ହୁ’ରେ ପୁନଃ ଯୋଗଦେବ ଆମେରିକା: ବାଇଡେନ୍‌

ୱାଶିଂଟନ୍‌: କରୋନା ସଂକ୍ରମଣ ପରିଚାଳନାରେ ବ୍ୟର୍ଥ ହୋଇଥିବା ଅଭିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିସହିତ ଚୀନ ଉକ୍ତ ଆନ୍ତର୍ଜାତିକ ସଂଗଠନର ନୀତିନିୟମ ପ୍ରତି ସମ୍ମାନ ଦେବା ସହ ଧାର୍ୟ୍ୟ ସର୍ତ୍ତ ଅନୁସାରେ କାର୍ୟ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଚୀନର ବ୍ୟବହାର ନେଇ କ୍ଷୁବ୍ଧ ବାଇଡେନ୍‌ ନିର୍ବାଚନ ପ୍ରଚାରବେଳେ ଚୀନ ପ୍ରତି ଦଣ୍ଡବିଧାନ କରାଯିବ ବୋଲି କହିଥିଲେ। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁ’ ମୁଖ୍ୟ ଚୀନ ପ୍ରରୋଚନାରେ କାର୍ୟ୍ୟ କରୁଥିବା ଓ ଚୀନରୁ ଉତ୍ପତି ହୋଇଥିବା କରୋନା ସଂକ୍ରମଣକୁ ଲୁଚାଇଥିବା ଅଭିଯୋଗ କରିବା ସହ ଏହି ସଂଗଠନରୁ ଗତ ଏପ୍ରିଲରେ ଓହରି ଯାଇଥିଲେ।

ଏଥି ସହିତ ହୁ’କୁ ଆମେରିକା ଦେଉଥିବା ପ୍ରାୟ ୯୦ପ୍ରତିଶତ ଆର୍ଥିକ ସହାୟତା ବନ୍ଦ କରିଦେଇଥିଲେ। ବାଇଡେନ୍‌ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଂସ୍କାର ଆବଶ୍ୟକ। ସେହିଭଳି ‘ପ୍ୟାରିସ୍‌ ପାଣିପାଗ ରାଜିନାମା’ରେ ମଧ୍ୟ ଆମେରିକା ପୁନର୍ବାର ଯୋଗଦେବ ବୋଲି ସେ ସୂଚନା ଦେଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏଥିରୁ ଓହରି ଯାଇଥିଲେ।

Comments are closed.