ଆମେରିକାର ଟିକା ସହାୟତା : ମୋଦୀ ଏବଂ ଅନ୍ୟ ବିଶ୍ୱ ନେତାଙ୍କ ସହ କମଲା ହ୍ୟାରିସଙ୍କ ଆଲୋଚନା

ୱାଶିଂଟନ :ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବିଶ୍ୱ ନେତାଙ୍କ ସହ କୋଭିଡ ଟିକା ପାଇଁ ଆମେରିକାର ବିଶ୍ୱସ୍ତରୀୟ ଆବଣ୍ଟନ ଯୋଜନା ବିଷୟରେ କଥା ହୋଇଛନ୍ତି । ଭାରତରେ କରୋନା ସ୍ଥିତି ଓ ଟିକାରଣ ସଂପର୍କରେ ଶ୍ରୀମତୀ ହ୍ୟାରିସ୍ ମୋଦୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମତୀ ହ୍ୟାରିସ୍ ପ୍ରତ୍ୟେକ ନେତାଙ୍କୁ କହିଛନ୍ତି ଯେ ଜୁନ୍ ଶେଷ ସୁଦ୍ଧା ବିଶ୍ୱରେ ଅତି କମରେ ୮ କୋଟି ଟିକା ବାଣ୍ଟିବା ପାଇଁ ଆମେରିକା ପ୍ରଶାସନ ଯୋଜନା କରିଛି। ଏହି କାର୍ଯ୍ୟଖସଡାର ଅଂଶ ଭାବେ ଆମେରିକା ନିଜ ଦେଶ ତଥା ଅନ୍ୟମାନଙ୍କୁ ପଥମ ପର୍ଯ୍ୟାୟରେ ଅଢେଇ କୋଟି ପାନ କୋଭିଡ ଟିକା ଯୋଗାଇ ଦେବ ବୋଲି ଶ୍ରୀମତୀ ହ୍ୟାରିସ୍ କହିଛନ୍ତି।

ସେ ଦୋହରାଇଛନ୍ତି ଯେ, ବିଶ୍ୱର ଅଧିକାଂଶ ଦେଶକୁ ଟିକା ଯୋଗାଇ ଦେବା ପାଇଁ ତାଙ୍କ ପ୍ରଶାସନର ପ୍ରୟାସ ରହିଛି। କିନ୍ତୁ ଟିକା ମାଗିଥିବା ଦେଶକୁ ଯଥାସମ୍ଭବ ସାହାଯ୍ୟ କରିବା ଉପରେ ଧ୍ୟାନ ଦିଆଯାଇଛି । କୋଭିଡ ସମସ୍ୟାର ସମାଧାନ ପାଇଁ ବିଶ୍ୱ ନେତା ମିଳିତ ଭାବେ କାର୍ୟ୍ୟ ଜାରି ରଖିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ଶ୍ରୀମତୀ ହ୍ୟାରିସ୍ ମତ ବ୍ୟକ୍ତ କରିଛନ୍ତି।

Comments are closed.