ୍ଷିଣ ଚୀନ୍ ସାଗରରେ ନିଜର ଆଧିପତ୍ୟ ଜାରି ରଖିବାକୁ ଯାବତୀୟ ପଦକ୍ଷେପ ନେଇଛି । ୟୁରୋପୀୟ ରାଷ୍ଟ୍ର ସମୂହ ମଧ୍ୟ ଚୀନ୍ ଆଚରଣରେ କ୍ଷୁବ୍ଧ । ଏପରି କ୍ଷେତ୍ରରେ ଚୀନର ମୁକାବିଲା ନିମନ୍ତେ ଭାରତକୁ ସହଯୋଗ କରିବାକୁ ଆମେରିକା ପ୍ରସ୍ତୁତି ଆରମ୍ଭ କରିଛି । ଭାରତ, ଜାପାନ, ଅଷ୍ଟ୍ରେଲିଆ ଆଦି ଦେଶର ପାଇଲଟମାନଙ୍କୁ ଫାଇଟର ଜେଟ୍ ଚଳାଇବା ନିମନ୍ତେ ଆମେରିକା ତାଲିମ ଦେବ ବୋଲି ବିଚାର କରୁଛି ।

ଆମେରିକାର ଜାତୀୟ ପ୍ରତିରକ୍ଷା ଅଥରାଇଜେସନ ଆକ୍ଟ ଅନୁସାରେ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ସେନାର ପାଇଲଟମାନଙ୍କୁ ଫାଇଟର ଜେଟ୍ ଚଳାଇବା ପାଇଁ ତାଲିମ ଦିଆଯିବ । ଏହି ତାଲିମ ଆମେରିକା ନିକଟରେ ଗୁଆମରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆମେରିକା ଓ ସିଙ୍ଗାପୁର ମଧ୍ୟରେ ଲଢ଼ୁଆ ବିମାନ ଚଳାଇବା ତାଲିମ ଉପରେ ବିଚାରାଲୋଚନା ହୋଇଛି ।

ଦିନକ ତଳେ ଆମେରିକା ସଂସଦରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ସିଙ୍ଗାପୁର ସହ ଭାରତ, ଜାପାନ, ଅଷ୍ଟ୍ରେଲିଆକୁ ଏଥିରେ ସାମିଲ କରାଯାଇଛି । ଆମେରିକା ନିଜର ମିତ୍ର ଦେଶମାନଙ୍କୁ ଏହାଦ୍ବାରା ସହାୟତା କରିପାରିବ ଏବଂ ଚୀନ ବିରୋଧରେ ଏକ ଦୃଢ଼ ପ୍ରତିପକ୍ଷ ଗଠନ କରିପାରିବ ।

ସେହିପରି ଚୀନ ମୁକାବିଲା ପାଇଁ ଆମେରିକା ୟୁରୋପରୁ ସେନା ପ୍ରତ୍ୟାହାର କରି ଏସିଆ ମହାଦେଶକୁ ପଠାଇବା ନିଷ୍ପତ୍ତି ହୋଇଛି । ଏହା ସହ କିଛି ଉନ୍ନତମାନର କ୍ଷେପଣାସ୍ତ୍ର, ଦୀର୍ଘଦୂରଗାମୀ ମିସାଇଲ ମଧ୍ୟ ସାମିଲ ହେବ । ଚୀନର ବଦମାସୀକୁ ଲକ୍ଷ୍ୟ କରି ଆମେରିକା ଏପରି ପଦକ୍ଷେପ ଗ୍ରହଣ କରିଛି । ଏହା ସହ ଆମେରିକା ଚୀନର ସମସ୍ତ ସହରକୁ ଲକ୍ଷ୍ୟ କରି ଫରୱାର୍ଡ଼ ପୋଷ୍ଟ ମଧ୍ୟ ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି ।

Comments are closed.