ଚୀନ ସହିତ ସଂପର୍କ ହ୍ରାସ ପାଇଁ ଆମେରିକା ଚାପ ପକାଉଛି- ଇମ୍ରାନ ଖାଁ

କିନ୍ତୁ ଏଭଳି ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ

ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା କ୍ଷୁବ୍ଧ । କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପାକିସ୍ତାନ ଓ ଚୀନ ମଧ୍ୟରେ ସୁସଂପର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୀନ ସହିତ ସଂପର୍କ ହ୍ରାସ କରିବାକୁ ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଏକଥା ନିଜେ ଇମ୍ରାନ ସ୍ୱୀକାର କରିଛନ୍ତି । କିନ୍ତୁ ଇମ୍ରାନ ଖାଁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଚୀନ ସହିତ ପାକିସ୍ତାନର ସଂପର୍କ ଦୀର୍ଘ ୭୦ ବର୍ଷର । ସେ କଦାପି ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଚାପ ଆଗରେ ମୁଣ୍ଡ ନୁଆଇବେ ନାହିଁ ।
ଚୀନର ସରକାରୀ ଟେଲିଭିଜନ ନେଟୱର୍କ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱର୍କ (ସିଜିଟିଏନ୍‍)କୁ ଏକ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି, ପାକିସ୍ତାନ ଓ ଚୀନ ମଧ୍ୟରେ ଅତ୍ୟନ୍ତ ସ୍ୱତନ୍ତ୍ର ସଂପର୍କ ରହିଛି, ଯାହା ସତୁରୀ ବର୍ଷର ପୁରାତନ ଏବଂ ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ ।
ଆମେରିକା ଓ ଚାଇନା ମଧ୍ୟରେ ଆଞ୍ଚଳିକ ଶତ୍ରୁତା ସମ୍ପର୍କରେ ପ୍ରକାଶ କରି ସେ କହିଛନ୍ତି, ଚୀନ ସହିତ ବିବାଦ ପରିସ୍ଥିତିରେ ତାର ପକ୍ଷ ନନେବାକୁ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ପାକିସ୍ତାନ ଉପରେ ଚାପ ପକାଯିବା ଯୁକ୍ତିଯୁକ୍ତ ନୁହେଁ । ପାକିସ୍ତାନ କାହା ପକ୍ଷ ନେବନାହିଁ ଏବଂ ସମସ୍ତଙ୍କ ସହିତ ସୁସଂପର୍କ ରଖିବ ବୋଲି ଇମ୍ରାନ କହିଥିଲେ । ଚୀନ ସହିତ ପାକିସ୍ତାନର ସମ୍ପର୍କ ସରକାରୀ ସ୍ତରରେ ସୀମିତ ନୁହେଁ, ଦୁଇ ଦେଶର ଲୋକଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି । ପାକିସ୍ତାନ ଯେତେବେଳେ ରାଜନୈତିକ ଅଥବା ଆନ୍ତର୍ଜାତିକ ସ୍ତରରେ କିଛି ଅସୁବିଧାରେ ପଡିଛି ଅଥବା ପଡୋଶୀ ରାଷ୍ଟ୍ର ସହିତ ବିବାଦ ଦେଖାଦେଇଛି, ସେତେବେଳେ ପାକିସ୍ତାନ ସହିତ ଚାଇନା ଛିଡା ହୋଇଛି ।
ଭଲ ସମୟରେ ସମସ୍ତେ ଜଣକ ସହିତ ରହିବେ । କିନ୍ତୁ ଯିଏ ଜଟିଳ ସମୟରେ, ଦୁର୍ଦ୍ଦିନରେ, କଠିନ ସମୟରେ ରହିଛି ତାଙ୍କୁ ମନେରଖିବାକୁ ହେବ । ସେଥିପାଇଁ ପାକିସ୍ତାନ ଜନସାଧାରଣଙ୍କ ମନରେ ଚାଇନା ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଭଲପାଇବା ରହିଛି ।

Comments are closed.